ଭୁବନେଶ୍ୱର,୧୭/୦୯: ସେପ୍ଟେମ୍ୱର ୧୮ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ । ବିଧାନସଭା ପରିସରରେ ଓ ବାହାରେ ପାଖାପାଖି ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ବିଧାନସଭା ସମେତ ଲୋୟର ପିଏମ୍ଜିକୁ ପୁଲିସ ଛାଉଣି କରାଯିବ । ଆସନ୍ତା ୨୫ ତାରିଖ ଯାଏଁ ଏହି ସୁରକ୍ଷା ବଳବତ୍ତର ରହିବ । ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।
ଗୃହ ଚାଲିଥିବା ବେଳେ ବିଧାନସୌଧ ସଂଲଗ୍ନ ରାସ୍ତାଗୁଡ଼ିକରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଜରୁରୀକାଳୀନ ସେବା ଗାଡ଼ି ଏହି ରାସ୍ତାରେ ଯାଇପାରିବ । ହାଉସିଂ ବୋର୍ଡ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜ୍ ଗଳି ରାସ୍ତାରେ ଯିବେ । ଏଜି ଛକପଟୁ ଗାଡ଼ି ଆସିଲେ ଜୟଦେବ ଭବନରୁ ଡାହାଣକୁ ଦେଇ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାରେ ଆଗେଇବେ । ୧୨୦ ବାଟାଲିୟନଠାରୁ ରବିନ୍ଦ୍ରମଣ୍ଡପ ରାସ୍ତାକୁ ମଧ୍ୟ ବନ୍ଦ କରାଯିବ । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ । ବିଧାନସୌଧର ଭିତର ଓ ବାହାରେ ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଉଛି । ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ୱାଇ ବି ଖୁରାନିଆ ଖୁବ୍ଶୀଘ୍ର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ । ଯେକୌଣସି ପ୍ରକାର ଅଘଟଣ ମୁକାବିଲା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ (ଏସ୍ଟିୟୁ) ଓ ୨ ସେକ୍ସନ ମୋବାଇଲ୍ କ୍ୟୁଆର୍ଟି ଦଳ ସହ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍, ଅଗ୍ନିଶମ ବିଭାଗ ତୀକ୍ଷ୍ମ ନଜର ରଖିବେ ।
ବିଧାନସଭା ଗେଟ୍, ରବୀନ୍ଦ୍ର ମଣ୍ଡପ ଗେଟ୍, ଲୋୟର ପିଏମ୍ଜିରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ କରାଯିବ । ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି । ଲୋୟର ପିଏମ୍ଜିରେ ନିର୍ମିତ ୟୁନିଫାଏଡ କଣ୍ଟ୍ରୋଲ ରୁମ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖାଯିବ । ରିଜର୍ଭ ପଡି଼ଆରେ ୩ଟି ସେକ୍ସନ ପୁଲିସ୍କୁ ସଜାଗ ରଖାଯିବ । ବିଧାନସଭା ଚାରିପାଖ ରାସ୍ତା ଓ ଲୋୟର ପିଏମ୍ଜି ଆଖପାଖରେ ସାଦା ପୋଷାକଧାରୀ ପୁଲିସ ସନ୍ଦିଗ୍ଧ ଗତିବିଧିକୁ ନଜର ରଖିବ ।