ଭୁବନେଶ୍ବର,୩୦।୩ :  ରାଜଧାନୀରେ  ଲଜ୍ଜାଜନକ ଘଟଣା । ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ । ଷ୍ଟେସନରେ ଛାଡ଼ି ଦେବାକୁ କହି ମହିଳାଙ୍କ ସହ ଏଭଳି କରିଛନ୍ତି ଦୁଇ ଦୁର୍ବୃତ୍ତ । ଭୁବନେଶ୍ବର ତମାଣ୍ଡୋ ଥାନା ଅଞ୍ଚଳରେ ଏଭଳି ଜଘନ୍ୟକାଣ୍ଡ ଘଟିଛି । ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି।  ଗିରଫ ଦୁଇ ଜଣ ଅଭିଯୁକ୍ତ ହେଲେ ନୟାଗଡ଼ ଅଞ୍ଚଳର ବିଚିତ୍ର ସାହୁ ଏବଂ ନାରାୟଣ ସ୍ବାଇଁ । ଉଭୟେ ଏକ ଘରୋଇ ଆମ୍ବୁଲାନ୍ସର କର୍ମଚାରୀ ବୋଲି ଜଣାପଡିଛି।

ପଶ୍ଚିମବଙ୍ଗର ଜଣେ ମହିଳା ଭୁବନେଶ୍ବର ଏମ୍ସରେ ସମ୍ପର୍କୀୟଙ୍କ ଚିକିତ୍ସା କରାଇବା ପାଇଁ ଆସିଥିଲେ । ହସ୍ପିଟାଲରେ ସମ୍ପର୍କୀୟଙ୍କୁ ଛାଡ଼ି ସେ ପଶ୍ଚିମବଙ୍ଗ ଫେରିଯିବାକୁ ଚାହିଁଥିଲେ । ସେଥିପାଇଁ ସେ ଷ୍ଟେସନ ଯିବାକୁ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ ମହିଳାଙ୍କୁ ଏକୁଟିଆ ଦେଖି କୁଆଡେ ଯିବେ ବୋଲି ପଚାରିଥିଲେ ଘରୋଇ ଆମ୍ବୁଲାନ୍ସର ଦୁଇ ଜଣ ଡ୍ରାଇଭର । ମହିଳା ଜଣଙ୍କ ଷ୍ଟେସନ ଯାଉଥିବା ଜାଣି ସେମାନେ ତାଙ୍କୁ ଛାଡ଼ି ଦେବାକୁ କହିଥିଲେ । ମହିଳାଙ୍କୁ ଷ୍ଟେସନରେ ଛାଡିଦେବାକୁ କହି ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ଏନେଇ ମହିଳା ଜଣଙ୍କ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତମାଣ୍ଡୋ ଥାନା ପୋଲିସ ଘଟଣାର  ତଦନ୍ତ କରିଥିଲା । ତଦନ୍ତ ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।