ଝାରସୁଗୁଡା , ୬।୫ : ଯୁବକଙ୍କୁ ଗଳା କାଟି ହତ୍ୟା l ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ସୁଲଦିଆ ଲାଲୁମୁଣ୍ଡାରେ ଘଟିଛି ଏହି ଘଟଣା l ମୃତ ଯୁବକ ଜଣକ ପ୍ରଦୀପ ଭୋଇ (୨୫) l ପ୍ରଦୀପ ଘର ବାରଣ୍ଡାରେ ଶୋଇଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଲା କାଟି ଫେରାର ମାରିଛନ୍ତି l

ପ୍ରଦୀପ ମଙ୍ଗଳବାର ରାତିରେ ନିଜ ଘର ବାରଣ୍ଡାରେ ଶୋଇଥିବାବେଳେ କେହି ଜଣେ ଦୁର୍ବୁତ୍ତ ବାରିପଟୁ ଆସି ଏକ ଧାରୁଆ ଅସ୍ତ୍ରରେ ପ୍ରଦୀପଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ l ପ୍ରଦୀପଙ୍କ ହାତ, ଛାତି ଏବଂ ବେକରେ ଗଭୀର ଆଘାତ ଲାଗିଥିଲା l ଆହତ ପ୍ରଦୀପ ଛଟପଟ ହେବାସହ ଚିତ୍କାର କରିବା ଶୁଣି ପରିବାର ଲୋକେ ବାହାରକୁ ଆସିଥିଲେ l ହେଲେ ସେ ସମୟରେ ହତ୍ୟାକାରି ଫେରାର ହୋଇସାରିଥିଲା ଏବଂ ପ୍ରଦୀପଙ୍କୁ ହସ୍ପିଟାଲ ନେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା l ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ଲଖନପୁର ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି l ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ ଙ୍କ ସହ ଲଖନପୁର ପୋଲିସ, ସାଇଣ୍ଟିଫିକ ଟିମ, ଡ୍ରଗ ସ୍କୁଆଡ଼ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ କରାଯାଇଥିବା ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି l ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ କରାଯାଇଥିବା ପୋଲିସ ଅନୁମାନ କରୁଛି l