ଶଗଡ଼ଘାଟ, ୧୮/୧୦ : ରେଳ ଜଙ୍କସନରୁ ୨ କୋଟି ଟଙ୍କା ଜବତ। ଟିଟିଲାଗଡ଼ ରେଳ ଜଙ୍କସନରୁ ଶୁକ୍ରବାର ରାତିରେ ୨ ଜଣ ବ୍ୟକ୍ତିଙ୍କ ଠାରୁ ଆରପିଏଫ୍ ୨ କୋଟି ଟଙ୍କା ଜବତ କରିଛି। ଏତେ ଟଙ୍କା କୁଆଡ଼େ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଟଙ୍କା ନେଇ ଯାଉଥିବା ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। 

ସୂଚନାନୁଯାୟୀ, ଶୁକ୍ରବାର ୨ ଜଣ ବ୍ୟକ୍ତି ଟାଟା-ଏଲଏପି ଏକ୍ସପ୍ରେସରେ କେସିଙ୍ଗା ଷ୍ଟେସନରୁ ବସିଥିଲେ। ଏମାନଙ୍କ ହାତରେ ବ୍ଲାକ ରଙ୍ଗର ଏକ ସୁଟକେଶ ଦେଖି ଆରପିଏଫ ପୁଲିସକୁ ସନ୍ଦେହ ହୋଇଥିଲା। ଅଧିକ ପଚରାଉଚରା କରିବାରୁ ଏଥିରେ ଟଙ୍କା ଅଛି କିନ୍ତୁ କେତେ ଟଙ୍କା ଅଛି ଆମ୍ଭେ କିଛି ଜାଣିନାହୁଁ ବୋଲି କହିଥିଲେ। ସୁଟକେଶ୍‌ଟିକୁ ଯାଞ୍ଚ କରିବାରୁ ଏଥିରୁ ପୁଳା ପୁଳା ଟଙ୍କା ବାହାରିଥିଲା। ସବୁ ଟଙ୍କା ତକ ଏକାଠି କରି ଗଣତି କରିବାରୁ ୨ କୋଟି ଟଙ୍କା ହୋଇଥିଲା। ଏହାପରେ ଆରପିଏଫ୍ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖିଛି। 

ପ୍ରକାଶ ଥାଉକି, ଜବତ ହୋଇଥିବା ଟଙ୍କା କେସିଙ୍ଗା ମଦ ଭାଟିରୁ ରାଞ୍ଚି ଲାଳପୁର ଛକକୁ ଯାଉଥିଲା।  ​​​​​ଆଗକୁ ବିହାର ନିର୍ବାଚନ ଥିବାରୁ ଏହି ଟଙ୍କା ବିହାର  ଯାଉଥିବା ଚର୍ଚ୍ଚା ହେଉଛି। ସେପଟେ ଗୁରୁବାର ଦିନ ଷ୍ଟେସନରୁ ଆରପିଏଫ୍ ୨୦ ଲକ୍ଷ ଟଙ୍କା ଧରିଥିଲା। ଏବେ ପୁଣି ୨ କୋଟି ଟଙ୍କା ଜବତ ହୋଇଛି।