ଭୁବନେଶ୍ୱର,୧୪/୦୬: ଭୁବନେଶ୍ୱର ମଞ୍ଚେଶ୍ଵର ଥାନା ଅଞ୍ଚଳରୁ ୨ଜଣ ନାବାଳିକା ଶିଶୁ ଶ୍ରମିକଙ୍କୁ ରୁଚିକା ସମାଜ ମଙ୍ଗଳ ସଂଗଠନର ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପ କର୍ମୀମାନେ ଉଦ୍ଧାର କରିଛନ୍ତି । ଶନିବାର ଇନ୍ଫୋସିଟି ଥାନାରେ ଏନେଇ ମାମଲା ରୁଜୁ କରାଯିବ ବୋଲି ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଣୁଧର ସେନାପତି କହିଛନ୍ତି।
ସୂଚନା ମୁତାବକ, ଦୁଇଜଣ ନାବାଳିକାଙ୍କୁ ଇନଫୋସିଟି ଅଞ୍ଚଳର ମନି ତ୍ରିଭୁବନ ଆପାର୍ଟମେଣ୍ଟରେ ରହୁଥିବା ଏକ ଦମ୍ପତି ଘରୋଇ ଚାକରାଣୀ ଭାବେ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରୁ ବଡ଼ ଝିଅର ବୟସ ୧୩ ବର୍ଷ ହୋଇଥିବା ବେଳେ ସାନ ଝିଅଟିର ବୟସ ମାତ୍ର ୧୦ ବର୍ଷ । ଏହି ଦମ୍ପତି ବଡ ଝିଅଟିକୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରୁ ଚାଲାଣ କରିଥିଲା ବେଳେ ସାନ ଝିଅଟିକୁ ଯାଜପୁର ଜିଲ୍ଲାର ଜାରକା ଅଞ୍ଚଳରୁ ଚାଲାଣ କରି ଆଣି ନିଜ ଘର କାମରେ ନିଯୁକ୍ତି ଦେଇଥିଲେ । ବଡ଼ ଝିଅଟିକୁ ଏହି ଦମ୍ପତି ମାସିକ ୫୦୦ ଟଙ୍କା ପାରିଶ୍ରମିକ ଦେଉଥିବା ବେଳେ ସାନ ଝିଅକୁ ମାସିକ ୧୦୦୦ ଟଙ୍କା ଦେଉଥିଲେ । କାମରେ ଟିକିଏ ଅବହେଳା ହେଲେ ସ୍ୱାମୀ-ସ୍ତ୍ରୀ ଏହି ଝିଅ ମାନଙ୍କୁ ନିସ୍ତୁକ ପିଟିଥିଲେ ବୋଲି ନାବାଳିକା ଝିଅମାନେ କହିଛନ୍ତି । ତାଙ୍କ ଦେହରେ ଥିବା ମାଡ ଚିହ୍ନକୁ ଦେଖାଇଛନ୍ତି। ସେମାନଙ୍କ ଅକଥନୀୟ ଅତ୍ୟାଚାର ସହି ନପାରି ଶୁକ୍ରବାର ଦୁଇ ନାବାଳିକା ଝିଅ ସୁଯୋଗ ଦେଖି ତାଙ୍କ ଘରୁ ଖସି ଆସିଥିଲେ। ବିଳମ୍ବିତ ରାତିରେ ସେମାନଙ୍କୁ ଏକୁଟିଆ ପଳାଶୁଣୀ ଓଭର ବ୍ରିଜ ଉପରେ ଚାଲି ଚାଲି ଯାଉଥିବାର ଦେଖି ବାଟରେ ଯାଉଥିବା କିଛି ଲୋକ ରୁଚିକା କର୍ମକର୍ତ୍ତା ଓ ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରି ମଞ୍ଚେଶ୍ୱର ଥାନାରେ ପହଞ୍ଚାଇଥିବାବେଳେ, ରୁଚିକା ଟିମ୍ ପିଲାମାନଙ୍କୁ ସେଠାରୁ ଆଣି ଭୁବନେଶ୍ୱର ଅତିରିକ୍ତ ଶିଶୁ ମଙ୍ଗଳ ସମିତିରେ ଉପସ୍ଥିତ କରାଇଛନ୍ତି । ଶନିବାର ଇନ୍ଫୋସିଟି ଥାନାରେ ଏନେଇ ମାମଲା ରୁଜୁ କରାଯିବ ବୋଲି ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଣୁଧର ସେନାପତି କହିଛନ୍ତି।