ଭୁବନେଶ୍ୱର, ୯।୬(ବିଜୟ ମିଶ୍ର): ଏକାମ୍ର କଲେଜ ପରିସରରେ ମୁଣ୍ଡ ଟେକିଛି ଏକ ବିଶାଳ ବରଗଛ। ଡାଳପତ୍ର, ଓହଳ ଚାରିଆଡ଼କୁ ମେଲି ଯାଇଛି। ଅନେକ ପ୍ରଜାତିର ପକ୍ଷୀ ବସା ବାନ୍ଧିଛନ୍ତି । କୋରଡ଼ରେ ଗୁଣ୍ଡୁଚି ମୂଷା ମୁଣ୍ଡ କାଢ଼ିଛି। ଗଛ ଚେର, ଓହଳ ସନ୍ଧିରେ ନେଉଳ ପରିବାର ଘର କରିଛନ୍ତି । ଅସଂଖ୍ୟ ଝିଙ୍କାରି, ଝିଟିପିଟିଙ୍କ ରଡ଼ିରେ ଝିଁ ଝିଁ ଶବ୍ଦ ଏକ ଅପୂର୍ବ ଗୁଞ୍ଜରଣ ସୃଷ୍ଟି କରୁଛି । ଶତାଧିକ ବର୍ଷ ବୟସର ଏହି ବରଗଛଟି ଏକ ମିନି ଚିଡ଼ିଆଖାନା ପାଲଟିଛି ।
ବିଏମ୍ସି ୬୭ ନଂ ୱାର୍ଡ ଅନ୍ତର୍ଗତ ଏକାମ୍ର କଲେଜ ୧୯୭୮ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହାର ପରିସର ପ୍ରାୟ ୧୦ ଏକର ହେବ । କଲେଜ ନିର୍ମାଣ ପୂର୍ବରୁ ଏହି ସ୍ଥାନଟି ଗୋ ଚାରଣ ଭୂମି ଭାବେ ବ୍ୟବହୃତ ହେଉଥିଲା । ବୁଦୁବୁଦୁକିଆ ଜଙ୍ଗଲ ଭିତରେ ଶୋଭା ପାଉଥିଲା ଏହି ବିରାଟକାୟ ବରଗଛଟି । ଏହା ପ୍ରାୟ ୨୦୦ ଡେସିମିଲ ଜମିରେ ପରିବ୍ୟାପ୍ତ । ଉଚ୍ଚତା ପ୍ରାୟ ୧୪ ମିଟର ହେବ । ଗଣ୍ଡିର ପରିଧି ପ୍ରାୟ ୨୦ ଫୁଟ । ଏହାର ଚେର ପ୍ରାୟ ୧୦ ମିଟର ପରିଧିରେ ଚାରିପଟକୁ ମାଡ଼ିଥିଲା । ଚେର ତଳେ ସୃଷ୍ଟି ହୋଇଥିଲା ଅସଂଖ୍ୟ କୋରଡ଼ । ସେତେବେଳେ ଏହି ବରଗଛ ତଳେ ବିଲୁଆ, ହେଟାବାଘ ବି ରହୁଥିଲେ । ଗାଈଗୋରୁଙ୍କ ସହିତ ଠେକୁଆ ବି ଚରୁଥିଲେ ।
ଆହୁରି ପଢନ୍ତୁ- ମେଧାବୀ ମାନସଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ, ମା’ଙ୍କୁ ମିଳିବ ଭତ୍ତା ଓ ଆବାସ ଘର, ଆର୍ଥିକ ଅଭାବ ପାଇଁ ଚରାଉଥିଲେ ଛେଳି
କଲେଜ ପ୍ରତିଷ୍ଠା ପରେ ବଡ଼ଜନ୍ତୁ ଗୁଡ଼ିକ ଛାଡ଼ି ଚାଲିଗଲେ । ଯାହା ବି ଥିଲେ କଲେଜ କ୍ୟାମ୍ପସ ମାପଚୁପ ହୋଇ ପାଚେରି ହେବା ପରେ ଆଉ ଦେଖା ଯାଉନାହାନ୍ତି । ହେଲେ ଏବେ ବି ସେ ଚେର କୋରଡ଼ରେ ଅନେକ ନେଉଳ ବସା ବାନ୍ଧିଥିବା ଦେଖାଯାଇଛି । ପାଚିଲା ବରଫଳ ଖାଇବା ପାଇଁ ଏହି ଗଛରେ ନାନାଦି ପ୍ରଜାତିର ପକ୍ଷୀଙ୍କ ଭିଡ଼ । ଚିଲ, କଜଳପାତି, ବଣି, ଘୁକାଳିକା, ଶୁଆ, ରାମ କାଉ, କୁମ୍ଭାଟୁଆ ଭଳି ବିରଳ ପକ୍ଷୀଙ୍କର ଏହି ଗଛଟି ଅତି ପ୍ରିୟ । ଦିନ ତମାମ ଅନେକ ଗୁଣ୍ଡୁଚି ମୂଷା ଏଡାଳରୁ ସେ ଡାଳକୁ ଡେଇଁବାର ଦୃଶ୍ୟ ଅତି ଆମୋଦ ଦାୟକ । ରାତିରେ ପେଚାଙ୍କ ବିରଳ ରାବ ଏହି ଗଛ ଡାଳରୁ ଶୁଣିବାକୁ ମିଳେ । ଇତିମଧ୍ୟରେ ଏକାମ୍ର କଲେଜ ବିକାଶ ଘଟିଛି । ନୂଆ କଲେଜ ଘର, ଛାତ୍ରାବାସ, ପାର୍କିଂ ଆଦି ନିର୍ମାଣ ହୋଇଛି । କିନ୍ତୁ ଗଛଟିକୁ କେହି ହାତ ମାରିନାହାନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗଛଟି ସେମାନଙ୍କ ବାପା, ଅଜା ଦେଖି ଆସୁଛନ୍ତି । ସେଥିରୁ ଜଣାପଡ଼ୁଛି ଗଛଟିର ବୟସ ୨୦୦ ବର୍ଷରୁ ଉଦ୍ଧ୍ୱର୍ ହେବ । ରାଜଧାନୀ କାଳକ୍ରମେ ବରଗଛ ଶୂନ୍ର ହୋଇଯାଉଥିବା ବେଳେ ଏକାମ୍ର କଲେଜ ଭିତରେ ଥିବା ଏହି ଗଛଟି କେବଳ ଶିକ୍ଷାନୁଷ୍ଠାନର ଶୋଭାବର୍ଦ୍ଧନ କରୁନାହିଁ, ତା’ ସହିତ ସ୍ଥାନୀୟ ବନ୍ୟଜୀବଙ୍କ ଏକ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି।
କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଲକ୍ଷାଧିକ ଏରିଅର୍? ସାମ୍ନାକୁ ଆସିଲା ବଡ଼ ହିସାବ!