ଢେଙ୍କାନାଳ,୧୬/୧୧: ଢେଙ୍କାନାଳ ସଦର ଥାନା ଢେଙ୍କାନାଳ କାମାକ୍ଷାନଗର ରାସ୍ତାର କମଗରା ବ୍ରିଜ୍ ଉପରେ ସୋମବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ବାଇକ୍ ମଧ୍ୟରେ ଧକ୍କା ହୋଇ ଘଟଣା ସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକ ଦ୍ଵୟ କେଉଟବେରେଣୀ ଗାଁର ବିଶ୍ଵ ପ୍ରସାଦ ବରାଳ(୨୧) ଓ ଗାଙ୍ଗୁଲି ବରାଳ । ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ରବିବାର ଅପରାହ୍ନରେ ଆଛନ୍ଦ ଗାଁର ମନୁଆ ମଲ୍ଲିକ ଏକ ସ୍କୁଟିରେ ତାଙ୍କ ମା’, ନାନୀ ଓ ଭଣଜାଙ୍କୁ ନେଇ ଗାଁକୁ ଫେରୁଥିଲେ । କାମାକ୍ଷନଗର ପାର୍ଶ୍ବରୁ ଏକ ବାଇକ୍ରେ ଯାଉଥିବା କେଉଟବେରେଣୀ ଗାଁର ୨ ଯୁବକଙ୍କ ସହ ଧକ୍କା ହୋଇଥିଲା। ସମସ୍ତେ ବ୍ରିଜ ଉପରେ ଛିଟିକି ପଡିଥିଲେ। ବାଇକ୍ ଦୃତ ଗତିରେ ଥିବାରୁ ଦୁଇ ଯୁବକଙ୍କ ମୁଣ୍ଡ ମାଡ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣା ସ୍ଥଳରେ ଉଭୟ ମୃତ୍ୟୁ ଘଟିଥିଲା । ସ୍କୁଟିରେ ଫେରୁଥିବା ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ କଟକ ପଠାଯାଇଥିବା ଜଣାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।