ନୂଆଦିଲ୍ଲୀ: ବିଦାୟ ନେଇଛି ବର୍ଷ ୨୦୨୪ । ୨୦୨୫କୁ ଲୋକେ ଖୁବ ଧୁମଧାମରେ ସ୍ବାଗତ ମଧ୍ୟ କରିଛନ୍ତି । କିନ୍ତୁ ବିତିଯାଇଥିବା ବର୍ଷ ୨୦୨୪ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ବୋଲି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ୧୯୦୧ ମସିହା ପରେ ଏଭଳି ତାପମାତ୍ରା କେବେ ଅନୁଭବ ହୋଇନଥିଲା । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ହାରାହାରି ୦.୯୦ ସେଲିସିୟସ ଅଧିକ ତାପାମାତ୍ରା ଭାରତରେ ଅନୁଭୁତ ହୋଇଛି । 

ସାମ୍ବାଦିକ ସମ୍ମିଳନୀରେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୦୨୪ରେ ଭୂପୃଷ୍ଠର ତାପମାତ୍ରା ହାରାହାରି ୦.୬୫ ଡିଗ୍ରି ଥିଲା । ଯାହା ବିଗତ ବର୍ଷମାନଙ୍କ ଠାରୁ ବହୁ ଅଧିକ । ଏହା ପୂର୍ବରୁ ୨୦୨୬ରେ ୦.୫୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା । ୟୁରୋପୀୟ ଜଳବାୟୁ ଏଜେନ୍ସି କପରନିକସ୍‌ ଅନୁସାରେ, ୨୦୨୪ ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ ।  ୨୦୨୪ରେ ତାମମାତ୍ରା ୧.୫ ଡିଗ୍ରି ସେଲସିୟସ୍‌ରୁ ଅଧିକ ବୃଦ୍ଧି ପାଇଥିଲା, ଯାହା ପ୍ରଥମ ଥର ଲାଗି ଶିଳ୍ପାୟନର ପୂର୍ବ ସ୍ତରକୁ ଟପିଯାଇଛି । 

ସେପଟେ ୨୦୨୩ ତୁଳନାରେ ୨୦୨୪ରେ ଅତିରିକ୍ତ ୪୧ ଉତ୍ତପ୍ତ ଦିନ ସାମିଲ ହୋଇଥିଲା ବୋଲି ଓ୍ବାର୍ଲଡ୍‌ ଓ୍ବେଦର ଆଟ୍ରିବ୍ୟୁସନ୍‌ ଏବଂ କ୍ଲାଇମେଟ୍‌ ସେଣ୍ଟ୍ରାଲ ମିଳିତ ରିପୋର୍ଟ ପ୍ରକାଶ କରିଛନ୍ତି । ଆଇଏମଡି ତଥ୍ୟ ଅନୁସାରେ, ଭାରତରେ କ୍ରମାଗତ ଭାବରେ ତାପାମତ୍ରା ବୃଦ୍ଧି ହେଉଛି ଏବଂ ପାଣିପାଗର ପ୍ୟାଟର୍ଣ୍ଣରେ ଅସମାନତା ଦେଖାଦେଉଛି । ଗତବର୍ଷ ଅଧିକରୁ ଅଧିକ ହିଟଓ୍ବେଭ ଅନୁଭୁତ ହୋଇଥିବା ବେଳେ ଅନିୟମିତ ବର୍ଷା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ସେପଟେ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବା ଲାଗି ତ୍ବରିତ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ବ ଦେଇଛି ଆଇଏମଡି । ଭାରତ ସମେତ ସମଗ୍ର ବିଶ୍ବର ସହଭାଗିତାରେ ତାପମାତ୍ରା କମ୍‌ କରିବା ଦିଗରେ କାର୍ଯ୍ୟ ହେବା ଦରକାର ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।