ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରୁ ଗିରଫ ହୋଇଛନ୍ତି ୩ ବାଂଲାଦେଶୀ ମହିଳା। ସେମାନେ ବେଆଇନ ଭାବରେ ଦିଲ୍ଲୀରେ ରହୁଥିଲେ। ତେବେ ଗିରଫ ବେଳେ ଆଶ୍ଚର୍ଯ୍ୟକର କଥା ଜଣାପଡିଛି। ବାଂଲାଦେଶୀ ମହିଳା କହିଛନ୍ତି, ନିଜର ପ୍ରେମିକଙ୍କୁ ଭେଟିବାକୁ ଆସିଥିଲେ। ତା ପରେ ଏଠାରେ ତାଙ୍କ ସହ ଲିଭଇନ୍ରେ ରହୁଛନ୍ତି। ଫେସବୁକ୍ ଜରିଆରେ ପ୍ରେମ ହୋଇଥିଲା। ଏହାପରେ ପ୍ରେମିକଙ୍କୁ ଭେଟିବାକୁ ଅବୈଧ ଭାବରେ ସୀମା ପାର କରି ଭାରତ ଆସିଥିଲେ।
ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି,ଏହି କାର୍ଯ୍ୟାନୁଷ୍ଠାନ ବିଦେଶୀ ସେଲ୍ର ଏକ ବିଶ୍ବସ୍ତ ସୁତ୍ରରୁ ଇନପୁଟ୍ ଆଧାରରେ ଗ୍ରହଣ କରାଯାଇଥିଲା। ପୋଲିସ ଗିରଫ କରିବା ପାଇଁ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ନେଇ କହିଛି, ଜଣେ ସନ୍ଦିଗ୍ଧ ଦ୍ବାରା ପୋଷ୍ଟ କରାଯାଇଥିବା ଫେସବୁକ୍ ରିଲ୍ସକୁ ଟ୍ରାକ୍ କରାଯାଇଥିଲା। ଯେଉଁଥିରେ ସ୍ଥାନୀୟ ଆଇସକ୍ରୀମ୍ ଗାଡିକୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଜାଣତରେ ଆଖପାଖର ବିଲ୍ଡିଂ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସୁରାକ୍ ପାଇ ପୋଲିସ ସଠିକ୍ ଜାଗା ଜାଣିବାକୁ ଚେଷ୍ଟା କରିଥିଲା। ଏହା ସହ ମୁଖ୍ୟ ସନ୍ଦିଗ୍ଧକୁ ମଧ୍ୟ ଗିରଫ କରିଛି। ଭିଡିଓରେ ଦେଖିବାକୁ ମିଳିଥିବା ସ୍ଥାନକୁ ଜାଣିବାକୁ ପୋଲିସ ପ୍ରାୟ ୫୦ ଟି ଗଳିରେ ଖୋଜାଖୋଜି ଆରମ୍ଭ କରିଥିଲା।
ପୋଲିସର କହିବା ଅନୁସାରେ, ମୁଖ୍ୟ ସନ୍ଦିଗ୍ଧ ମହିଳା ଜଣକ ଫେସବୁକ୍ ମାଧ୍ୟମରେ ଜଣେ ଭାରତୀୟ ବ୍ୟକ୍ତି ସହ ପ୍ରେମ ହୋଇଥିବା କଥା କହିଛି। ସେ କହିଛନ୍ତି ଯେ, ତାଙ୍କ ପ୍ରେମିକ ତାଙ୍କୁ ପଶ୍ଚିମବଙ୍ଗରେ ଥିବା ଭାରତ-ବାଂଲାଦେଶ ସୀମା ବାଟ ଦେଇ ବେଆଇନ ଭାବରେ ତାଙ୍କୁ ପ୍ରବେଶ କରାଇଥିଲେ। ଏହାପରେ ଦୁହେଁ ଦିଲ୍ଲୀ ଚାଲି ଆସିଥିଲେ। ଭଡା ଘରେ ଏକାଠି ରହୁଥିଲେ। ଏହାଛଡା ଆଉ ଏକ ଗୁଇନ୍ଦା ଇନପୁଟ୍ ଆଧାରରେ ପୋଲିସ ଅନ୍ୟ ଦୁଇ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିଛି। ଦୁହେଁ ଆରମ୍ଭରୁ ଦାବି କରୁଥିଲେ ସେମାନେ ନିଜ ନିଜର ସ୍ବାମୀଙ୍କ ସହ ରହୁଥିବା ଭାରତୀୟ ନାଗରିକ। ତେବେ ବୟାନରେ ସମାନତା ନଥିବାରୁ ସତ ଜଣାପଡି ଯାଇଥିଲା। ପୋଲିସ ତାଙ୍କ ମୋବାଇଲ ଯାଞ୍ଚ କରିବା ପରେ ସତ ଜଣାପଡିଥିଲା।