ଅନୁଗୁଳ,୬/୯(ବ୍ୟୁରୋ ): ସହର ଉପକଣ୍ଠ ଖଣ୍ଡହତା ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅଟୋ କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣା ପରେ ଅଟୋକୁ ଘୋଷାଡି ନେଲା କାର । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) । ଗୁରୁତରମାନେ ହେଲେ ସୁନିତା ସେଠି (୩୦), ସାଇ ସେଠି (୧୨) ଓ ବିଶ୍ୱଜିତ୍ ।
ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠିଙ୍କ ଦେହ ଖରାପ ଥିଲା। ଅନୁଗୁଳ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଏକ ଅଟୋ ଯୋଗେ ବଂଶୀଧର ତାଙ୍କ ସ୍ତ୍ରୀ କମଳା ସେଠି, ବୋହୂ ସୁନିତା ସେଠି ଏବଂ ପୁଅ ସାଇ ସେଠିଙ୍କ ସହ ଚିକିତ୍ସାଳୟକୁ ଆସିଥିଲେ। ଡାକ୍ତରଖାନାରେ ଦେହ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିଲେ। ଏହି ସମୟରେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଅଟୋର ଧକ୍କା ହୋଇଥିଲା। ଦୁର୍ଘଟଣା ଏପରି ଥିଲା ଯେ ଅଟୋଟି କାର ତଳେ ଚାପି ହୋଇ ରହି ଯାଇଥିଲା । ଏଥିରେ ବଂଶୀଧର ସେଠି, ସ୍ତ୍ରୀ କମଳା ସେଠି, ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ବୋହୂ ସୁନିତା ସେଠି ଏବଂ ସାଇ ସେଠି ଗୁରୁତର ହୋଇଥିଲେ। ଏପଟେ କାର ମାଲିକ ଗୁରୁତର ଥିବା ବେଳେ କାର ଚାଳକଙ୍କର କୌଣସି ଖବର୍ ମିଳିନାହିଁ। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ମୃତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ସଦର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।