ଉମରକୋଟ, ୯।୪ ; ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗ୍ରାମର ୩ ଶିଶୁ କନ୍ୟାଙ୍କୁ ହରାଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉମରକୋଟ ବ୍ଲକ କୁର୍ସୀ ଗ୍ରାମର ଉପର ପାରା ଅଞ୍ଚଳରେ ଘଟିଛି ଏହି ହୃଦୟବିଦାରକ ଘଟଣା।

କୁର୍ସୀ ଗ୍ରାମର ଉପରପାରାର ରାଜମନ ଗଣ୍ଡଙ୍କ ଦୁଇ ଝିଅ ସନ୍ଧ୍ୟା ଓ ସନ୍ଧିତା , ବାଲସାଇ ଗଣ୍ଡଙ୍କ ଝିଅ ଭୂମିକା ଗଣ୍ଡ  ଆଜି ବିଦ୍ୟାଳୟରୁ ଫେରିବା ପରେ ତିନିଜଣ ଯାକ ଝିଅ ଘର ନିକଟସ୍ଥ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଗଭୀର ପାଣିକୁ ଚାଲିଯାଇଥିଲେ ଏବଂ ବୁଡ଼ି ଯାଇଥିଲେ। ବହୁ ସମୟ ଧରି ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ପରେ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ​ଏହି ଘଟଣା ପରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୂରା ଗାଁରେ ଏବେ କାନ୍ଦବୋବାଳି ଛୁଟିଛି। ଏକା ସାଙ୍ଗରେ ତିନି ତିନିଟି କଅଁଳ ଶିଶୁ କନ୍ୟାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ।