ନୂଆଦିଲ୍ଲୀ ୧୦/୦୩: ବିହାର ସ୍ଥିତ ମୁଜଫରପୁରରେ ପ୍ରେମର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବତୀ ନିଜ ପ୍ରେମକୁ ହାସଲ କରିବା ପାଇଁ ପ୍ରାୟ ୨୦୦୦ କିମି ଯାତ୍ରା କରି ମୁମ୍ବାଇରୁ ମୁଜଫରପୁର ପହଞ୍ଚିଛନ୍ତି । ଉଭୟଙ୍କ ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଯୁବତୀ ସ୍ପଷ୍ଟ କହିଛନ୍ତି ଯେ ନିଜ ଇଚ୍ଛାରେ ସେ ପ୍ରେମିକଙ୍କ ପାଖକୁ ଆସିଛନ୍ତି ଏବଂ ଏବେ ତାଙ୍କ ପତ୍ନୀ ଭାବେ ଏକାଠି ରହିବାକୁ ଚାହୁଁଛନ୍ତି । ଯଦି ସ୍ୱାମୀ କିମ୍ବା ତାଙ୍କ ପରିବାର ସହ କୌଣସି ପ୍ରକାର ଘଟଣା ଘଟେ, ସେଥିପାଇଁ ନିଜ ଘର ଲୋକ ହିଁ ଦାୟୀ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଉତ୍ତରପ୍ରଦେଶର ଗାଜୀପୁର ବାସିନ୍ଦା ଆକାଂକ୍ଷା ଦୀର୍ଘ ବର୍ଷ ହେଲା ମୁମ୍ବାଇରେ ନିଜ ଭଉଣୀ ଓ ଦାଦା-ଖୁଡ଼ୀଙ୍କ ସହ ରହି ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ସେହି କମ୍ପାନିରେ ମୁଜଫରପୁର ବାସିନ୍ଦା ରାଜୀବ ମଧ୍ୟ କାମ କରୁଥିଲେ । ପ୍ରାୟ ୮ ମାସ ପୂର୍ବେ ଉଭୟଙ୍କ ବନ୍ଧୁତା ପ୍ରେମରେ ବଦଳିଗଲା । ଇତିମଧ୍ୟରେ ହୋଲି ପର୍ବରେ ରାଜୀବ ନିଜ ଘରକୁ ଆସିଲେ । ଆକାଂକ୍ଷା କହନ୍ତି, ସେ ଫୋନ୍‌ରେ ରାଜୀବଙ୍କ ସହ କଥା ହେଉଥିବା ବେଳେ ତାଙ୍କ ଭଉଣୀ ଦେଖିଦେଲେ ଏବଂ ରାଗରେ ଫୋନ୍ ଛଡ଼ାଇ ନେଇ ଭାଙ୍ଗିଦେଲେ । ଏହି ଘଟଣାରେ ଆହତ ହୋଇ ଆକାଂକ୍ଷା ଯେକୌଣସି ପରିସ୍ଥିତିରେ ନିଜ ପ୍ରେମକୁ ହାସଲ କରିବାକୁ ସ୍ଥିର କଲେ ।

ଅଧିକ ପଢ଼ନ୍ତୁ :- ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ସରକାରଙ୍କ ବଡ଼ ପଦକ୍ଷେପ; ଦେଶବ୍ୟାପୀ ଲାଗୁ କଲେ ଏସମା, ଜାଣନ୍ତୁ ଏହା କ'ଣ

ଗତ ଶନିବାର ବିଳମ୍ବିତ ରାତିରେ ସେ ମୁମ୍ବାଇରୁ ପୱନ ଏକ୍ସପ୍ରେସ୍‌ରେ ମୁଜଫରପୁରରେ ପହଞ୍ଚିଲେ । ଷ୍ଟେସନ୍‌ରେ ପୂର୍ବରୁ ରାଜୀବ ତାଙ୍କୁ ଅପେକ୍ଷା କରିଥିଲେ । ଉଭୟ ରାଜୀବଙ୍କ ଘରେ ପହଞ୍ଚିଲେ ଏବଂ ରବିବାର ପରିଜନ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ମନ୍ଦିରରେ ବିବାହ କଲେ ।