ମୋରଡା, ୧୨।୪ : ବିଷାକ୍ତ ଖାଦ୍ୟ ଖାଇ ୬୫ ଛାତ୍ରଛାତ୍ରୀ ଅସୁସ୍ଥ। ଗୁରୁତର ଛାତ୍ରଛାତ୍ରୀଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ।
ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ ୨୯୦ ଜଣ ଛାତ୍ରୀ ହଷ୍ଟେଲ ରହି ପାଠ ପଢୁଛନ୍ତି। ତେବେ ହଷ୍ଟେଲରେ ଛାତ୍ରଛାତ୍ରୀ ମାନଙ୍କୁ ସକାଳେ ୯ଟା ସମୟରେ ପଖାଳ ଓ ଆଳୁ ଖାଇବାକୁ ଦିଆଯାଇଥିଲା । ଖାଇବାର ସାରିବାର କିଛି ସମୟରେ ହଷ୍ଟେଲର ଜଣେ ପରେ ଜଣେ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଅବସ୍ଥା ଗୁରୁତର ହେବାରୁ ରାସଗୋବିନ୍ଦପୁର ମେଡିକାଲ କୁ ଅଟୋ ଯୋଗେ ଅଣାଯାଇଥିଲା । ପୁଣି ହଷ୍ଟେଲ ଥିବା ଆଉ କିଛି ପିଲା ଗୁରୁତର ହେବାରୁ ପରେ ଅନେକ ଛାତ୍ର ଛାତ୍ରୀ ଙ୍କୁ ମେଡିକାଲ କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି । ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଥାଇପାରେ ବୋଲି କହିଛନ୍ତି ଡାକ୍ତର ।