ନୟାଗଡ଼,୧୨/୧୧: ଡକାୟତଙ୍କ ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକ ଜଣେ ଡକାୟତକୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଛନ୍ତି । ନୟାଗଡ ଟାଉନ ଥାନା ଅଧିନ ଶୁଳିଆ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇ ଜଣ ଯୁବକ ସେଠାରେ ରହିଥିବା ସିମେଣ୍ଟକୁ ଜଗି ରହିଥିଲେ । ରାତି ପ୍ରାୟ ସାଢେବାରଟାରେ ୪ଜଣ ଦୁର୍ବୃତ୍ତ ଶୁଳିଆ ଗାଁ ନିକଟରେ ବିଭିନ୍ନ ମାରଣାସ୍ତ୍ର ଧରି ବୁଲୁଥିବା ଦେଖି ଯୁବକ ଦୁଇଜଣ ଗାଁ ଲୋକଙ୍କୁ ଡାକିଥିଲେ । ଗ୍ରାମବାସୀମାନେ ଆସିବା ଦେଖି ଦୁର୍ବୃତ୍ତମାନେ ଭୟଭୀତ କରିବା ପାଇଁ ଗ୍ରାମବାସୀଙ୍କ ଉପରକୁ ୩ଟି ବୋମାମାଡ଼ କରିଥିଲେ । ବୋମାମାଡ଼ରେ ଗାଁର ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ ଏବଂ ଶତ୍ରୁଘ୍ନ ବାରିକ ଗୁରୁତର ଆହତ ହୋଇ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବୋମାମାଡ଼ କରି ୪ ଜଣ ଡକାୟତ ଫେରାର୍ ହୋଇଯାଇଥିଲେ । ହେଲେ ନୟାଗଡ଼ ନିକଟ କଇଥଗାଡିଆ ଗ୍ରାମର ଜଣେ ଯୁବକ ଅକୃର ପ୍ରଧାନକୁ ଗ୍ରାମବାସୀମାନେ କାବୁ କରିଥିଲେ । ଯୁବକଙ୍କୁ ଉତ୍ତମ ମଧ୍ଯମ ଦେବା ସହିତ ପୁଲିସକୁ ଖବର ଦେଇଥିଲେ । ଖବରପାଇ ନୟାଗଡ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଅକୃରକୁ ଧରି ଥାନାକୁ ଆଣିଥିବାବେଳେ ଅନ୍ୟ ମାନଙ୍କୁ ଖୋଜୁଥିବା ଜଣାପଡିଛି ।