ନୂଆଦିଲ୍ଲୀ,୦୭/୧୨: ଭାରତରେ ସବୁବର୍ଗର ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ହୋଇଆସିଛି। କିନ୍ତୁ ମଧ୍ୟବିତ୍ତଙ୍କ କ୍ଷେତ୍ରରେ ଏହା କେତେ ଆହ୍ବାନପୂର୍ଣ୍ଣ, ତାହା ୨୦୨୫ ର ଏକ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନରୁ ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ଶିକ୍ଷୟିତ୍ରୀ ମୀନାଲ୍ ଗୋୟଲଙ୍କ ଏକ ଲିଙ୍କଡିନ୍ ପୋଷ୍ଟ ସାରା ଦେଶରେ ଶିକ୍ଷାର ବୃଦ୍ଧି ପାଉଥିବା ମୂଲ୍ୟ ବିଷୟରେ ଏକ ନୂଆ ବିତର୍କ ସୃଷ୍ଟି କରିଛି। ମୀନାଲ୍ ଗୋୟଲଙ୍କ ଲିଙ୍କଡିନ୍ ପୋଷ୍ଟ ଅନୁଯାୟୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷା ଦେବାର ଖର୍ଚ୍ଚ ଏବେ ପ୍ରାୟ ୨୨ ଲକ୍ଷରେ ପହଞ୍ଚିଛି।

ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଖର୍ଚ୍ଚର ଗଣିତ:

ମୀନାଲ ଗୋୟଲ ୨୦୨୫ ମସିହାର ତଥ୍ୟ ଉପରେ ଆଧାରିତ ଏକ ବିସ୍ତୃତ ଖର୍ଚ୍ଚ ରିପୋର୍ଟ ସେୟାର କରିଛନ୍ତି। ତାଙ୍କ ଅନୁସାରେ, ଗୋଟିଏ ଉଚ୍ଚକୋଟିର ସ୍କୁଲରେ ପଢ଼ିବାର ଖର୍ଚ୍ଚ କିଛି ଏହିପରି...

ପ୍ରାଥମିକ ବିଦ୍ୟାଳୟ ବା ପ୍ରାଇମେରୀ ସ୍କୁଲ: (ପ୍ରଥମ ରୁ ପଞ୍ଚମ ଶ୍ରେଣୀ): ୫ ଲକ୍ଷ ୭୫ ହଜାର

ମାଧ୍ୟମିକ ବିଦ୍ୟାଳୟ ବା ମିଡିଲ ସ୍କୁଲ: (ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ) : ୫ ଲକ୍ଷ ୯୦ ହଜାର

ଉଚ୍ଚ ବିଦ୍ୟାଳୟ ବା ହାଇସ୍କୁଲ: (ନବମ ରୁ ଦ୍ବାଦଶ ଶ୍ରେଣୀ) : ୯ ଲକ୍ଷ ୨ ହଜାର

ମୋଟ ଖର୍ଚ୍ଚ: ୨୦ ରୁ ୨୨ ଲକ୍ଷ ଟଙ୍କା

ମୀନାଲ ଗୋୟଲ ଲେଖିଛନ୍ତି, "ବହି, ୟୁନିଫର୍ମ, ଟ୍ୟୁସନ, ପରିବହନ, ଗ୍ୟାଜେଟ୍ ଏବଂ କୋଚିଂ ଠାରୁ ଆରମ୍ଭ କରି ସବୁକିଛି ମିଶାଇ ଏହି ସଂଖ୍ୟା ନିର୍ଣ୍ଣୟ କରାଯାଇଛି। ପ୍ରିମିୟମ୍ ସ୍କୁଲଗୁଡ଼ିକରେ, ଏହି ଖର୍ଚ୍ଚ ଦ୍ୱିଗୁଣିତ ହୋଇପାରେ। ୨୦୨୫ ମସିହାରେ ଭାରତରେ ସ୍କୁଲ ଶିକ୍ଷାର ପ୍ରକୃତ ଖର୍ଚ୍ଚ ପ୍ରକୃତରେ ଭୟଙ୍କର ଓ ଚିନ୍ତାଜନକ ଏକ ମଧ୍ୟବିତ୍ତ ପରିବାର ପାଇଁ। ପରିସ୍ଥିତି ଏତେ ଭୟଙ୍କର ଯେ ଅନେକ ଅଭିଭାବକ ଏବେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଅନିଚ୍ଛୁକ।"

