ଭୁବନେଶ୍ୱର,୨୪/୦୪: ରାଜ୍ୟରେ  ଗଠନ ହେବ ୨୦ ନୂଆ ବିଜ୍ଞାପିତ ଅଞ୍ଚଳ  ପରିଷଦ (ଏନ୍‌ଏସି) । ଏନ୍‌ଏସି ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଜିଲ୍ଲାରୁ ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ  ପଞ୍ଚାୟତିରାଜ ବିଭାଗକୁ ପଠାଇଛି ଗୃହ  ଓ ନଗର ଉନ୍ନୟନ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଲା ପରେ ଗଠନ ହେବ ନୂଆ ଏନ୍‌ଏସି । ଏ ସୂଚନା ଦେଇଛନ୍ତି ନଗର  ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର । 

ଡା. ମହାପାତ୍ରଙ୍କ ସୂଚନା ଅନୁସାରେ, ପୂର୍ବରୁ ନୂଆ ଏନଏସି ଗଠନ ପାଇଁ  ନିର୍ଦ୍ଧାରିତ ଫର୍ମ ପୂରଣ କରି ପଠାଇବାକୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲା ଗୃହ  ଓ ନଗର ଉନ୍ନୟନ ବିଭାଗ । ବର୍ତ୍ତମାନ  ସୁଦ୍ଧା ୨୦ ଏନଏସି ପାଇଁ ରିପୋର୍ଟ  ପହଞ୍ଚିଛି । ରାଜ୍ୟରେ ୧୭ ପ୍ରତିଶତ ସହରାଞ୍ଚଳ ରହିଛି । ଏହାକୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଯୋଜନା  କରିଛନ୍ତି ସରକାର । ସେହି ଅନୁସାରେ  ନୂଆ ଏନଏସି, ମ୍ୟୁନିସିପାଲିଟି ଗଠନ  ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି  ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ  ମହାପାତ୍ର କହିଛନ୍ତି । 

ସୂଚନାଯୋଗ୍ୟ, ଗତ ନିର୍ବାଚନ ପୂର୍ବରୁ ରାଜ୍ୟରେ ୫୭  ନୂଆ ଏନଏସି ଗଠନ ସହ ୬ ଏନଏସିକୁ ପୌରପାଳିକା (ମ୍ୟୁନିସିପାଲିଟି)କୁ ଉନ୍ନୀତ କରିବା ପାଇଁ ବିଜେଡି ସରକାର ଘୋଷଣା  କରିଥିଲା । ବିଜେପି ସରକାର ଆସିବା ପରେ ନୂଆ  ଏନଏସି ପାଇଁ ପ୍ରସ୍ତାବ ପଠାଇବାକୁ ଜିଲ୍ଲାପାଳମାନଙ୍କୁ  ବହୁବାର ଚିଠି ଲେଖିଥିଲା ନଗର ଉନ୍ନୟନ ବିଭାଗ ।  ଏବେ ସରକାର ଏ ଦିଗରେ ଆଉ ପାଦେ ଆଗକୁ  ଯାଇଛନ୍ତି । ସହରୀକରଣରେ ଓଡ଼ିଶା ଦେଶରେ ପଛୁଆ  ରାଜ୍ୟ ଭାବେ ରହିଛି । ଜାତୀୟସ୍ତରରେ ସହରୀକରଣ  ୩୬% ଥିବା ବେଳେ ଓଡ଼ିଶାରେ ମାତ୍ର ୧୭% ରହିଛି ।  ଏପରିକି ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ୨୫%  ସହରୀକରଣ ହୋଇଥିବା ବେଳେ ଛତିଶଗଡ଼ରେ  ୨୩%, ଗୁଜୁରାଟରେ ୪୨%, କେରଳରେ ୪୭% ଓ  ତେଲେଙ୍ଗାନାରେ ୪୮% ରହିଛି ।