ନୂଆଦିଲ୍ଲୀ, ୧୧।୬: ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ବା ହୋର୍ମୁଜ ପ୍ରଣାଳୀରୁ ଏକ ଅତ୍ୟନ୍ତ ସଂବେଦନଶୀଳ ଓ ଦୁଃଖଦ ଖବର ସାମ୍ନାକୁ ଆସିଛି । ଓମାନ ଉପକୂଳରେ ପାଲାଉ ପତାକାଧାରୀ ତେଲ ଟାଙ୍କର ‘ଏମଟି ସେଟ୍ଟେବେଲୋ’ ଉପରେ ଆମେରିକା ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ନିଖୋଜ ଥିବା ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି । ଗୁରୁବାର କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ସୂଚନା ଦେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଭାରତ ସରକାର ଆମେରିକା ନିକଟରେ କଡ଼ା ଆପତ୍ତି ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ଶୋକ ଏବଂ ପରିବାରକୁ ସହାୟତା ନିର୍ଦ୍ଦେଶ:
କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ଏହା ଭାରତୀୟ ସାମୁଦ୍ରିକ ସମୁଦାୟ ପାଇଁ ଏକ ଅପୂରଣୀୟ କ୍ଷତି । ପୂର୍ବରୁ ନିଖୋଜ ଥିବା ୩ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ୩ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । "ଏହି କଠିନ ସମୟରେ କେନ୍ଦ୍ର ସରକାର ମୃତକଙ୍କ ପରିବାର ସହିତ ଅଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ସୁରକ୍ଷିତ ଉଦ୍ଧାର ହୋଇଥିବା ଅନ୍ୟ ନାବିକଙ୍କୁ ତୁରନ୍ତ ଦେଶକୁ ଫେରାଇ ଆଣିବା ଏବଂ ମୃତକଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ସେମାନଙ୍କ ପରିବାର ନିକଟରେ ପହଞ୍ଚାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କ’ଣ ଥିଲା ପୂରା ଘଟଣା ?
ଓମାନ ଉପସାଗରରେ ଆମେରିକା ସେନା ପକ୍ଷରୁ ଏହି ତେଲ ଟାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଆମେରିକାର ଦାବି ଅନୁଯାୟୀ, ଜାହାଜଟି ସେମାନଙ୍କ ନିର୍ଦ୍ଦେଶ ପାଳନ କରୁନଥିଲା ଏବଂ ସେଥିରେ ଇରାନରୁ ବେଆଇନ ଭାବେ ତେଲ ଚାଲାଣ କରାଯାଉଥିଲା । ଏହି କାରଣରୁ ଆମେରିକୀୟ ସେନା ଜାହାଜର ଇଞ୍ଜିନ ରୁମ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଉକ୍ତ ବାଣିଜ୍ୟିକ ଜାହାଜରେ ୨୪ ଜଣ ଭାରତୀୟ ନାଗରିକ ଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୃତ୍ୟୁବରଣ କରିଥିବା ତିନି ନାବିକ ହେଉଛନ୍ତି ଉତ୍ତର ପ୍ରଦେଶର ଆଦିତ୍ୟ ଶର୍ମା, ଆନ୍ଧ୍ର ପ୍ରଦେଶର ଶିବାନନ୍ଦ ଚୌରାସିଆ ଏବଂ ହିମାଚଳ ପ୍ରଦେଶର ସୁରେଶ । ଫରୱାର୍ଡ ସିମେନ୍ସ ୟୁନିଅନ ଅଫ୍ ଇଣ୍ଡିଆ (FSUI) ର ସାଧାରଣ ସମ୍ପାଦକ ମନୋଜ ଯାଦବ କହିଛନ୍ତି ଯେ, ଘଟଣା ପରେ ଜାହାଜ ସହିତ ଯୋଗାଯୋଗ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା ।
ଘଟଣାକୁ ନେଇ ଭାରତର କଡ଼ା ନିନ୍ଦା:
ଏହି ସାଂଘାତିକ ଘଟଣାକୁ ନେଇ ଭାରତ ସରକାର ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବେସାମରିକ ତଥା ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଏହି ଆକ୍ରମଣକୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ତୀବ୍ର ନିନ୍ଦା କରିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆନ୍ତର୍ଜାତୀୟ ଜଳସୀମାରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଏଭଳି ଟାର୍ଗେଟ୍ କରାଯିବା ଅତ୍ୟନ୍ତ ଚିନ୍ତାଜନକ । ଭାରତ ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଅପିଲ କରିଛି । ଏହା ସହିତ, ଏହି ଆକ୍ରମଣର ପ୍ରତିବାଦ ଜଣାଇବା ପାଇଁ ଭାରତ ସରକାର ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ସମନ କରି ନିଜର କଡ଼ା ବିରୋଧ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଆହୁରି ପଢ଼ନ୍ତୁ... War News: ହୋର୍ମୁଜ ପାଖରେ ଭାରତୀୟ ଜାହାଜ ଏମ୍ଟି ଜଳବୀର ଉପରେ ହମ୍ଲା, ୩ ଦିନରେ ତୃତୀୟ ଆକ୍ରମଣ