ନବରଙ୍ଗପୁର,୨୫।୧ : ଗତ ୧୩ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ସହର ଦାରୁବନ୍ଧ ସାହିରେ ହୋଇଥିବା ଲୁଟ ଘଟଣାର ନବରଙ୍ଗପୁର ପୋଲିସ ପର୍ଦ୍ଦାଫାସ କରିଛି । ଡକାୟତିର ଶିକାର ହୋଇଥିବା ସରୋଜ କୁମାର ବେହେରାଙ୍କ ଘର ଠାରୁ କିଛି ଦୂରରେ ରହୁଥିବା ଲୋକ ହିଁ ଲୁଟ କରିଥିଲେ। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୧ ଲକ୍ଷ ୨୩ ହଜାର ଟଙ୍କା , ଗୋଟିଏ ସୁନା ଚେନ , ଗୋଟିଏ ସୁନା ମୁଦି ଏବଂ ନୂଆରେ କିଣା ହୋଇଥିବା ତିନୋଟି ମୋବାଇଲ , ଗୋଟିଏ ପୁରୁଣା ମୋବାଇଲ , ଗୋଟିଏ ବାଇକ, ଗୋଟିଏ ଛୁରୀ ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ଚିନ୍ମୟ କୁମାର ସାହୁ ଓ ଅନ୍ୟ ଜଣେ ନବରଙ୍ଗପୁରର ଶ୍ରୀମନ କୁମାର ଘଡେଇ । ନବରଙ୍ଗପୁର ସ୍ଥିତ ପୋଲିସ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ମିହିର କୁମାର ପଣ୍ଡା ଏ ନେଇ ସୂଚନା ଦେଇଛନ୍ତି ।
ସରୋଜ କୁମାର ସାହୁଙ୍କ ଘର ଠାରୁ କିଛି ଦୂରରେ ଶ୍ରୀମନ ରହୁଥିବା ବେଳେ ସେ ପୂର୍ବରୁ ରୀତିମତ ତାଙ୍କ ଘରକୁ ଯିବା ଆସିବା କରୁଥିଲା । ଚିନ୍ମୟ ଓ ଶ୍ରୀମନ ପ୍ରାୟ ଏକ ମାସ ପୂର୍ବରୁ ଏନେଇ ପ୍ଲାନିଂ କରିଥିଲେ । ୧୩ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବାର ସୁଯୋଗ ନେଇ ସରୋଜଙ୍କ ଘରକୁ ଚୋରି କରିବାକୁ ଯାଇଥିଲେ। ସରୋଜଙ୍କ ସ୍ତ୍ରୀଙ୍କ ହାତଗୋଡ ବାନ୍ଧି ଛୁରୀ ଦେଖାଇ ଭୟଭୀତ କରାଇ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଚୋରି କରିବା ସମୟରେ ଧରା ପଡିବା ଭୟରେ ମୋବାଇଲ ସାଥିରେ ନେଇନଥିଲେ । ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା । ଚୋରି ହୋଇଥିବା ୧୪ ଲକ୍ଷ ଟଙ୍କା ମଧ୍ୟରୁ ଉଭୟେ ୭ ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟି ଥିଲେ । ସେଥିମଧ୍ୟରୁ ୫୦ ହଜାର ଟଙ୍କା ଫାଇନାନ୍ସ ଋଣ ସୁଝିଥିବା ବେଳେ ୧ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ୍ଚ କରି ୩ ଟି ସ୍ମାର୍ଟ ଫୋନ କିଣିଥିଲେ । ଚୋରି ହୋଇଥିବା ସବୁ ସୁନାକୁ ପୋଲିସ ଜବତ କରିଛି ।