ପ୍ରମୂଖ ଖବର
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅଶାନ୍ତ ଗଞ୍ଜାମ, କଥା କଥାରେ ଗଢ଼ୁଛି ମୁଣ୍ଡ: ୨୪ ଘଣ୍ଟାରେ ପୃଥକ ପୃଥକ ସ୍ଥାନରେ ୩ ହତ୍ୟା

Published By : Prameya | July 2, 2025 8:00 AM

ବ୍ରହ୍ମପୁର/ବେଗୁନିଆପଡ଼ା/  ଛତ୍ରପୁର,୦୨/୭:  ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା ।  କଥା କଥାରେ ଗଡ଼ୁଛି ମୁଣ୍ଡ ।  ମଙ୍ଗଳବାର ଗୋଟିଏ ଦିନରେ  ପୃଥକ ସ୍ଥାନରେ ୩ ହତ୍ୟାକାଣ୍ଡ ଘଟିଛି । ଗତ ମାସରେ ଜିଲ୍ଲାରେ  ୧୩ଟି ହତ୍ୟାକାଣ୍ଡ ଘଟିଥିଲା ।  

ବ୍ରହ୍ମପୁରର ନୂଆବସ୍‌ଷ୍ଟାଣ୍ଡ ପୁଷ୍ପାଞ୍ଜଳି ଲଜ୍‌ରେ ଯୁବତୀଙ୍କୁ  ଛୁରି ଭୁସି ହତ୍ୟା କରିଛି ପ୍ରେମିକ ।  ମୃତକ ହେଲେ ପ୍ରିୟା କୁମାରୀ  ମହାରଣା (୨୪) । ହତ୍ୟା ପରେ  ତାଙ୍କ ପୁରୁଷ ବନ୍ଧୁ ଅଭିଯୁକ୍ତ ଅଭୟ  କୁମାର ମହାରଣା(୨୪) ଥାନାରେ  ଆତ୍ମସମର୍ପଣ କରିଛନ୍ତି । ପ୍ରିୟାଙ୍କ  ଘର ଲାଞ୍ଜିପଲ୍ଲୀ ଖଳା ସାହିରେ ଓ ଅଭୟଙ୍କ ଘର ଲାଞ୍ଜିପଲ୍ଲୀ ପାଢ଼ି  କଲୋନିରେ । ପ୍ରିୟା ଜଣେ ଲାବ୍‌  ଟେକ୍ନିସିଆନ୍‌ ବୋଲି ଜଣାପଡ଼ିଛି ।  ମଙ୍ଗଳବାର ସେ ଛୁଟିରେ  ଥିଲେ । ପୂର୍ବାହ୍ନରେ ଅଭୟ ଓ  ପ୍ରିୟା ଲଜ୍‌କୁ ଯାଇ ୧୧୨ ନମ୍ବର  ରୁମ୍‌ରେ ରହିଥିଲେ । ଉଭୟଙ୍କ  ଭିତରେ କୌଣସି କାରଣରୁ  ଝଗଡ଼ା ହୋଇଥିଲା । ଏଥିରେ  ଉତ୍ତ୍ୟକ୍ତ ହୋଇ ଅଭୟ ପ୍ରିୟାଙ୍କୁ  ଛୁରି ଭୁସି ଦେଇଥିଲେ । ପରେ  ସେ ଗୋସାଇଁନୂଆଗାଁ ଥାନାକୁ ଯାଇ  ଆତ୍ମସମର୍ପଣ କରି ସମସ୍ତ ଘଟଣା  କହିଥିଲେ । ପୁଲିସ ଟିମ୍‌ ସନ୍ଧ୍ୟା  ପ୍ରାୟ ୫ଟାରେ ଲଜ୍‌ରେ ପହଞ୍ଚି  କର୍ମଚାରୀମାନଙ୍କୁ ପଚରାଉଚରା  କରିଥିଲା । ସେତେବେଳେ  ପର୍ଯ୍ୟନ୍ତ କର୍ମଚାରୀମାନେ କିଛି  ଜାଣିନଥିଲେ । ପୁଲିସ କହିବା  ପରେ ଲଜ୍‌ କର୍ମଚାରୀ ୧୧୨ ନମ୍ବର ରୁମ୍‌ ଖୋଲିବା ବେଳେ  ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ  ପ୍ରିୟା । ତାଙ୍କୁ ଗୁରୁତର ଅବସ୍ଥାରେ  ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଥିଲା । ସେଠାରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ । 

ଅନ୍ୟପଟେ ଗଞ୍ଜାମ ପୁଲିସ  ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ଥାନା  ଗୋବା ଗାଁର ତୋଫାନ ସ୍ୱାଇଁ(୨୫) ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି  ଦୁର୍ବୃତ୍ତ । ସଂଘବଦ୍ଧ ଆକ୍ରମଣରେ  ତାଙ୍କର ମୃତ୍ୟୁ ହୋଇଛି ।  ଅନ୍ୟପଟେ ବେଗୁନିଆପଡ଼ା  ଥାନା କେ.ବରିଡ଼ା ପଞ୍ଚାୟତ  ବି.ନୂଆପଲ୍ଲୀ ଗାଁର ନିରାକାର ଦାସ  (୩୫)ଙ୍କୁ ହତ୍ୟା କରାଯାଇଛି ।  ପୂର୍ବଶତ୍ରତାରୁ ତାଙ୍କ ଉପରେ  ଆକ୍ରମଣ ହୋଇଥିବା ସୂଚନା  ମିଳିଛି । ମାସ ଆରମ୍ଭରୁ ୩ ଜଣଙ୍କ ମୁଣ୍ଡ ଗଡ଼ିବା ଜିଲ୍ଲାରେ ବିପର୍ଯ୍ୟସ୍ତ  ଆଇନଶୃଙ୍ଖଳାକୁ ସୂଚିତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.