ମୋହନା, ୧୫।୪ : ଭୁଶୁଡିଲା ସ୍କୁଲ ପାଚେରୀ। ପାଚେରୀ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ରା.ଉଦୟଗିରି ଥାନା ରୁବିଡିସିଂ ସ୍କୁଲରେ ଏଭଳି ଅଘଟଣ ଘଟିଛି। ମୃତ ଛାତ୍ରୀ ୨ ଜଣ ହେଲେ ଚତୁର୍ଥ ଶ୍ରେଣୀର ଇଡନ୍ତି ରଇତ ଓ ପଞ୍ଚମ ଶ୍ରେଣୀର ବେକିଲେସ ରଇତ l ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ନୂଆଗଡ ବ୍ଲକ ପ୍ରଶାସନ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।
ବୁଧବାର ସକାଳୁଆ ସ୍କୁଲ ଥିଲା । ପିଲାଙ୍କ ପାଠପଢା ପରେ ବିଦ୍ୟାଳୟ ଛୁଟି ହୋଇସାରିଥିଲା l ଏହାପରେ ସ୍କୁଲ ପରିସରରେ ପିଲାମାନେ ଖେଳୁଥିଲେ l ଚତୁର୍ଥ ଶ୍ରେଣୀ ଏହି ଦୁଇ ଛାତ୍ରୀ ମଧ୍ୟ ସାଙ୍ଗ ପିଲାଙ୍କ ସହ ଖେଳୁଥିଲେ । ଏହି ସମୟରେ ହଠାତ୍ ସ୍କୁଲ ପାଚେରୀଟି ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା l ଫଳରେ ପାଚେରୀ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ରା.ଉଦୟଗିରି ପୋଲିସ ଓ ନୂଆଗଡ଼ ବ୍ଲକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।