ଭଦ୍ରକ,୧୩/୦୫: ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ଆନ୍ତରାଜ୍ୟ ନକଲି ନୋଟ୍ କାରବାର କରୁଥିବା ଅଭିଯୁକ୍ତ ଚନ୍ଦ୍ରମଣି ବଳ ଯାଜପୁର ଜିଲ୍ଲା ଛଞ୍ଚିଣା ଅଞ୍ଚଳରୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ନକଲି ନୋଟ ଜବତ କରିଛି ଭଦ୍ରକ ପୋଲିସ । ଦଶରଥ ପୁର ଥାନା ଅଧୀନ କୋଶଲ ପୁର ଗ୍ରାମ ଛଚିନା ଗ୍ରାମରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନର ଘର । ସେ ପ୍ରିଣ୍ଟର ମାଧ୍ୟମରେ ନୋଟ୍ ଛାପି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଉଥିଲେ । ପୂର୍ବରୁ ତାଙ୍କ ନାମରେ ୩ ମାମଲା ନୀଳଗିରି, ଯାଜପୁର ଥାନାରେ ରହିଛି । ସେ ଜଣେ ଆନ୍ତରାଜ୍ୟ ଲୁଟେରା ଭାବେ ଜଣାଶୁଣା ଏବଂ ପୂର୍ବରୁ ଆନ୍ଧ୍ର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି ।
ସୂଚନା ମୁତାବକ, ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆନନ୍ଦବଜାର ଠାରେ ଦୁଇଦିନ ତଳେ ଏକ ଦୋକାନରେ ଜାଲ୍ ନୋଟ୍ ଦେଇ ଜିନିଷ କିଣୁଥିବା ବେଳେ ଧରାପଡ଼ିଲା ମାନସ ସାହୁ ନାମକ ଏକ ଠକ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଠକକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିଲା ଗ୍ରାମାଞ୍ଚଳ ପୋଲିସ ।ସେହି ଠକ ନିକଟରୁ ୭ ହଜାର ୧୦୦ ଟଙ୍କା ନକଲି ନୋଟ୍ ଜବତ କରିଥିଲା ପୋଲିସ । ଏହି ଠକ ମାନସ ସାହୁ ସାହାଯ୍ୟରେ ଜାଲ୍ ନୋଟ୍ କାରବାର କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ପୋଲିସ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଛଞ୍ଚିଣା ଅଞ୍ଚଳର ଚନ୍ଦ୍ରମଣି ବଳଙ୍କୁ ଗିରଫ କରିଥିଲା ଗ୍ରାମାଞ୍ଚଳ ପୋଲିସ । ତା ନିକଟରୁ ୨ ଲକ୍ଷ ୭୨ ହଜାର ୮୦୦ ଟଙ୍କା ନକଲି ନୋଟ୍ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ । ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ବଳ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରେ ଏହି ନକଲି ନୋଟ୍ କାରବାର ନେଇ ଅଭିଯୋଗ ରହିଥିବା ନେଇ ଗ୍ରାମାଞ୍ଚଳ ଏସଡିପିଓ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ଚନ୍ଦ୍ରମଣିଙ୍କୁ ରିମାଣ୍ଡରେ ଅଣିବା ପରେ ଏହି ଜାଲ୍ ନୋଟ୍ କାରବାରରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡିବ ବୋଲି ଗ୍ରାମାଞ୍ଚଳ ଏସଡିପିଓ ବିଚିତ୍ରା ନନ୍ଦ ସେଠୀ କହିଛନ୍ତି ।