​​​​​​​ଭୁବନେଶ୍ବର,୨୧।୧ : ​​ଜାତୀୟ ରାଜପଥ ନଂ-୧୬ର ଗଙ୍ଗପଡ଼ା ଟୋଲଗେଟ୍‌ ନିକଟରେ ବୁଧବାର ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ପିତାପଲ୍ଲୀ ଆଡ଼କୁ ଦ୍ରୁତଗତିରେ ଯାଉଥିବା ଏକ ଥାର୍‌ ଗାଡ଼ି ରାସ୍ତାକଡ଼ରେ ଅଟକିଥିବା ଟ୍ରେଲରକୁ ପଛପଟୁ ଖୁବ୍‌ ଜୋରରେ ଧକ୍କା ଦେଇଛି । ଫଳରେ ଦୁର୍ଘଟଣାରେ ଥାରର୍‌ରେ ଯାଉଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ, ମଦନପୁର କାଇମାଟିଆ ଅଞ୍ଚଳର ଜି-ନେକ୍ସଟ୍‌ ଆପାର୍ଟମେଣ୍ଟରେ ରହୁଥିବା ହର୍ଷ, ପୁରୁଣା ଭୁବନେଶ୍ୱରରେ ରହୁଥିବା ସୁଦୁ ଓ କରନ୍‌ । ଗତ ୨୪ ଘଣ୍ଟା ଭିତରେ ଥାର୍‌ ଗାଡ଼ିର ୩ଟି ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହେଲେଣି । ଗତକାଲି ରାତିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକରେ ଥାର୍‌ ଧକ୍‌କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ ।

ବୁ ସକାଳୁ ଏକ ଟ୍ରେଲର ବ୍ରେକ୍‌ ଡାଉନ୍‌ ହୋଇ ଗଙ୍ଗପଡ଼ାସ୍ଥିତ ପୁରୁଣା ଟୋଲଗେଟ୍‌ଠୁ ଶହେ ମିଟର ପଛରେ ଅଟକିଥିଲା । ସକାଳୁ ରାତି ଯାଏଁ ଏହି ବିଶାଳକାୟ ଟ୍ରେଲର ରାସ୍ତାକଡ଼ରେ ପଡ଼ି ରହିଥିଲା । ରାତି ପ୍ରାୟ ସାଢ଼େ ୯ଟା ହେବ । ଏକ ନାଲି ରଙ୍ଗର ଥାର୍‌ରେ ୪ଜଣ ସାଙ୍ଗ ଏକାଠି ଭୁବନେଶ୍ୱର ମଦନପୁରରୁ ପିତାପଲ୍ଲୀ ଅଭିମୁଖେ ଯାଉଥିଲେ । ଜୁପିଟର କଲେଜ ସାମ୍ନାରେ ଓଭରବ୍ରିଜ୍‌ରୁ ଥାର୍‌ ଗଡ଼ିବା ବେଳେ ବେଗ ଆହୁରି ବଢ଼ିଯାଇଥିଲା । ଚାଳକ ଜଣକ ହଠାତ୍‌ ଟ୍ରେଲରଟିକୁ ଠଉରାଇ ପାରିଲେନି । ଫଳରେ ଟ୍ରେଲର ପଛରେ ଥାର୍‌ଟି ଖୁବ୍‌ ଜୋର୍‌ରେ ପିଟି ହେଲା । ଦୁର୍ଘଟଣାଟି ଏତେ ଶକ୍ତ ଥିଲା ଯେ, ଥାର୍‌ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଥାର ସାମ୍ନା ସିଟ୍‌ରେ ବସିଥିବା ୨ଜଣ ସାଙ୍ଗ କାର ଭିତରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଗ୍ୟାସ୍ କଟର ଯୋଗେ ଥାର୍‌କୁ କଟାଯିବା ପରେ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ୨ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟଜଣେ ସାଙ୍ଗଙ୍କୁ ହସ୍ପିଟାଲ ନିଆଯିବା ବେଳେ ଅଧାବାଟରେ ତାଙ୍କ ମୃତ୍ୟୁ ଘଟିଛି । ଆଲେକ୍ସ ନାମକ ଅନ୍ୟ ଜଣେ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି ।

ପୁଲିସ ତନାଘନାରୁ ଜାଣିବାକୁ ପାଇଛି ଯେ ହର୍ଷ, ସୁଦୁ, କରନ୍‌ ଓ ଆଲେକ୍ସ ସବୁଦିନ ମଦନପୁର ଛକ ଏକ ଦୋକାନରେ ବସାଉଠା କରନ୍ତି । ସେମାନେ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ଖଟି କରିଥିଲେ । କରନଙ୍କୁ ପିତାପଲ୍ଲୀସ୍ଥିତ ଭଡ଼ାଘରକୁ ଛାଡ଼ିବାକୁ ସେମାନେ ଯାଉଥିଲେ । ସେଠାରେ କରନଙ୍କୁ ଛାଡି଼ ଉକ୍ତ ଥାରରେ ହର୍ଷ, ସୁଦୁ ଓ ଆଲେକ୍ସ ପୁଣି ଭୁବନେଶ୍ୱର ଫେରିଥାନ୍ତେ । କିନ୍ତୁ ଅଧାରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ସାଙ୍ଗଙ୍କ ଜୀବନ ଚାଲିଗଲା । ସେହିପରି ଗତକାଲି ବିଳମ୍ବିତ ରାତିରେ ଏଜି ଛକ ଆଡୁ ଏକ ଥାର୍‌(ଓଡି୩୩ଏଇ ୬୦୪୧) ଦ୍ରୁତଗତିରେ ଏୟାରପୋର୍ଟ ଆଡ଼କୁ ଯାଉଥିଲା । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ଆଡୁ ଏକ ବୁଲେଟ୍‌ରେ ୩ଜଣ ଯୁବକ ବସି ଶିଶୁଭବନ ଆଡ଼କୁ ଯାଉଥିଲେ । ହସ୍ପିଟାଲ ଟ୍ରାଫିକ୍‌ ଛକରେ ଥାର୍‌ଟି ସିଧା ବୁଲେଟ୍‌କୁ ପିଟିଥିଲା । ବୁଲେଟ୍‌ ଚାଳକ ରାଜା ପେଦିନୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । କ୍ୟାପିଟାଲ ଥାନା ପୁଲିସ ଏହି ମାମଲାରେ ସୁନ୍ଦରପଦା ଏକାମ୍ର ବିହାର ଅଞ୍ଚଳର ଥାର ଚାଳକ ଶୁଭମ୍‌ କୁମାର ଦାସଙ୍କୁ ଗିରଫ କରିଛି । ଆଜି ଭୋର୍‌ରୁ ଚନ୍ଦକା ଅଞ୍ଚଳରେ ଏକ ଥାର୍‌ ଅନ୍ୟ ଏକ କାର(ଓଡି୦୨ସିଏସ ୦୦୬୯)କୁ ପିଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ଏଥିରେ ୩ଜଣ ଆହତ ହୋଇଛନ୍ତି ।