ନୂଆଦିଲ୍ଲୀ, ୧୮।୫: ଆଜିକାଲି ବଦଳୁଥିବା ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ବେଶ୍ ସଚେତନ ହେବାରେ ଲାଗିଛନ୍ତି । ପୂର୍ବ କାଳରେ ଜେଜେବାପା ଓ ଆଈମା’ଙ୍କ ସମୟର ପାରମ୍ପରିକ ଅଭ୍ୟାସକୁ ଲୋକେ ଆଜି ପୁଣି ଆପଣାଉଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି ତମ୍ବା ବୋତଲ କିମ୍ବା ପାତ୍ରରେ ପାଣି ରଖି ପିଇବା । ବଜାରରେ ଏବେ ଷ୍ଟାଇଲିସ୍ ତମ୍ବା ବୋତଲର ଚାହିଦା ବେଶ୍ ବଢ଼ିବାରେ ଲାଗିଛି । ଅଧିକାଂଶ ଲୋକ ନିଜ ଅଫିସ କିମ୍ବା ଘରେ ଦିନସାରା କେବଳ ତମ୍ବା ବୋତଲରୁ ହିଁ ପାଣି ପିଉଛନ୍ତି । ତେବେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଉଥିବା ଏହି ଅଭ୍ୟାସ କ’ଣ ଆପଣଙ୍କ ପାଇଁ କାଳ ହୋଇପାରେ ? ବିଶେଷଜ୍ଞଙ୍କ ମତରେ, ଯଦି ଆପଣ ତମ୍ବା ବୋତଲ ବ୍ୟବହାର କରିବାର ସଠିକ୍ ନିୟମ ଜାଣିନାହାନ୍ତି, ତେବେ ଏହା ଶରୀରକୁ ସୁସ୍ଥ କରିବା ବଦଳରେ ଗମ୍ଭୀର ରୋଗରେ ପକାଇପାରେ ।

କାହିଁକି ଲୋକେ ପିଉଛନ୍ତି ତମ୍ବା ବୋତଲର ପାଣି ?

ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନ ଅନୁଯାୟୀ, ତମ୍ବା ପାତ୍ରରେ ପ୍ରାୟ ୮ ରୁ ୧୦ ଘଣ୍ଟା ପାଣି ରଖିବା ଦ୍ୱାରା ସେଥିରେ ‘ଅଲିଗୋଡାଇନାମିକ’ ପ୍ରଭାବ ସୃଷ୍ଟି ହୁଏ । ଏହା ପାଣିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ । ଏହି ପାଣି ପିଇବା ଦ୍ୱାରା ଅନେକ ପ୍ରକାର ଉପକାର ମିଳିଥାଏ । ଯେପରିକି ହଜମ ପ୍ରକ୍ରିୟା ବା ପାଚନ ତନ୍ତ୍ର ମଜବୁତ ହୁଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଶରୀର ଭିତରୁ ବିଷାକ୍ତ ପଦାର୍ଥ ବାହାରିଯାଏ । ଏହା ଓଜନ ହ୍ରାସ କରିବାରେ ଏବଂ ତ୍ୱଚାର ଚମକ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ, ଏହି ସବୁ ଫାଇଦା ସେତେବେଳେ ମିଳିବ ଯେତେବେଳେ ଆପଣ ସଠିକ୍ ଉପାୟରେ ଏହାର ବ୍ୟବହାର କରିବେ ।

ଅଜାଣତରେ ଆପଣ କରୁନାହାନ୍ତି ତ ଏହି ସବୁ ଭୁଲ୍ ?

ଖାଦ୍ୟ ଓ ପୁଷ୍ଟିସାଧନ ବିଶେଷଜ୍ଞଙ୍କ ଅନୁଯାୟୀ, ଲୋକମାନେ ତମ୍ବା ବୋତଲ ବ୍ୟବହାର ବେଳେ ପ୍ରାୟତଃ ୩ଟି ବଡ଼ ଭୁଲ୍ କରିଥାନ୍ତି, ଯାହା ଶରୀରରେ ‘କପର ଟକ୍ସିସିଟି’ ବା ତମ୍ବାର ମାତ୍ରା ଅତ୍ୟଧିକ ବଢ଼ାଇଦିଏ ।

୧. ତମ୍ବା ବୋତଲରେ ଏସିଡିକ୍ ଅର୍ଥାତ୍ ଖଟା ଜିନିଷ ମିଶାଇବା:

ଅନେକ ଲୋକ ସକାଳେ ଓଜନ କମାଇବା ପାଇଁ ତମ୍ବା ବୋତଲରେ ରଖାଯାଇଥିବା ପାଣିରେ ଲେମ୍ବୁ ରସ କିମ୍ବା ମହୁ ମିଶାଇ ପିଇଥାନ୍ତି । ବିଶେଷଜ୍ଞମାନେ ଏହାକୁ ସବୁଠାରୁ ବଡ଼ ଏବଂ ବିପଜ୍ଜନକ ଭୁଲ୍ ବୋଲି କହିଛନ୍ତି । ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ତମ୍ବା ସହ ରାସାୟନିକ ପ୍ରତିକ୍ରିୟା କରିଥାଏ । ଏହି ପ୍ରତିକ୍ରିୟା ଯୋଗୁଁ ପାଣି ବିଷାକ୍ତ ହୋଇଯାଏ, ଯାହାକୁ ପିଇବା ଦ୍ୱାରା ହଠାତ୍ ବାନ୍ତି, ପେଟ କାଟିବା କିମ୍ବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଇପାରେ ।

