ନୂଆଦିଲ୍ଲୀ : କୁହାଯାଏ ଜୀବନ ପାଣି ଫୋଟକା ପରି। କେତେବେଳେ ଯେ କେଉଁଠି ମୃତ୍ୟୁ ବାଟ ଜଗିଥାଏ , ଏହା କାହାକୁ ବି ଜଣା ନଥାଏ। ଏମିତି ଏକ ଘଟଣା ଦୁଃଖଦ ଘଟଣା ଇନ୍ଦୋରରୁ ସାମ୍ନାକୁ ଆସିଛି। ଗତ ସୋମବାର ସକାଳେ ପରଦେଶିପୁରା ଅଞ୍ଚଳରେ ଜଣେ ୨୭ ବର୍ଷିୟ ଯୁବକ ତାଙ୍କ ସ୍କଟୁରର ପଙ୍କଚର ଠିକ୍ କରାଇବାକୁ ଯାଉଥିଲେ। ଏହି ସମୟରେ ତାଙ୍କର ହୃଦଘାତ ହୋଇଥିଲା। ତାପରେ ତାଙ୍କ ଜୀବନ ଚାଲି ଯାଇଥିଲା।
ଉକ୍ତ ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଛି, ଯେଉଁଥିରେ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କର ଦୁଇ ଚକିଆ ଗାଡ଼ିକୁ ଧରି ଚାଲି ଚାଲି ଯାଉଛନ୍ତି ଏବଂ ହଠାତ୍ ରାସ୍ତାରେ ହିଁ ଯନ୍ତ୍ରଣା ଅନୁଭବ କରି ତଳେ ଖସି ପଡ଼ୁଛନ୍ତି। ପାଖରେ ଥିବା ଏକ କାରରେ ତାଙ୍କ ମୁଣ୍ଡ ମାଡ଼ ହୋଇ ଯାଉଛି।
ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ପୁଲିସ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଇଥିଲେ।
ପୁଲିସର ସୂଚନା ଅନୁସାରେ , ମୃତକ ଜଣଙ୍କ ହେଉଛନ୍ତି ଜନତା କ୍ୱାର୍ଟର ନିବାସୀ ବିନୀତ କୁଚେକର । ତାଙ୍କ ପରିବାରର କହିବାନୁସାରେ , ସେ ସକାଳ ପାଖାପାଖି ୧୧.୩୦ ଟା ସମୟରେ ପଙ୍କଚର ଠିକ୍ କରାଯାଇବା ପାଇଁ ଘରୁ ବାହାରି ଯାଇ ଥିଲେ ଏବଂ ପିଙ୍କ୍ ଫ୍ଲାୱର ହାଇ ସ୍କୁଲ୍ ନିକଟରେ ଖସି ପଡ଼ିବା ପୂର୍ବରୁ ,ସେ ବଡ଼ ମୁସ୍କିଲରେ ୩୦୦ ମିଟର ହିଁ ଚାଲି ଚାଲି ଯାଇଥିଲେ । ସେ ତାଙ୍କ ବାପାଙ୍କ ସହ ପ୍ରପର୍ଟି ଡିଲିଂର କାମ କରୁଥିଲେ।
ତାଙ୍କ ବାପା କହିଛନ୍ତି ଯେ, ବିନୀତଙ୍କୁ ପୂର୍ବରୁ କେବେ ହାର୍ଟ ସମ୍ୱନ୍ଧୀୟ ରୋଗ ନଥିଲା। ତାଙ୍କ ପରିବାରରେ ତାଙ୍କର ମାତା ପିତା ଓ ଜଣେ ସାନ ଭାଇ ଅଛନ୍ତି।