ଭୁବନେଶ୍ୱର,୦୧/୦୧: ୨୦୨୭ ବର୍ଷର ପ୍ରାରମ୍ଭରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ପ୍ରଥମ ପରୀକ୍ଷା ନୂଆପଡ଼ାରେ ମୋହନ ସରକାର ଓ ବିଜେପି ଟପ୍ପର ହୋଇ ସାରିଛି। ଏବେ ପ୍ରତି ପଞ୍ଚାୟତରେ ସଂଗଠନକୁ ବଳୁଆ କରିବାକୁ ହେବ । ଯୋଜନାବଦ୍ଧ ଭାବେ ବିରୋଧୀ ଦଳ ଗଡ ଭାଙ୍ଗିବାକୁ ହେବ । ରାଜ୍ୟସ୍ତରରେ ନୁହେଁ, ୨୦୨୬ରେ ଗାଁରୁ ସହର ଗରମ ହେବ ରାଜନୀତି । ପଞ୍ଚାୟତରୁ ପୌର ବର୍ଷତମାମ ଧାଇଁବେ ଆଶାୟୀ ।

ମନ୍ତ୍ରିମଣ୍ଡଳ, ନିଗମ, ବୋର୍ଡରେ ଦିଶିପାରନ୍ତି ନୂଆ ମୁହଁ

ମନ୍ତ୍ରିମଣ୍ଡଳ ଦେଖିପାରେ ନୂଆ ମୁହଁ । ନିଗମ, ବୋର୍ଡ ମଙ୍ଗ ଧରିବେ ଅନେକ ନୂଆ ନେତୃତ୍ୱ । ବାହାରିବେ ନୂଆ ବିଦ୍ରୋହୀ । ଜୋର ଧରିବ ଦଳ ଡିଆଁ । ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନର ନୂଆ ଗଣିତ ଓଡ଼ିଶା ରାଜନୀତି ହିସାବ ଓଲଟପାଲଟ କରିପାରେ । ଜନ୍ମ ନେଇପାରେ ନୂଆ ରାଜନୈତିକ ଦଳ । ଭାଙ୍ଗିବ ପୁରୁଣା ଗଡ଼, ଉଡ଼ିବ ନୂଆ ପତାକା । ରାଜ୍ୟ ପ୍ରଶାସନ ନି ନେବ ନୂଆ କଳେବର । ରୋଚକ ମୋଡ଼ ସହ ୨୦୨୬ କିଛି ବଡ଼ ରାଜନୈତିକ ଦୃଶ୍ୟପଟ୍ଟ ଦେଖାଇବ ।

ପ୍ରତିଶ୍ରୁତି ପୂରଣ, ଦକ୍ଷତା ପ୍ରଦର୍ଶନମୋହନ ସରକାରଙ୍କ ପାଇଁ ଆହ୍ୱାନ

୨୦୨୬ ବିଜେପି ଓ ମୋହନ ସରକାରଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ । ଆଉ ୨୪ ବର୍ଷର ଶାସନ କଥା କହି ପୂର୍ବ ସରକାରଙ୍କୁ ଦୋଷ ଦେଲେ ହେବନି । ୨୦୨୬ରେ ସରକାର ନିଜର ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳିବେ । ଏ ବର୍ଷ ସରିଲାବେଳକୁ ବିଜେପି ସରକାରଙ୍କ କାର୍ଯ୍ୟକାଳରଅଧା ଅବଧି ସରିଯିବ । ଆଉ ବିଳମ୍ବ ନ କରି ସଂଗଠନ ପାଇଁ କାମ କରିଥିବା ନେତାଙ୍କୁ ଶୀଘ୍ର ନିଗମ, ବୋର୍ଡରେ ଥଇଥାନ କରିବାକୁ ପଡ଼ିବ । ଆରମ୍ଭରୁ ଖାଲି ଥିବା ୬ଟି ମନ୍ତ୍ରୀ ପଦ ପୂରଣ କରିବା ଦିଗରେ କିଛି ବଡ଼ ନିଷ୍ପତ୍ତି ନେବାକୁ ହେବ । ସମସ୍ତ ମନ୍ତ୍ରୀଙ୍କ ଦକ୍ଷତା, ପ୍ରଦର୍ଶନକୁ ପରଖାଯିବ ଏ ବର୍ଷ । ଏ ବର୍ଷ ଓଡ଼ିଶାରେ ଏସଆଇଆର (ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ) ରାଜନୀତି ତେଜିପାରେ ।

