ଝରିଗାଁ , ୨୨।୭ (ଆ ପ୍ର) - ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ବରକି ଭଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବରକି ଭଟା ଗ୍ରାମର ଏକ ଅସ୍ଥାୟୀ କ୍ୟାମ୍ପରେ ରହି କାର୍ଯ୍ୟ କରୁଥିବା ବିହାର ରାଜ୍ୟର ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁଇ ଶ୍ରମିକ ସମ୍ପର୍କୀୟ ଦାଦା ପୁତୁରା ବୋଲି ଜଣା ପଡିଛି। ମୃତକ ମାନେ ହେଲେ ରାକେଶ ସାଦା (୧୮) ଓ ଶ୍ରୀୟା ସାଦା (୨୦) । ଖାଦ୍ୟରେ ବିଷ କ୍ରିୟା ଯୋଗୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
ବିହାର ରାଜ୍ୟ ସାରସା ଜିଲ୍ଲା ଅନ୍ତର୍ଗତ ତେଲବଦାଭର୍ଣ ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଝରିଗାଁ ବ୍ଲକର ୬ ଗୋଟି ପାନୀୟ ଜଳ ପ୍ରକଳ୍ପ ଓଭର ହେଡ ପାଣି ଟାଙ୍କି ନିର୍ମାଣ କରିବାକୁ ଗତ ୫୦ ଦିନ ହେଲା ଆସି ବରକିଭଟା ଏକ ଅସ୍ଥାୟୀ କ୍ୟାମ୍ପରେ ରହି କାର୍ଯ୍ୟ କରୁଥିଲେ। ସୋମବାର ରାତି ଭୋଜନ କରିବା ପରେ ସମସ୍ତେ ଶୋଇ ପଡ଼ିଥିଲେ। ତେବେ ରାତ୍ର ୧୧ଟା ସମୟରେ ହଠାତ୍ ରାକେଶ ସାଦା ଓ ଶ୍ରୀୟା ସାଦାଙ୍କ ବାନ୍ତି ସହ ପେଟ ବ୍ୟଥା ହୋଇଥିଲା। ଦୁହେଁ ଦାଦା ପୁତୁରା ଗୁରୁତର ଅସୁସ୍ଥ ହୋଇଯିବା ପରେ ସେମାନଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ପରେ ଦୁଇଟି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାବୁଗାଁ ନିକଟରେ ରାକେଶ ସାଦା ଅତ୍ୟଧିକ ଗୁରୁତର ପରେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ରାକେଶ ସାଦାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବଡି ନବରଙ୍ଗପୁର ଜିଲ୍ଲା ସରକାରୀ ଡାକ୍ତରଖାନା ରେ ଶ୍ରୀୟା ସାଦା ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଝରିଗାଁ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କେଉଁ କାରଣରୁ ଦୁଇ ଶ୍ରମିକ ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି।