ଫିରିଙ୍ଗିଆ, ୨୩/୧ : ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବାବେଳେ ପୁଲିସ ଗଞ୍ଜେଇ କଟାରେ ବ୍ୟସ୍ତ ରହିଛି । ଏହାର ସୁଯୋଗ ନେଇଁ କିଛି ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ ପାଇଁ ଗଳା ବାଟ ଦେଖି ଚାଲାଣ କରୁଥିବାବେଳେ ଗତ ୧୫ଦିନ ଭିତରେ କାର, ଅଟୋ, ସହ ଗଞ୍ଜେଇ ଜବତ ହୋଇଥିବାବେଳେ ପୁଣି ଫିରିଙ୍ଗିଆ ପୁଲିସ ଅଟୋ ସହ ଡ୍ରାଇଭର ଏବଂ ୩0 କେଜି ଗଞ୍ଜେଇ ସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୪ଜଣ ମହିଳାଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ଗତକାଲି ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନିର୍ଦେଶରେ ଫିରିଙ୍ଗିଆ ଥାନାର ଏକ ଟିମ୍ ଗୋଚ୍ଛାପଡା ଫିରିଙ୍ଗିଆ ମୁଖ୍ୟ ରାସ୍ତାର ମାଝୀପଡା ଘାଟିରେ ମାଝୀପଡ଼ା ପଟୁ ଫିରିଙ୍ଗିଆ ଆଡ଼କୁ ଆସୁଥିବା ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଅଟୋରୁ ଗଞ୍ଜେଇ ବାହାରିଥିଲା । ଘଟଣାସ୍ଥଳରୁ ପୁଲିସ ଗଞ୍ଜେଇ ଜବତ କରିଥିବାବେଳେ ଅଟୋ ଡ୍ରାଇଭର ଏବଂ ଗଞ୍ଜେଇ ଚାଲାଣ କରୁଥିବା ଚାରି ଜଣ ମହିଳାଙ୍କୁ ଗିରଫ କରିଥିଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ ପରେ ୩୦କେଜି ଗଞ୍ଜେଇ ହୋଇଥିଲା । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଟୋ ଚାଳକ ଫିରିଙ୍ଗିଆ ଥାନା ଅଧୀନ ମାଝୀପଡା ଗାଁର ଅନନ୍ତ ଦିଗାଲ ଏବଂ ସେହି ମାଝୀପଡା ଗାଁର ଅମ୍ବିକା ଦିଗାଲ, କୁଞ୍ଜମତି ଦିଗାଲ, କୁମାରୀ ଦିଗାଲ, ନର୍ମଦା ଦିଗାଲ ବୋଲି ପୁଲିସ ସୂଚନା ଦେଇଛି । ଜବତ ଗଞ୍ଜେଇ ଫିରିଙ୍ଗିଆ ଥାନା ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ସୂଚନା ରହିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ସୂଚନା ଦେଇଛନ୍ତି ।