ଭୁବନେଶ୍ବର, ୫।୫ : ସେୟାର ମାର୍କେଟରେ ନିବେଶ ଆଳରେ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ। ଏହି ମାମଲାରେ କ୍ରାଇମବ୍ରାଞ୍ଚ  ପୋଲିସ ପଶ୍ଚିମବଙ୍ଗରୁ  ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ହେଲେ  ଦାର୍ଜିଲ ଜିଲ୍ଲା ସିଲିଗୁଡିର ଅଶୋକ ପଣ୍ଡା ଓ ଖାରଦା ଥାନା ଅଧୀନ ବଙ୍କିମପାଲି  ଅଞ୍ଚଳର ଜୟାରାଣୀ ବାଶକ।

ଅଭିଯୋଗ ଅନୁଯାୟୀ ଆଇପିଓ ଏବଂ ଓଟିସି ଟ୍ରେଡିଂ ବିଜିନେସରେ ଟଙ୍କା ନିବେଶ କରି ଅଧିକ ରିଟର୍ଣ୍ଣ ମିଳିବ ବୋଲି ଅଭିଯୁକ୍ତମାନେ କହିଥିଲେ। ସେହି ଅନୁଯାୟୀ ଅଭିଯୋଗକାରୀ ମୋଟ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଅଭିଯୁକ୍ତଙ୍କ ଏକାଧିକ ଆକାଉଣ୍ଟରେ ଡିପୋଜିଟ କରିଥିଲେ। ଅଭିଯୁକ୍ତମାନେ ୩ ମାସ ମଧ୍ୟରେ ଏହି ଟଙ୍କା ନେଇଥିଲେ। ପରେ ଅଭିଯୋଗକାରୀ ଯେତେବେଳେ ଟଙ୍କା ଉଠାଇ ପାରି ନ ଥିଲେ ସେତେବେଳେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ କ୍ରାଇମବ୍ରାଞ୍ଚରେ ଜାନୁୟାରୀ ୧୩ ରେ  ଅଭିଯୋଗ କରିଥିଲେ।

ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଟିମ୍  ଜାଣିବାକୁ ପାଇଥିଲା ଯେ ଅଭିଯୋଗକାରୀ ତାଙ୍କର ଏବଂ ଅନ୍ୟ ସହଯୋଗୀଙ୍କ ୮ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୨୨ ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ମୋଟ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଜମା କରିଛନ୍ତି।  କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ପଶ୍ଚିମବଙ୍ଗ ସିଲିଗୁଲି ପ୍ରଧାନ ନଗରରୁ ଅଶୋକ ନନ୍ଦ ଓ ଖାରଦା ଥାନା ଅଧୀନ ବଙ୍କିମପାଲି  ଅଞ୍ଚଳର ଜୟାରାଣୀ ବାସକଙ୍କୁ ଗିରଫ କରିଛି।