ପ୍ରଶାସନିକ ସ୍ତରରେ ମୋହନ ସରକାରଙ୍କ ଆଗରେ ଅନେକ ଆହ୍ୱାନ । କହିଥିଲେ, ୨ ବର୍ଷରେ ୬୫ ହଜାର ଖାଲି ସରକାରୀ ପଦବୀ ପୂରଣ ସହ ୨୦୨୯ ସୁଦ୍ଧା ସାଢ଼େ ୩ ଲକ୍ଷ ନିଯୁକ୍ତି ଦେବେ । ୧୮ ମାସରେ ସରକାର ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ କରି ସାରିଛନ୍ତି । ବାକି ପ୍ରତିଶ୍ରୁତି ପୂରଣ କରିବାକୁ ମୋହନ ସରକାର ଜୋର୍ ଦେବେ । ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପ୍ରସ୍ତାବିତ ଉତ୍ତର ଓଡ଼ିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦକୁ ବାସ୍ତବ ରୂପ ଦେବାକୁ ହେବ । ମହାନଦୀ ବିବାଦ ସମାଧାନ କଲେ ମୋହନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ହେବ । ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗକୁ ୩୫୦୦ ଟଙ୍କା ଭତ୍ତା ଦେଇଛନ୍ତି ମୋହନ ସରକାର । ମାତ୍ର ସବୁ ଭତ୍ତାଧାରୀଙ୍କୁ ମାସିକ ୩ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ ପ୍ରତିଶ୍ରୁତି କେବେ ପୂରଣ ହେବ, ଲୋକେ ଅପେକ୍ଷା କରିଛନ୍ତି । ବିକଶିତ ଓଡ଼ିଶା ଭିଜନକୁ ଆଗେଇ ନେବାକୁ ହେବ । ଲୋକପ୍ରିୟତା ସାଉଁଟୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ବର୍ଷ କ’ଣ ନୂଆ କରିବେ, ତାହା ଉପରେ ସଭିଙ୍କ ନଜର ରହିବ । ବିଜେଡି ପାଇଁ ୨୦୨୬ ‘କର ବା ମର’ ବର୍ଷ । ଦଳ ଆଗକୁ ବଢ଼ିବ ନା ନୂଆପଡ଼ା ଭଳି ରାଜ୍ୟ ତମାମ ୩ ନମ୍ବରକୁ ଖସିଯିବ, ଏ ବର୍ଷର ପ୍ରଦର୍ଶନ ସ୍ଥିର କରିବ । ୨୦୨୫ ବର୍ଷ ତମାମ କନ୍ଦଳ, ବୟାନବାଜି, ଦଳ ଡିଆଁ, ଧୋକା, ପରାଜୟର ଗ୍ଳାନିରେ ବିଜେଡି ଢେର ଘାଣ୍ଟି ହେଲା ।

ଦଳୀୟ କନ୍ଦଳରେ ବ୍ରେକ୍ ଲଗାଇପାରିବେ କି ନବୀନ

ବିଜେଡିର ସୁପରମ୍ୟାନ ସଭାପତି ନବୀନ ପଟ୍ଟନାୟକ ଏହି ଧାରାରେ ବେକ୍ର ଲଗାଇପାରିଲେ, ଦଳ ସଂଗଠିତ ହେବ । ନଚେତ୍ ଯେଉଁଭଳି ବାଦବିବାଦ ଲାଗିଛି, କିଛି ବଡ଼ ବିସ୍ଫୋରଣ ହୋଇପାରେ । ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବଡ଼ ସଫଳତା ପାଇଥିଲା । ଏବେ ସ୍ଥିତି ଓଲଟା । ପୁରୁଣା ଗଡ଼ ବଞ୍ଚାଇବାକୁ ହେଲେ କଠିନ ସଂଘର୍ଷ ଓ ରଣନୀତି ଦରକାର । ଏଥିପାଇଁ ନବୀନଙ୍କୁ ସେଥିପାଇଁ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ । ଦେବାଶିଷ ସାମନ୍ତରାୟ, ଭୂପିନ୍ଦର ସିଂହ, ବଦ୍ରି ପାତ୍ର, ପ୍ରଭାତ ବିଶ୍ୱାଳ ଓ ମେଳି ବାନ୍ଧୁଥିବା ଯୁବ ନେତାମାନେ ଥମିବେ ନା କିଛି ବଡ଼ କରିବେ, ତାହା ୨୦୨୬ କହିବ ।
 

ଭକ୍ତ ଆଗକୁ ବଢ଼ିବେ ନା ତେଜିବ ଦିଲ୍ଲୀ ଚଲୋ ଅଭିଯାନ

କଂଗ୍ରେସ ପାଇଁ ସ୍ଥିତି ଏକଦମ ଆହ୍ୱାନଭରା । ଗୋଡ଼ଟଣା ରାଜନୀତିକୁ ପଛରେ ପକାଇ ରାଜ୍ୟବ୍ୟାପୀ ସାଂଗଠନିକ କାର୍ଯ୍ୟକ୍ରମକୁ ପିସିସି ସଭାପତି ଭକ୍ତ ଦାସ ଆଗେଇ ପାରିଲେ ଦଳ ଆଗକୁ ମାଡ଼ିବ । ନଚେତ ବିରୋଧୀ ଗୋଷ୍ଠୀ ଭକ୍ତ ହଟାଅ ଅଭିଯାନରେ ଦିଲ୍ଲୀ ପହଞ୍ଚିଯିବାକୁ ବେଶି ସମୟ ଲାଗିବନି । ଅନ୍ୟପଟେ ଏଆଇସିସି ଓଡ଼ିଶାକୁ କେତେ ଫୋକସ ଦେଉଛି, ତାହା ମଧ୍ୟ ଦେଖିବାର କଥା । ଏଥର ନୂଆ ରାଜନୈତିକ ଦଳ ଦେଖିବାକୁ ମିଳିପାରେ ଓଡ଼ିଶା । କଂଗ୍ରେସରୁ ବିଦା ହୋଇଥିବା ମହମ୍ମଦ ମୋକିମ ଏଭଳି କିଛି ଚର୍ଚ୍ଚାକୁ ନୂଆ ରୂପ ଦେବେ କି ନାହିଁ, ତାହା ୨୦୨୬ ଆରମ୍ଭରେ ହିଁ ସ୍ପଷ୍ଟ ହେବା ଅନୁମାନ କରାଯାଉଛି । ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ଖାରବେଳ ସ୍ୱାଇଁଙ୍କ ଭଳି କିଛି ନେତା ଏ ବର୍ଷ କେଉଁ ଆଡ଼େ ଗତି କରିବେ, ତାହା ଉପରେ ନଜର ରହିଛି ।