ଆକାଶଛୁଆଁ ଫି ଏବଂ ନିୟମର ଅଭାବ:

ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ୨୦୨୪ ରିପୋର୍ଟ ଗୋୟଲଙ୍କ ଦାବିକୁ ନିଶ୍ଚିତ କରେ। ଗତ ଦଶନ୍ଧି ମଧ୍ୟରେ, ସହରାଞ୍ଚଳ ଘରୋଇ ସ୍କୁଲଗୁଡ଼ିକରେ ଫି ୧୬୯% ବୃଦ୍ଧି ପାଇଛି, ଯାହା ଦରମା ବୃଦ୍ଧି ଏବଂ ମୁଦ୍ରାସ୍ଫୀତିଠାରୁ ବହୁତ ଅଧିକ। ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ମହାନଗରଗୁଡ଼ିକରେ ସର୍ବାଧିକ ଫି ବୃଦ୍ଧି ଘଟିଛି। ଲୋକାଲ୍ ସର୍କଲ୍ସ ଦ୍ୱାରା ୨୦୨୫ ରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୮୧% ଅଭିଭାବକ ୧୦% କିମ୍ବା ତା'ଠାରୁ ଅଧିକ ଫି ବୃଦ୍ଧିର ସମ୍ମୁଖୀନ ହୋଇଥିବା ବେଳେ ୨୨% ଅଭିଭାବକ ୩୦% ରୁ ଅଧିକ ବୃଦ୍ଧି ଅନୁଭବ କରିଥିଲେ। ଯଦିଓ ଦିଲ୍ଲୀରେ ଫି ନିୟନ୍ତ୍ରଣ ନିୟମ ଅଛି, କିନ୍ତୁ ଅନେକ ସ୍କୁଲ ଅନ୍ୟାନ୍ୟ ଫି ନାଁରେ ଏହାକୁ ଉଲ୍ଲଂଘନ କରୁଛନ୍ତି।

ଋଣ ଛାୟା ତଳେ ଅଛି ଦେଶର ଭବିଷ୍ୟତ:

ଆଜି, ଭାରତୀୟ ପରିବାରଗୁଡ଼ିକ ବିକଶିତ ଦେଶମାନଙ୍କ ସହିତ ତୁଳନୀୟ ଫି ଦେଉଛନ୍ତି, କିନ୍ତୁ ଶିକ୍ଷାର ଗୁଣବତ୍ତାକୁ ନେଇ ପ୍ରଶ୍ନବାଚୀ ରହିଛି। ଗୋୟଲ ଜଣେ ଦମ୍ପତିଙ୍କ ଉଦାହରଣ ଦେଇ କହିଛନ୍ତି, କିଛି ଅଭିଭାବକ କଠୋର ହୃଦୟରେ ସେମାନଙ୍କ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ ଏହା ଶିକ୍ଷା ପ୍ରତି ବିଶ୍ୱାସର ଅଭାବ ଯୋଗୁଁ ନୁହେଁ, ବରଂ ସେମାନେ ଦେୟ ଦେବାକୁ ସକ୍ଷମ ନହେବାରୁ ଏପରି ଘଟିଛି। ଆଜିର ମଧ୍ୟବିତ୍ତ ଶ୍ରେଣୀ ସେମାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ପାଣ୍ଠି ଯୋଗାଇବା ପାଇଁ ଋଣ ନେଉଛନ୍ତି କିମ୍ବା ସେମାନଙ୍କର ମୌଳିକ ଆବଶ୍ୟକତାକୁ ହ୍ରାସ କରୁଛନ୍ତି।