ନୂଆଦିଲ୍ଲୀ,୧୬/୧୨ : ସାରା ଦେଶରେ ଶୀତଲହର ଜାରି ରହିଛି । ଉତ୍ତର-ପଶ୍ଚିମ ଏବଂ ମଧ୍ୟଭାଗରେ ଗତ ୨୪ ଘଣ୍ଟାରେ ତାପମାତ୍ରାରେ ବଡ଼ ହ୍ରାସ ଘଟିଛି । ପୂର୍ବ ଏବଂ ପଶ୍ଚିମ ଭାରତରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ରହିଛି । ଉତ୍ତରପ୍ରଦେଶରେ ୨୦ ବର୍ଷ ପରେ ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହରେ ଶୀତଲହର ଚାଲୁଛି । ସାଧାରଣତଃ ଏଠାରେ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଶୀତଲହର ଦେଖାଯାଇଥାଏ । ପ୍ରବଳ ଥଣ୍ଡା ସହି ନ ପାରି ଶନିବାର ଚିତ୍ରକୂଟରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ସର୍ବନିମ୍ନ ତାପପାତ୍ରା ୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ଭୋପାଳରେ ପାରଦ ୪ ଡିଗ୍ରୀକୁ ଖସିଯାଇଥିଲା । ରବିବାର ଦିଲ୍ଲୀରେ ତାପମାତ୍ରା ୪.୯ ଡିଗ୍ରୀକୁ ଖସିଛି ।
ରାଜସ୍ଥାନରେ ୧୧ ସହରରେ ଚଳିତ ଶୀତରେ ସବୁଠୁ କାମ୍ ତାପମାତ୍ରା ରେକର୍ଡ କରାଯାଇଛି । ରାଜସ୍ଥାନର ୧୫ ସହରରେ ଶନିବାର ତାପମାତ୍ରା ୪ ଡିଗ୍ରୀରୁ କମ୍ ରହିଥିଲା । ରବିବାର ଫତେପୁରରେ ତାପମାତ୍ରା ବିଯୁକ୍ତ ୧.୨ ଡିଗ୍ରୀ ରହିଥିଲା । ଶନିବାର ପଞ୍ଜାବର ପଠାନକୋଟରେ ତାପମାତ୍ରା ୨.୩ ଡିଗ୍ରୀ, ଗୁରଦାସପୁରରେ ୨.୮ ଡିଗ୍ରୀ ଏବଂ ବଠିଣ୍ଡାରେ ୩.୪ ଡିଗ୍ରୀ ରହିଥିଲା । ଫରିଦାବାଦରେ ତାପମାତ୍ରା ୧ ଡିଗ୍ରୀ ସେଲ୍ସିୟସକୁ ଖସିଥିଲା ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ରାଜ୍ୟଗୁଡ଼ିକରେ ୨ରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଜାରି ରହିବ । ଏହାକୁ ଦୃଷ୍ଟି ରଖି ବିହାର, ହରିଆଣା ସମେତ ୧୪ ରାଜ୍ୟରେ ଶୀତଲହର ପାଇଁ ଆଲର୍ଟ ଜାରି କରାଯାଇଛି । ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ସିଭିୟର କୋଲ୍ଡୱେଭ୍ ବା ଶୀତଲହର ଆଲର୍ଟ ଜାରି ହୋଇଛି । ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀରର ଅନେକ ଜିଲ୍ଲାରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ଅଛି। ଜୋଜିଲା ଜିଲ୍ଲାରେ ପାରଦ ବିଯୁକ୍ତ ୨୨ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ତାମିଲନାଡ଼ୁ, ପୁଡୁଚେରୀ, କେରଳ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।