ଭୁବନେଶ୍ବର,୧।୭ : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଖାରବେଳ ନଗର ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ହେଲେ ସଞ୍ଜୀବ ମିଶ୍ର ଓ ସଚ୍ଚିକାନ୍ତ ସ୍ବାଇଁ।  ପୂର୍ବରୁ  କର୍ପୋରେଟର ଜୀବନ ରାଉତ , ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ପୁଲିସ ଗିରଫ କରିଥିଲା। ଏହି ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ,  ସୋମବାର  ବିଏମ୍‌ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ  ଅଭିଯୋଗ ଶୁଣାଣି କରୁଥିଲେ।  ଜଣେ କର୍ପୋରେଟରଙ୍କ ୫ରୁ ୬ ଜଣ ସହଯୋଗୀ ହଠାତ୍ ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାଡ଼ ମାରିଥିଲେ।  ଏହି ନେଇ ତୁରନ୍ତ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ପରବର୍ତ୍ତି ସମୟରେ ଅତିରିକ୍ତ କମିଶନର ଏ ନେଇ ଖାରବେଳ ଥାନାରେ ସମ୍ପୃକ୍ତ କର୍ପୋରେଟର ଓ ତାଙ୍କ ସମର୍ଥକଙ୍କ ବିରୋଧରେ  ଲିଖିତ ଅଭିଯୋଗ କରିଥିଲେ।