୨. ଅତ୍ୟଧିକ ଗରମ କିମ୍ବା ଅତି ଥଣ୍ଡା ପାଣି ରଖିବା:

ତମ୍ବା ବୋତଲରେ ସବୁବେଳେ ରୁମ୍ ଟେମ୍ପରେଚର ପାଣି ରହିବା ଉଚିତ୍ । କିଛି ଲୋକ ଏଥିରେ ଫୁଟନ୍ତା ଗରମ ପାଣି କିମ୍ବା ଫ୍ରିଜ୍ର ବରଫ ଭଳି ଥଣ୍ଡା ପାଣି ରଖି ଦିଅନ୍ତି । ତାପମାତ୍ରାରେ ଏହି ଅତ୍ୟଧିକ ପରିବର୍ତ୍ତନ ଯୋଗୁଁ ତମ୍ବାର ପ୍ରାକୃତିକ ଗୁଣ ନଷ୍ଟ ହୋଇଯାଏ ଏବଂ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଏ ।

୩. ଦିନସାରା କେବଳ ତମ୍ବା ବୋତଲର ପାଣି ପିଇବା:

ଯଦି ଆପଣ ଭାବୁଛନ୍ତି ଯେ ଦିନସାରା କେବଳ ତମ୍ବା ବୋତଲର ପାଣି ପିଇଲେ ଆପଣ ଅଧିକ ସୁସ୍ଥ ରହିବେ, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍ । ଶରୀରକୁ ଏକ ସୀମିତ ମାତ୍ରାରେ ହିଁ କପର ବା ତମ୍ବା ଆବଶ୍ୟକ ହୋଇଥାଏ । ସାରା ଦିନ ଏହି ପାଣି ପିଇବା ଦ୍ୱାରା ଶରୀରରେ କପରର ମାତ୍ରା ଅତ୍ୟଧିକ ବଢ଼ିଯାଏ । ଏହାଦ୍ୱାରା ଲିଭର ଓ କିଡନୀ ଉପରେ ଖରାପ ପ୍ରଭାବ ପଡ଼ିବା ସହ ପେଟରେ ଇନଫେକସନ ହେବାର ଆଶଙ୍କା ବହୁ ଗୁଣ ବଢ଼ିଯାଇଥାଏ ।

କେତେ ମାତ୍ରାରେ ଏବଂ କେମିତି ପିଇବେ ଏହି ପାଣି ?

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ତମ୍ବା ପାତ୍ରରୁ ସର୍ବାଧିକ ଲାଭ ପାଇବା ପାଇଁ ଏହାର ଏକ ସଠିକ୍ ପ୍ରକ୍ରିୟା ରହିଛି:

  • ରାତିରେ ଶୋଇବା ପୂର୍ବରୁ ତମ୍ବା ବୋତଲ ବା ଗ୍ଲାସରେ ସାଧାରଣ ପାଣି ରଖି ଦିଅନ୍ତୁ । ଏହାକୁ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ । ସକାଳେ ଉଠି ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ ।
  • ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଦିନକ ମଧ୍ୟରେ ୨୫୦ ମିଲିଲିଟରରୁ ୫୦୦ ମିଲିଲିଟର ଅର୍ଥାତ୍ ପ୍ରାୟ ୧ ରୁ ୨ ଗ୍ଲାସ୍ ତମ୍ବା ପାଣି ଯଥେଷ୍ଟ । ଏହାଠାରୁ ଅଧିକ ପିଇବା ଅନୁଚିତ୍ । ବାକି ସାରା ଦିନ ଆପଣ ସାଧାରଣ କାଚ କିମ୍ବା ଷ୍ଟିଲ୍ ବୋତଲର ପାଣି ବ୍ୟବହାର କରିପାରିବେ ।

ତମ୍ବା ବୋତଲକୁ ସଠିକ୍ ଭାବେ ସଫା ରଖିବା ମଧ୍ୟ ଜରୁରୀ । ବୋତଲ ଭିତରେ ଯଦି ସବୁଜ ରଙ୍ଗର ଆସ୍ତରଣ ଜମିଯାଏ, ତେବେ ତାହାକୁ ବ୍ୟବହାର କରନ୍ତୁ ନାହିଁ । ବୋତଲକୁ ସଫା କରିବା ପାଇଁ ରାସାୟନିକ ସାବୁନ ବଦଳରେ ପିତୁଳି, ଲୁଣ କିମ୍ବା ତେନ୍ତୁଳିର ବ୍ୟବହାର କରନ୍ତୁ । ତାମ୍ର ପାତ୍ରର ଜଳ ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ବର୍ଦ୍ଧକ, କିନ୍ତୁ ଏହାର ଅତିରିକ୍ତ ବ୍ୟବହାର କ୍ଷତିକାରକ । ତେଣୁ ସଚେତନ ରୁହନ୍ତୁ, ସଠିକ୍ ନିୟମ ପାଳନ କରନ୍ତୁ ଏବଂ ନିଜକୁ ତଥା ନିଜ ପରିବାରକୁ ସୁସ୍ଥ ରଖନ୍ତୁ ।

ଆହୁରି ପଢ଼ନ୍ତୁ... ​​​​​​​ଫ୍ରିଜ ଭିତରେ ପଲିଥିନରେ ପରିବା ରଖୁଛନ୍ତି କି ? ଜାଣନ୍ତୁ ଏହା କରିବା କେତେ ବିପଦପୂର୍ଣ୍ଣ ?