ଗାଜା, ୮/୧୦ : ହମାସ୍ର ଆକ୍ରମଣରୁ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧକୁ ଆଜି ୨ ବର୍ଷ ପୂରିଛି । ଇସ୍ରାଏଲର ଲଗାତର ବୋମାମାଡ଼ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଧ୍ୱଂସସ୍ତୁପରେ ପରିଣତ ହୋଇଛି ଗାଜା ପଟ୍ଟି । ଜାତିସଂଘର ଉପଗ୍ରହ ରିପୋର୍ଟ ମୁତାବକ, ଗାଜାରେ ୮୦% ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୯୦% ସ୍କୁଲ ଧ୍ୱଂସ ହୋଇଛି । ୯୮.୫% ଚାଷଜମି ଉଜୁଡି଼ ଯାଇଛି । ୬୫ ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି ।
୨୦୨୩ ଅକ୍ଟୋବର ୭ରେ ହମାସ୍ ଇସ୍ରାଏଲ୍ରେ ଅନୁପ୍ରବେଶ କରି ପ୍ରାୟ ୨୫୧ ଜଣଙ୍କୁ ପଣବନ୍ଦୀ ବନାଇଥିଲା । ଜବାବରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ତୁରନ୍ତ ଯୁଦ୍ଧ ଘୋଷଣା କରି ହମାସ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ଯୁଦ୍ଧର ଦୁଇବର୍ଷ ମଧ୍ୟରେ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୯୦% ବାସଚ୍ୟୁତ ହୋଇଛନ୍ତି । ଉତ୍ତର ଓ ଦକ୍ଷିଣ ଗାଜାରୁ ବିତାଡ଼ିତ ଲକ୍ଷ ଲକ୍ଷ ଲୋକ ପାଣି, ବିଜୁଳି ଓ ସ୍ୱାସ୍ଥ୍ୟସେବା ବିନା ତମ୍ବୁରେ ଜୀବନ କାଟୁଛନ୍ତି । ଜାତିସଂଘର ଏଜେନ୍ସିଗୁଡ଼ିକ ଅନୁସାରେ, ଗାଜାରେ ଏବେ ଅର୍ଦ୍ଧାଧିକ ଲୋକେ ଦୁର୍ଭିକ୍ଷ ଭଳି ସ୍ଥିତିର ସାମ୍ନା କରୁଛନ୍ତି । ଅଦ୍ୟାବଧି ଯୁଦ୍ଧରେ ୬୬,୧୫୮ ଜଣ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୮,୪୩୦ ପିଲା ରହିଛନ୍ତି । ସେହିପରି ୩୯,୩୮୪ ପିଲାଙ୍କୁ ତାଲିକାଭୁକ୍ତ କରାଯାଇଛି ଯାହାଙ୍କର ପିତା କିମ୍ବା ମାତାଙ୍କ ମଧ୍ୟରୁ କେହି ଜଣେ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ୧୭ ହଜାର ପିଲା ସେମାନଙ୍କର ପିତା-ମାତା ଉଭୟଙ୍କୁ ହରାଇଛନ୍ତି ।
ଉଦ୍ଧାରକାରୀ ଏଜେନ୍ସିଗୁଡ଼ିକ ଅନୁସାରେ ଗାଜା ଏବେ ଏକ ସହର ନୁହେଁ ବରଂ ଯୁଦ୍ଧରୁ ବର୍ତ୍ତିଯାଇଥିବା ଲୋକମାନଙ୍କର ଏକ କ୍ୟାମ୍ପ ପାଲଟିଛି । ବିଗତ ୨ ବର୍ଷ ହେଲା ଇସ୍ରାଏଲ୍ ପକ୍ଷରୁ ଲଗାତର ବୋମାମାଡ଼ କରାଯିବା ପରେ ଗାଜା ଏବେ ଧ୍ୱଂସାବଶେଷର ସହର ପାଲଟିଛି । କ୍ଷତିଗ୍ରସ୍ତ ହୋଇଥିବା ୮୦% ଅଟ୍ଟାଳିକା ମଧ୍ୟରୁ ଅର୍ଦ୍ଧାଧିକ ସଂପୂର୍ଣ୍ଣ ଭୁଶୁଡ଼ି ପଡି଼ଛି । ସେଥିଯୋଗୁ ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ସେହିପରି କ୍ଷତିଗ୍ରସ୍ତ ଅଟ୍ଟାଳିକାଗୁଡ଼ିକରେ ପ୍ରାୟ ୫୪ ନିୟୁତ ଟନ୍ରୁ ଅଧିକ ଧ୍ୱଂସାବଶେଷ ଜମା ହୋଇ ରହିଛି । ଏହାକୁ ସଫା କରିବାକୁ ଅତି କମ୍ରେ ୧୦ ବର୍ଷ ଓ ୧.