ଢେଙ୍କାନାଳ/ଓଡ଼ାପଡ଼ା,୨୭ା୩(ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କମଳାଙ୍ଗ ପଞ୍ଚାୟତ ବରସାହିରେ ଝାଡ଼ାବାନ୍ତି ବ୍ୟାପିଛି । ଝାଡ଼ାବାନ୍ତିରେ ଗ୍ରାମର ୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଯାଇଛି । ଖବରପାଇ ମେଡିକାଲ୍ ଟିମ୍ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କର ଚିକିତ୍ସା ଚଳାଇଛି । ବରସାହିରେ ଗତ ୩ ଦିନ ହେଲା ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତ ମଧ୍ୟରୁ ଅନନ୍ତ ନାୟକ(୫୧)ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତ୍ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ରଜନୀ ପେଣ୍ଠୋଇ (୬୪) ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଏବେ ଗ୍ରାମର ଅମରି ଦାସ ଓ ଅନନ୍ତ ନାଏକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଅନ୍ୟ ଗ୍ରାମବାସୀ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି । କମଳାଙ୍ଗ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ଗ୍ରାମରେ ଝାଡାବାନ୍ତି ବ୍ୟାପିବା ନେଇ ଓଡ଼ାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ । ଗୁରୁବାର ଏକ ଏକ ଡାକ୍ତରୀ ଦଳ ବରସାହିରେ ପହଞ୍ଚି ଆକ୍ରାନ୍ତମାନଙ୍କୁ ଆବଶ୍ୟକ ଔଷଧ, ଓଆର୍ଏସ୍ ପାଉଡ଼ର ଦେଇଛନ୍ତି । ଗ୍ରାମର ସମିତିସଭ୍ୟ ସୁମନ୍ତ ଖିଲାର ଉପସ୍ଥ ିତ ରହି ଡାକ୍ତରୀ ଦଳକୁ ସାହାଯ୍ୟ କରିଥିଲେ । ୨ ମାସ ତଳେ ମଧ୍ୟ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିଲା । କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ତାର ଅନୁଧ୍ୟାନ କରାଯିବ ବୋଲି ଡାକ୍ତରୀ ଟିମ୍ ପ୍ରକାଶ କରିଛନ୍ତି । ତେବେ ଗ୍ରାମରେ ଅଧିକ ଡାକ୍ତରୀ ଦଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । କମଳାଙ୍ଗ ବରସାହିରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି ।
ଗ୍ରାମରେ ପାନୀୟ ଜଳ ଉତ୍ସ ନଥିବାରୁ ଖରା ହେଉ କି ବର୍ଷା ସବୁଦିନେ ଗ୍ରାମବାସୀ ଗ୍ରାମ ନିକଟ ଦେଇ ବୋହି ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରିଥାନ୍ତି । ବ୍ରାହ୍ମଣୀ ନଦୀ କୂଳରେ ଚୂଆ ଖୋଳି ସେହି ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରିଥାନ୍ତି । ବିଶେଷ କରି ଗ୍ରାମର ମହିଳାମାନେ ପାଣି ସଂଗ୍ରହ ପାଇଁ ଦହଗଞ୍ଜ ହୋଇଥାନ୍ତି । ଗରା, ବାଲ୍ଟି ଧରି ଦୀର୍ଘ ୪ କିଲୋମିଟର ଦୂରରୁ ଚାଲି ଚାଲି ଯାଇ ପାଣି ସଂଗ୍ରହ କରୁଛନ୍ତି । ନଦୀ ପାଣି ବ୍ୟବହାର ଦ୍ୱାରା ଝାଡାବାନ୍ତି ବ୍ୟାପୁଥିବା ଲୋକେ ଆଶଙ୍କା କରିଛନ୍ତି । ଏ ସଂପର୍କରେ ସରପଞ୍ଚ ଶ୍ରୀ ବେହେରା କୁହନ୍ତି, ବରସାହି ଗ୍ରାମରେ ପାନୀୟ ଜଳ ଅସୁବିଧା ରହିଛି । ସେମାନେ ଏକ ଖୋଲାକୂଅରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ଆଉ କିଛିଲୋକ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଚୂଆ ଖୋଳି ପାଣି ଆଣି ଶୋଷ ମେଣ୍ଟାଉଛନ୍ତି । ଦୂଷିତ ପାଣି ପିଇ ଏପରି ହୋଇଥିବା ଅନୁମାନ କରାଯାଉଥିବା ସରପଞ୍ଚ ଶ୍ରୀ ବେହେରା କହିଛନ୍ତି ।