- ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ୧୧ ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି
- ୨୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ ମଞ୍ଜୁରି
- ଡିଜିଟାଲ ଦକ୍ଷତା ବିକାଶ ଲାଗି ଏନଆଇଇଏଲଆଇଟି ରାଜ୍ୟରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ ୩୫ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି
- ଓଡ଼ିଶାର ଇଣ୍ଟରନେଟ୍ ଉପଭୋକ୍ତାଙ୍କ ସଂଖ୍ୟା ମାର୍ଚ୍ଚ ୨୦୧୪ରେ ୨୭.୯ ଲକ୍ଷ ଥିବା ବେଳେ ସେପ୍ଟେମ୍ବର ୨୦୨୫ରେ ୨.୮ କୋଟିରେ ପହଞ୍ଚିଛି
ନୂଆଦିଲ୍ଲୀ,୧୨/୧୨: ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ୪ ହଜାର ୯ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି। ଏହି କାରଖାନାରୁ ଉତ୍ପାଦିତ ଚିପ୍ ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍, ପ୍ରତିରକ୍ଷା, ୱେରଲେସ୍ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ବ୍ୟବହୃତ ହେବ। ଏହାଛଡ଼ା ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କ୍ଲଷ୍ଟର ୧୫୩୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହିତ ୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏବେ ସୁଦ୍ଧା ୩୯୮ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ ୫୭୨ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଡିଜିଟାଲ ଦକ୍ଷତା ବିକାଶ ଲାଗି ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରତିଷ୍ଠାନ (ଏନଆଇଇଏଲଆଇଟି) ଓଡ଼ିଶାରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ ୩୫ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। ଏସବୁ କେନ୍ଦ୍ର କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ। ବର୍ତ୍ତମାନସୁଦ୍ଧା ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରାୟ ୨୫ ହଜାର ପ୍ରାର୍ଥୀ ତାଲିମ ଗ୍ରହଣ କରିଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରସ୍ତୁତ ଭାରତ , ୧୧ ହଜାର କୋଟି ଟଙ୍କାର ବଜେଟ୍କୁ କ୍ୟାବିନେଟ୍ରେ ଅନୁମୋଦନ
ଓଡ଼ିଶାରେ ଉଦ୍ୟୋଗ ବିକାଶ ଲାଗି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଦ୍ୱାରା ଇଲେକ୍ଟ୍ରୋପ୍ରନର୍ ପାର୍କ ସ୍ଥାପନ କରାଯାଇଛି। ଟ୍ରିପଲ୍ ଆଇଟି ଭୁବନେଶ୍ୱର ଏବଂ ଇଣ୍ଡିଆନ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମି କଣ୍ଡକ୍ଟର ଆସୋସିଏସନ ସହଭାଗିତାରେ ଏହାକୁ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବା। ବର୍ତ୍ତମାନ ସୁଦ୍ଧା ଏଥିରେ ୩୭ଟି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି। ସେହିପରି ଓଡ଼ିଶା ସରକାର, ବିପିୟୁଟି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ଉଦ୍ୟମିତା ପାଇଁ ଇଏମ୍ ଟେକ୍ ସେଣ୍ଟର୍ ସ୍ଥାପନ ବିକଶିତ କରାଯାଇଛି। ଏହା ଅଧୀନରେ ୨୯ଟି ଷ୍ଟାର୍ଟଅପ୍ ସାମିଲ୍ ହୋଇଛନ୍ତି। ଏହାବ୍ୟତୀତ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭର୍ଚୁଆଲ ଏବଂ ଏକ୍ସଟେଣ୍ଡେଡ୍ ରିୟଲିଟି ଉଦ୍ୟମିତା କେନ୍ଦ୍ର ସ୍ଥାପନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା। ଏବେ ସୁଦ୍ଧା ଏଥିରେ ୨୫ଟି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି।
ପ୍ରମେୟର ଏକ ଗୁରୁତ୍ବପୂର୍ଣ୍ଣ ଖବର: ରେଳଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା; ୨୦୨୪-୨୫ରେ ରେଳ ଦୁର୍ଘଟଣା ରେକର୍ଡ ସଂଖ୍ୟକ ହ୍ରାସ
ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ଦୂରସଞ୍ଚାର ସଂଯୋଗ ଉଲ୍ଲେଖନୀୟ ଭାବେ ବିସ୍ତାରିତ ହୋଇଛି । ମାର୍ଚ୍ଚ ୨୦୧୪ ବେଳକୁ ରାଜ୍ୟରେ ୧୬,୪୧୬ଟି ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ) ଥିବା ବେଳେ ୨୦୨୫ ନଭେମ୍ବର ସୁଦ୍ଧା ଏହା ୧,୦୩,୭୪୦କୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୧୪ରେ ଓଡ଼ିଶାର ଇଣ୍ଟରନେଟ୍ ଉପଭୋକ୍ତାଙ୍କ ସଂଖ୍ୟା ୨୭.୯ ଲକ୍ଷ ଥିବା ବେଳେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଏମାନଙ୍କ ସଂଖ୍ୟା ୨.୮ କୋଟିରେ ପହଞ୍ଚିଛି। ଏହାବ୍ୟତୀତ ୪,୯୬୫ଟି ଗାଁକୁ ପ୍ରସାରିତ ୩,୩୮୯ଟି ଅତରିକ୍ତ ଫୋର୍ ଜି ସାଇଟ୍ କୁ ସରକାର କାର୍ଯ୍ୟକ୍ଷମ କରିଛନ୍ତି। ଭାରତ ନେଟ୍ କାର୍ଯ୍ୟକ୍ରମ ଅଧୀନରେ ୬,୭୮୫ ଗାଁକୁ ଦୂରସଞ୍ଚାର ଓ ଇଣ୍ଟରନେଟ୍ ସେବା ପହଞ୍ଚିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: କୋଭିଡରେ ପ୍ରାଣ ହରାଇଛନ୍ତି ୧୫୯୬ ଜଣ ଡାକ୍ତର,ମାତ୍ର ୪୭୫ ଜଣଙ୍କୁ ମିଳିଛି କ୍ଷତିପୂରଣ;ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଗୁରୁତ୍ୱ କ'ଣ?