• ୪,୫୧୦ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ
  • ମିଳିବ ୧୦ ହଜାର ନିଯୁକ୍ତି
  • ୧୧ ଜିଲ୍ଲାରେ ହେବ ଶିଳ୍ପ ପ୍ରକଳ୍ପ
  • କୋରାପୁଟରେ ହେବ ପ୍ଲାଏ ଉଡ କାରଖାନା
  • କଳାହାଣ୍ଡିରେ ହେବ କୃଷି-ପ୍ରକ୍ରିୟାକରଣ ୟୁନିଟ୍

ଭୁବନେଶ୍ବର, ୧୭।୩ : ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି (SLSWCA) ବୈଠକରେ ୨୩ ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୪,୫୧୦. ୬୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ୧୦ ହଜାରରୁ ଉର୍ଦ୍ଦ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ରାଜ୍ୟର ୧୧ଟି ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ବଲାଙ୍ଗିର, କଟକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ।ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି କାଠ-ଭିତ୍ତିକ ଶିଳ୍ପ, ରସାୟନ, ପୋଷାକ, ବୈଷୟିକ, ବୟନଶିଳ୍ପ, ଔଷଧ, ଚିକିତ୍ସା ଉପକରଣ, ଆଲୁମିନିୟମ ଡାଉନଷ୍ଟ୍ରିମ୍ ଶିଳ୍ପ, ବୈଦ୍ୟୁତିକ ଉପକରଣ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ରତ୍ନପଥର ଏବଂ ଅଳଙ୍କାର, ଭିତ୍ତିଭୂମି, ଆଇଟି ଏବଂ ପର୍ଯ୍ୟଟନ କ୍ଷେତ୍ର ।

ସେଞ୍ଚୁରୀ ପ୍ଲାଏବୋର୍ଡସ୍ (ଇଣ୍ଡିଆ) ଲିମିଟେଡ୍ କୋରାପୁଟରେ ୮୭୦.୮୨ କୋଟି ନିବେଶ କରି ଏକ ପ୍ଲାଏ ଉଡ କାରାଖାନା କରିବ। ଯାହା ଦ୍ୱାରା ଦକ୍ଷିଣ ଓଡ଼ିଶାରେ ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାସାୟନିକ ଏବଂ ସବୁଜ ଶିଳ୍ପ କ୍ଷେତ୍ରରେ ପିଡିଲାଇଟ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବାଲେଶ୍ୱରରେ ୬୧ କୋଟି ନିବେଶ କରି ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ସେହିପରି ପାରାଦୀପ ଫସଫେଟ୍ସ ଲିମିଟେଡ୍ ଜଗତସିଂପୁରରେ ୪୨୫ କୋଟି ନିବେଶ ସହିତ ଏକ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ସ୍ଥାପନ କରିବ।

ସୋନାସିଲେକ୍ସନ୍ ଇଣ୍ଡିଆ ଲିମିଟେଡ୍ ଖୋର୍ଦ୍ଧାରେ ୧୩୦ କୋଟି ନିବେଶ ସହିତ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହି ଶିଳ୍ପ ଦ୍ବାରା ୧୮୫୮ ନିଯୁକ୍ତି ସୃଷ୍ଟି ହେବ। ଆଲଫାଟେକ୍ସ ପ୍ରାଇଭେଟ୍ ଲିମିଟେଡ୍ ୧୮୦ କୋଟି ନିବେଶ କରି ଖୋର୍ଦ୍ଧାରେ ଏକ ବୈଷୟିକ ବୟନ ୟୁନିଟ୍ ସ୍ଥାପନ କରିବ। ଏହା ୧୦୫୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଆଲଟିୟସ୍ ଲାଇଫ୍ ଲିମିଟେଡ୍ କଟକରେ ୨୩୬.୯୦ କୋଟି ନିବେଶ କରି ଏକ ଔଷଧ ୟୁନିଟ୍ ସ୍ଥାପନ କରିବ। ସେହିପରି ଶ୍ରୀଜୀ ଇମେଜିଂ ଏବଂ ଡାଇଗ୍ନୋଷ୍ଟିକ୍ ସେଣ୍ଟର ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ସ୍ୱତନ୍ତ୍ର ଚିକିତ୍ସା ୟୁନିଟ୍ ସ୍ଥାପନ କରିବ। ଯାହା ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବ। ନିଫା ଲିମିଟେଡ୍ ଖୋର୍ଦ୍ଧାରେ ୧୬୪ କୋଟି ବିନିଯୋଗରେ ଏକ କୃଷି ଉପକରଣ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହା ଦ୍ବାରା ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ରେ ଓଡ଼ିଶା ସ୍ପେଶାଲ୍ ଗ୍ରେଡ୍ ଆଲୁମିନା ଲିମିଟେଡ୍ କୋରାପୁଟରେ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।

ସୁନ୍ଦର ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ କଟକରେ ଏକ ସ୍କ୍ରାପ୍ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବ । ନବପ୍ରକୃତି ଗ୍ରୀନ୍ ଏନର୍ଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ବାଲେଶ୍ବରରେ ୧୦୫ କୋଟି ନିବେଶ ସହିତ ଏକ ଧାତୁ ନିଷ୍କାସନ ୟୁନିଟ୍ ପ୍ରତିଷ୍ଠା କରିବ। ଏହା ଦ୍ବାରା ୫୪୦ ନିଯୁକ୍ତି ସୃଷ୍ଟି ହେବ। ଅଭିଷେକ କଣ୍ଟେକ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ବୈଦ୍ୟୁତିକ ଉପକରଣ ନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବ। ସେହିପରି କୋଷ୍ଟାଲ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ କଳାହାଣ୍ଡିରେ ୩୫୦ କୋଟି ନିବେଶରେ ଏକ କୃଷି-ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ଏହା ଦ୍ବାରା ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ରତ୍ନପଥର ଏବଂ ଅଳଙ୍କାର କ୍ଷେତ୍ରରେ ନୁଭୋ ଏଅନ୍ ଡାଇମଣ୍ଡ ଆଣ୍ଡ୍ ଜୁଏଲାରୀ ପ୍ରାଇଭେଟ୍ ଲିମିଟେଡ୍ ୨୪୩.୫୦ କୋଟି ନିବେଶ କରି ଖୋର୍ଦ୍ଧାରେ ଏକ ୟୁନିଟ୍ କରିବ। ସେହିପରି ଚଲାହ ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ୧୭୪.୧୦ କୋଟି ନିବେଶ କରି ସମ୍ବଲପୁରରେ ଏକ ଲଜିଷ୍ଟିକ୍ ପାର୍କ ବିକଶିତ କରିବ।   ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ, କୋରାପୁଟ, ଭୁବନେଶ୍ୱର,ବଲାଙ୍ଗିର ଏବଂ ପୁରୀରେ ଏକାଧିକ ପ୍ରକଳ୍ପ ହେବ। ଏହା ପର୍ଯ୍ୟଟନ ଭିତ୍ତିଭୂମିକୁ ବିକାଶ କରିବ ।