ଢେଙ୍କାନାଳ,୨୩।୭: ପୁଣି ଜୀବନ ନେଲା ବଜ୍ରପାତ। ଢେଙ୍କାନାଳ ସଦର ଥାନା ମହୁଲପଡା ଗାଁରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ୨ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନନ୍ତପୁର ଗାଁର କୃଷ୍ଣଚନ୍ଦ୍ର ଦେହୁରୀଙ୍କ ୨ ପୁଅ କମଳକାନ୍ତ ଦେହୁରୀ ଓ ନରେଶ ଦେହୁରୀ। ଆହତମାନେ ହେଲେ ସେହି ଖୁଣ୍ଟୁଣି ଅଞ୍ଚଳର ମିଥୁନ କିନ୍ତୁ ଓ ଦିବା ଜାର୍କା । ବେଆଇନ ପଥର ଖଣିରେ କାମ କରୁଥିବା ବେଳେ ଏପରି ଅଘଟଣ ଘଟିଛି ।
ଖୁଣ୍ଟୁଣି ଅଞ୍ଚଳରୁ ଏମାନଙ୍କ ସମେତ କିଛି ଶ୍ରମିକ ମହୁଲପଡା ଗାଁ ନିକଟରେ ଥିବା ବେଆଇନ ପଥର ଖଣିରେ କାମ କରୁଥିଲେ । ଅପରାହ୍ନରେ ବର୍ଷା ପବନ ଆସିବାରୁ ନିକଟରେ ଥିବା ଏକ ଗଛ ମୂଳକୁ ଚାଲି ଆସିଥିଲେ। ଗଛମୂଳେ ବସିଥିବା ବେଳେ ବଜ୍ରପାତ ଘଟିବାରୁ ଦୁଇ ଭାଇ ସେହିଠାରେ ଟଳି ପଡିଥିଲେ । ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । ଗ୍ରାମବାସୀ ଓ ଅନ୍ୟ ଶ୍ରମିକମାନେ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଦୁଇ ଭାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଆହତ ଅତି ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୨ ଭାଇଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପଥର ଖଣିରେ କାମ କରୁଥିବା ପରିବାର ଲୋକେ କହିଥିବା ବେଳେ ପୁଲିସ ପଥର ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ବିଲରେ କାମ କରୁଥିବା କହିଛି ।