ନୀଳଗିରି,୨୪/୧୨(ଆ.ପ୍ର):ମୃତ୍ୟ ଏମିତି ବି ଆସେ। ବାଲେଶ୍ଵର ଜିଲ୍ଲା ଶେରଗଡ଼ - ଝରଣାଘାଟି ୧୯ନମ୍ବର ରାଜ୍ୟ ରାଜପଥ ସିମୁଳିଆ ଛକ ନିକଟରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ପୁଅ ଆଗରେ ବାପା ଆଖିବୁଜି ଦେଇଥିବା ବେଳେ ନାବାଳକ ଜଣକ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ଜଣାପଡିଛି।ସେହିପରି ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ଘଟିଛି।

 ସୂଚନାଯୋଗ୍ୟ କାହାଳିଆ ଗ୍ରାମର ରମେଶ ପାତ୍ରଙ୍କ ପୁଅ ଚନ୍ଦ୍ରଶେଖର ପଞ୍ଚଲିଙ୍ଗେଶ୍ଵର କଲେଜରେ ଅଧ୍ୟୟନ କରୁଥିବା ବେଳେ ନୀଳଗିରି ଷ୍ଟାଡିୟମ ପଡ଼ିଆରେ କ୍ରିକେଟ ମ୍ୟାଚ୍ ଦେଖି ଘରକୁ ଖାଇବାକୁ ଆସିଥିଲେ। ପୁଣି ମ୍ୟାଚ ଦେଖିବା ପାଇଁ ଘରୁ ବାଇକରେ ଯାଇଥିଲେ।ସେହିପରି ରେମୁଣା ବ୍ଲକ ବଡୁଆ ଗଂଜ ଗ୍ରାମର ଅକ୍ଷୟ କୁମାର ଜେନା ନିଜ ୧୧ବର୍ଷର ପୁଅକୁ ବସାଇ ଘରକୁ ଫେରୁଥିବା ବେଳେ ସିମୁଳିଆ ଛକ ନିକଟରେ ଚନ୍ଦ୍ରଶେଖରଙ୍କ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା।ଉଭୟଙ୍କ ବାଇକର ବେଗ ଜୋରରେ ଥିବାରୁ ସମସ୍ତେ ପିଚୁ ରାସ୍ତାରେ କଚାଡି ପଡ଼ିଥିଲେ।ବାଇକ ଦୁଇଟି ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣା ସ୍ଥଳରେ ଅକ୍ଷୟଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ପୁଅ ଗୁରୁତର ଅବସ୍ଥାରେ ପ୍ରଥମେ ନିଳଗିରି ମେଡିକାଲ ପରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଚନ୍ଦ୍ରଶେଖରଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ନିଳଗିରି ଆଇଆଇସି ଗୋପାଳ କର୍ଣ୍ଣ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଦୁଇ ବାଇକକୁ ଜବତ କରିଛନ୍ତି।