ଯାଜପୁର, ୨୪।୪: ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ରାଧାଦେଇପୁର ଗ୍ରାମର ସନ୍ତୋଷ କୁମାର ନାୟକ । ସ୍ଥାନୀୟ ଅଞ୍ଚଳରେ ଜଣେ ସମାଜସେବୀ ଭାବରେ ଖୁବ ଜଣାଶୁଣା । କିଛି ଦିନ ତଳେ ସନ୍ତୋଷ ନିଜ ଘରେ ବସିଥିବା ସମୟରେ ତାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ୭ଲକ୍ଷ ୫୦ହଜାର ଟଙ୍କା ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା । ଏତେ ଟଙ୍କା ଆସିଥିବା ଦେଖି ସନ୍ତୋଷ ତୁରନ୍ତ ବଡ଼ଚଣା ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ଏଥିସହ ସନ୍ତୋଷ ତୁରନ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ।
ଏହା ବି ପଢ଼ନ୍ତୁ... ରାୟଗଡ଼ାରେ ବଡ଼ ଧରଣର ଲୁଟ୍, ବ୍ୟବସାୟୀଙ୍କ ଘରୁ ୮ ଭରି ସୁନା ସହ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ତେବେ ବିହାର ନିବାସୀ ସୁନୀଲ କୁମାରଙ୍କ ଆକାଉଣ୍ଟରୁ ଏହି ଟଙ୍କା ଆସିଥିବା ବେଳେ ମୋବାଇଲ ନମ୍ବର ସଂଗ୍ରହ କରି ତାଙ୍କ ସହ ଯୋଗାଯୋଗ କରିଥିଲେ । ସୁନୀଲ ସିଲିଗୁଡ଼ି ଫୌଜ୍ରେ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଏତେ ଗୁଡ଼ିଏ ଟଙ୍କା ଭୁଲ୍ରେ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥିବାରୁ ସେ ମଧ୍ୟ ଚିନ୍ତାରେ ଥିଲେ । ଉଭୟଙ୍କ ମଧ୍ୟରେ ଟେଲିଫୋନରେ ଯୋଗାଯୋଗ ହେବା ପରେ ସୁନୀଲ କୁମାର ବଡ଼ଚଣାରେ ପହଁଞ୍ଚିଥିଲେ । ବଡ଼ଚଣା ଥାନାରେ ସନ୍ତୋଷ ଓ ସୁନୀଲଙ୍କ ମଧ୍ୟରେ ଦେଖା ସାକ୍ଷାତ୍ ହେବା ସହ ପୁଲିସ ଉପସ୍ଥିତିରେ ଉକ୍ତ ଟଙ୍କାକୁ ଫେରସ୍ତ କରିଥିଲେ । ଏଥିପାଇଁ ସୁନୀଲ କୁମାର ସନ୍ତୋଷଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ ।