ମୁରିବାହାଲ, ୨/୯- ବଲାଙ୍ଗିର ଜିଲା ମୁରିବାହାଲ ଥାନା ମାଲିଶିରା ପଞ୍ଚାୟତର ଡେଙ୍ଗପଦର ଗାଁରେ ସନ୍ତୋଷ ପରାଭୋଇ ହତ୍ୟା ଘଟଣାରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି।  ଅଭିଯୁକ୍ତମାନେ ହେଲେ ମହୁଲପଡାମୁକେଶ ଭୋଇ, ନାନାଝରପଞ୍ଚା ଜାନି,କରନ ପ୍ରଧାନୀ ।

ସନ୍ତୋଷ ପରାଭୋଇ ମହୁଲପଡ଼ା ଗ୍ରାମର ଭବାନୀ ପରାଭୋଇ (୩୨) ଙ୍କୁ ପ୍ରେମ ବିବାହ କରିଥିଲେ।ସେମାନଙ୍କର ୨ପୁଅ ଓ ୨ଝିଅ ଅଛନ୍ତି।  ପରକ୍ରୀୟା ପ୍ରୀତିକୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ମଙ୍ଗଳବାର  ଭବାନୀଙ୍କ ସମ୍ପର୍କୀୟ ଭାଇମାନେ ଝଗଡା ସମାଧାନ କରିବାକୁ ଆସିଥିଲେ। ରାତି ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ହୋଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ସନ୍ତୋଷ ପରାଭୋଇ ଅତି ଜୋରରେ ଚିତ୍କାର କରିବାରୁ ପାଖପଡ଼ୋଶୀ ଲୋକ ବାହାରକୁ ଆସି ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ବାରଣ୍ଡାରେ ସନ୍ତୋଷ  ପଡ଼ିଥିବା ଦେଖିଥିଲେ। ସନ୍ତୋଷର ପେଟ ପାଖରେ ଧାରୁଆ ଛୁରୀ ରେ ଗଭୀର ଆଘାତ ଲାଗିଥିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ସନ୍ତୋଷର ସ୍ତ୍ରୀ, ୨ପୁଅ,୨ଝିଅଙ୍କ ସହ ଶାଳକମାନେ ମହୁଲପଡାକୁ ଚାଲି ଯାଇଥିଲେ। ପଡୋଶୀମାନେ ଘର ସମ୍ମୁଖରେ ମୃତଦେହ ପଡ଼ିଥିବା ଦେଖି ମୁରିବାହାଲ ପୋଲିସକୁ ସୂଚନା ଦେଇଥିଲେ । ରାତିରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିଲା। ସନ୍ତୋଷଙ୍କୁ ତାଙ୍କ ସ୍ତ୍ରୀ ସମ୍ପର୍କିୟ ଭାଇ କରନ ପ୍ରଧାନୀ ଛୁରା ଭୁସି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି।  ମୁରିବାହାଲ ଥାନା ପୁଲିସ ଓ ବଲାଙ୍ଗିରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ  କରି ୩ ଜଣଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି।