ନୂଆଦିଲ୍ଲୀ,୨୪/୦୪: ମିସାଇଲ୍ ମାଡ଼ ସହ ବୋମା ବର୍ଷା ହେଉଥିଲା । ପ୍ରତି ମୂହୁର୍ତ୍ତରେ ଭୟ ଭିତରେ ଦିନ କରୁଥିଲା । ଜୀବନ ଉପରେ ବିପଦ ଥିଲା । ସୁରକ୍ଷିତ ଘରକୁ ଫେରିବା ନେଇ ଦିନ ଗଣୁଥିଲେ । ଏବେ ସେ ଆଶା ପୂରଣ ହୋଇଛି । ଅପରେସନ୍‌ ସିନ୍ଧୁ ଜରିଆରେ ଯୁଦ୍ଧଭୂଇଁ ଇରାନ୍‌ରୁ ଫେରିଲେ ଆଉ ୨୯୨ ଭାରତୀୟ । ମାସାଦରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେହିପରି ଇସ୍ରଏଲରୁ ମଧ୍ୟ ୧୬୫ ଭାରତୀୟ ଫେରିଛନ୍ତି ।  ଏଯାବତ୍‌ ଇରାନ୍‌ରୁ ମୋଟ  ୨୨୯୫ ଭାରତୀୟ ଫେରିଲେଣି । ଏ ନେଇ ବୈଦଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲଙ୍କ ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ବିମାନ ଆଇଏଏଫ-୧୭ରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ଖୁସିର ଠିକଣା ନଥିଲା । ଖୁସିରେ କାନ୍ଦି ପକାଇଥିଲେ ଫେରିଥିବା ୨୯୨ ଭାରତୀୟ । ହାତରେ ତ୍ରିରଙ୍ଗା ଧରି 'ଭାରତ ମାତା କି ଜୟ' ଓ 'ହର ହର ମହାଦେବ' ନାରା ଦେଇଥିଲେ । ଇରାନ୍‌ରୁ ଫେରିଥିବା ପଞ୍ଜାବର ବଲଜିନ୍ଦର କୌର କହିଛନ୍ତି, ''୨୧ ବର୍ଷ ହେବ ଇରାନ୍‌ରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲି । ନିଜକୁ ଦେଶକୁ ଫେରିବା ଗର୍ବର କଥା । ଇରାନ୍‌ରେ ଆମେ କିଛି ସମସ୍ୟାର ସାମ୍ନା କରିନାହୁଁ । କିଛି ଦିନ ଦେବ ସେଠାରେ ସ୍ଥିତି ବଦଳିଥିଲା । ଆମେ ସେଠାରେ ସୁରକ୍ଷିତ ଥିଲୁ । ଏପରି ଘଡ଼ି ସନ୍ଧି ମୂହୁର୍ତ୍ତରେ ସରକାର ଭାରତୀୟ ନାଗରିକଙ୍କୁ ସେଠାରୁ ଆଣିଛନ୍ତି ତାଙ୍କୁ ଧନ୍ୟବାଦ । ''

ଇସ୍ରାଏଲରୁ ଫେରିଥିବା ତ୍ରିଅମବକ କୋଲି କହିଛନ୍ତି, ମୋ ପୁଅ ଇସ୍ରାଏଲରେ ରୁହେ । କିଛି ଦିନ ତଳେ ତାର ସନ୍ତାନ ହୋଇଥିଲା । ତାକୁ ଦେଖିବାକୁ ଆମେ ଇସ୍ରାଇଲ ଯାଇଥିଲୁ । ୨ ମାସ ହେବ ସେଠାରେ ଥିଲୁ । ହେଲେ ସେଠାରେ ଲଢେଇ ଆରମ୍ଭ ହୋଇଗଲା । ବୋମା ବର୍ଷା, ମିସାଇଲ ମାଡ ହେଉଛି । ଏବେ ଘରକୁ ଫେରି ବହୁତ ଖୁସି । ସମସ୍ତଙ୍କୁ ଧନ୍ୟବାଦ ।''


ଇସ୍ରାଏଲରୁ ଫେରିଥିବା ପରିଧି କହିଛନ୍ତି, ସେଠାରେ ସ୍ଥିତି ବହୁତ ଖରାପ ଏହା ତ ସମସ୍ତେ ଜାଣନ୍ତି । ଭାରତୀୟ ଦୂତବାସ ଏବଂ ସରକାର ସେଠାରୁ ଫେରିବାକୁ ବହୁତ ସାହାଯ୍ୟ କରିଛନ୍ତି । ଆମେ ସେଠାରୁ ଫେରିବା ସମୟରେ ବି ସାଇରନ୍‌, ମିସାଇଲ ଶବ୍ଦ ଶୁଣିଥିଲୁ ।''