ନୂଆଦିଲ୍ଲୀ,୨୯/୦୫: ପହଲଗାମ ଆକ୍ରମଣ ପରେ ସଶସ୍ତ୍ରବାହିନୀ ଆତଙ୍କବାଦ ବିରୋଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । କଶ୍ମୀରର ଶୋପିଆନରେ ସେନା, ଜାମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ଲସ୍କର-ଏ-ତୈବା ସହିତ ଜଡ଼ିତ ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏଥିସହ ସୋନଙ୍କ ଠାରୁ ଦୁଇଟି ଏକେ-୫୬ ରାଇଫଲ୍, ଚାରୋଟି ମାଗ୍ଜିନ୍, ଦୁଇଟି ହ୍ୟାଣ୍ଡ୍ ଗ୍ରେନେଡ୍ ଆଦି ଜବତ କରାଯାଇଛି । ସେପଟେ ଗିରଫ ଆତଙ୍କବାଦୀଙ୍କ ବିରୁଦ୍ଧରେ ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ପୋଲିସ କହିଛି ଯେ, ଶୋପିଆନ ଜିଲ୍ଲାର ବାସ୍କୁଚାନ ଇମାମ ସାହିବରେ ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୧୭୮ ବାଟାଲିୟନ ସିଆରପିଏଫ ସହିତ ସମନ୍ୱୟରେ ସିଏଏସଓ ଆରମ୍ଭ କରାଯାଇଥିଲା। ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲା ସେନା । ଏହି ସମୟରେ ନିକଟସ୍ଥ ଏକ ବଗିଚାରେ ଲୁଚି ଥିବା ଦୁଇ ଆତଙ୍କବାଦୀଙ୍କୁ ଅତି ଚତୁରତାର ସହ ଗିରଫ କରିଛି ସୁରକ୍ଷାବଳ । ଲସ୍କର-ଏ-ତୈବା ଦୁଇ ଆତଙ୍କୀ ହେଲେ ଇରଫାନ୍ ବଶିର ଏବଂ ଉଜୈର ସଲାମ । ପ୍ରକାଶ ଥାଉକି, ଏପ୍ରିଲ ୨୨ ତାରିଖରେ ଲସ୍କର-ଏ-ତୈବା ଆତଙ୍କବାଦୀମାନେ ପହଲଗାମରେ ୨୫ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ଘୋଡ଼ା ମାଲିକଙ୍କ ସମେତ ୨୬ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିଲେ । ଏହା ପରେ ସେନା, ପୋଲିସ ଏବଂ CRPF ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଆକ୍ରମଣାତ୍ମକ ଭାବରେ ତୀବ୍ର କରିଛନ୍ତି।