ଖଲ୍ଲିକୋଟ, ୧୭।୩ : ମାର୍ଚ୍ଚ ୫ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ  ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ  ପୋଲିସ୍। ଗିରଫ ୩ ଜଣ ହେଲେ ରବି ଦାସଙ୍କ ପୁତୁରା  ନୀଳାଞ୍ଚଳ ଦାସ, ଶ୍ରୀନିବାସ ଦାସ ଓ ସଞ୍ଜୟ ଦାସ ।

ଗତ ଦଶ ବର୍ଷ ଧରି ବେଆଇନ୍ ମଦ ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା।  ପୂର୍ବରୁ ରବି ଦାସ ଦୁଇ ପୁତୁରାଙ୍କ ଉପରେ ବୋମା ମାଡ଼ କରିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ   ପୁତୁରାମାନେ ଗତ୫ ତାରିଖ ସକାଳୁ ରବିଙ୍କୁ ଘର ସାମ୍ନାରେ ହତ୍ୟା କରି ଫେରାର ହୋଇଯାଇଥିଲେ । ରବିଙ୍କ ସ୍ତ୍ରୀ ମିନତି ଦାସଙ୍କ ଏତଲା ଅନୁସାରେ ପୋଲିସ୍ ଘଟଣାର ତଦନ୍ତ କରିଥିଲା  ।  ରବିବାର ଛତ୍ରପୁର ଅଞ୍ଚଳରୁ  ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଦୁଇଟି ଖଣ୍ଡା, ୩ଟି ମୋବାଇଲ, ଗୋଟିଏ ବୁଲେଟ ଜବତ୍ କରିଛି ପୋଲିସ ।  ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେ଼ଇ ସୂଚନା ଦେଇଛନ୍ତି ।