୨ ଲକ୍ଷ କୋଟି ଖର୍ଚ୍ଚ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏବେ ଗାଜାର ୮୦% ଅଞ୍ଚଳ ଇସ୍ରାଏଲ୍ ସେନାର କବ୍ଚାରେ ରହିଛି । ସାଧାରଣ ଗାଜାବାସୀଙ୍କ ପାଇଁ ଗତିବିଧି ମାତ୍ର ୨୦ ପ୍ରତିଶତ ଅଞ୍ଚଳରେ ସୀମିତ । ସେହିପରି ଗାଜାରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଯୁଦ୍ଧଯୋଗୁ ପ୍ରଭୂତ କ୍ଷତି ହୋଇଛି । ଆକ୍ରମଣ ପୂର୍ବରୁ ଗାଜାରେ ୮୫୦ ସ୍କୁଲ ଥିଲା । ଏବେ ୯୦% ସ୍କୁଲ ନଷ୍ଟ ହୋଇଯାଇଛି । ୧୦ଟି ବିଶ୍ୱବିଦ୍ୟାଳୟର ୫୧ଟି ଅଟ୍ଟାଳିକା ମଧ୍ୟରୁ ଗୋଟିଏ ବି ଅଟ୍ଟାଳିକା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ । ଏଥିଯୋଗୁ ୩୦ ହଜାର କୋଟିର ଶିକ୍ଷା ଭିତ୍ତିଭୂମି ନଷ୍ଟ ହୋଇଛି ।
ଅନ୍ୟପଟେ ୨ ବର୍ଷ ପୂର୍ବରୁ ଗାଜାରେ ୩୬ଟି ହସ୍ପିଟାଲରେ ୩୪୧୨ଟି ଶଯ୍ୟା ରହିଥିଲା । ସେଥିମଧ୍ୟରୁ ୯୪% ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି ଏବଂ ଅଧା ବନ୍ଦ ହୋଇଯାଇଛି । ୧୯ଟି ହସ୍ପିଟାଲ ୩୩% ଶଯ୍ୟା ସହ ସୀମିତ ସେବା ପ୍ରଦାନ କରୁଛି । ଫଳରେ ୪୦ ହଜାର କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି । ଏକଦା ଉର୍ବର ଗାଜାର ଜମି ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁ ପଡି଼ଆ ପାଲଟିଛି । ୯୮.୫ ପ୍ରତିଶତ କ୍ଷେତ ଉଜୁଡ଼ି ଯାଇଛି । ପ୍ରାୟ ୧୫ହଜାର ହେକ୍ଟର ମଧ୍ୟରୁ କେବଳ ୨୩୨ ହେକ୍ଟର ଚାଷଜମି ଚାଷ ଉପଯୋଗୀ ହୋଇ ରହିଛି । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁସାରେ, ଗାଜାରେ ଯୁଦ୍ଧ ଯୋଗୁ ମାଟିରେ ବିସ୍ଫୋରକ ରସାୟନର ସ୍ତର ୩ ଗୁଣା ବଢ଼ିଯାଇଛି । ଏଭଳିକ୍ଷେତ୍ରରେ ମାଟିକୁ ପୁଣିଥରେ ଚାଷୋପଯୋଗୀ କରିବାକୁ ୨୫ ବର୍ଷ ସମୟ ଲାଗିବ । ଇତିମଧ୍ୟରେ ଗାଜା ଯୁଦ୍ଧକୁ ଶେଷ କରିବାକୁ ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଇଜିପ୍ଟରେ ଶାନ୍ତି ବାର୍ତ୍ତା ଆରମ୍ଭ ହୋଇଛି । ଏହି ବାର୍ତ୍ତା ଟ୍ରମ୍ପଙ୍କର ୨୦ ସୂତ୍ରୀ ଯୋଜନା ଉପରେ ଆଧାରିତ । ସେହି ଯୋଜନା ଅନୁସାରେ, ୨୦ ଇସ୍ରାଏଲ୍ ପଣବନ୍ଦୀଙ୍କ ବଦଳରେ ୧୯୫୦ ପାଲେଷ୍ଟିନୀୟ କଏଦୀଙ୍କ ମୁକ୍ତି ଏବଂ ଗାଜାରୁ ଧୀରେ ଧୀରେ ଇସ୍ରାଏଲ୍ର ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବ ରହିଛି ।