ନୂଆଦିଲ୍ଲୀ,୮।୬: ଚୀନ୍ର ଇଲେକ୍ଟ୍ରିକ୍ ବାହନ ନେଇ ମେକ୍ସିକୋ ଯାଉଥିବା ଏକ ମାଲବାହୀ ଜାହାଜରେ ମଙ୍ଗଳବାର ଆଲାସ୍କା ଉପକୂଳରେ ନିଆଁ ଲାଗିଯାଇଛି। ଜାହାଜରେ ଇଲେକ୍ଟ୍ରିକ୍ ଗାଡି ଥିବା କାରଣରୁ ଚାଳକ ଦଳ ଅଳ୍ପ ସମୟ ନିଆଁ ଉପରେ କାବୁ ପାଇବାର ଚେଷ୍ଟା କରିଥିଲେ, କିନ୍ତୁ ପରେ ସେମାନେ ଆମେରିକା ତଟରକ୍ଷୀ ବାହୀନଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି। ପରେ ଆମେରିକା ତଟରକ୍ଷୀବାହିନୀ ତାଙ୍କୁ ସାହାଯ୍ୟ କରିଥିଲେ। ଅଧିକାରୀଙ୍କ କହିବା ଅନୁସାରେ, ଜାହାଜରେ ଥିବା ସଦସ୍ୟଙ୍କୁ ସେଠାରୁ ସୁରକ୍ଷିତ ବାହାର କରି ନିଆଯାଇଥିଲା ଓ ସୁରକ୍ଷିତ ସ୍ଥାନରୁ ଜାହାଜର ସ୍ଥିତି ଉପରେ ନଜର ରଖାଯାଉଛି।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଲଣ୍ଡନ ସ୍ଥିତି ଶିପିଂ କମ୍ପାନୀ ଜୋଡିୟାକ୍ ମେରିଟାଇକ୍ ଏହି ଜାହାଜରେ ମଙ୍ଗଳବାର ସେତେବେଳେ ଦୁର୍ଘଟଣା ହୋଇଥିଲା ଯେତେବେଳେ ତାହା ଇଲେକ୍ଟ୍ରିକ୍ କାରକୁ ନେଇ ମେକ୍ସିକୋ ଯାଉଥିଲା। ଆଲାକ୍ସା ଉପକୂଳରୁ ୧୨୦୦ ମାଇଲ ଦୂରରେ ଜାହାଜରୁ ଧୂଆଁ ବାହାରିବା ଆରମ୍ଭ ହୋଇଯାଇଥିଲା। ଚାଳକ ଦଳ ନିଆଁ ଉପରେ ନିୟନ୍ତ୍ରଣ ନଥିବା ଦେଖି ୧୫ ମିନିଟ୍ ପରେ ଏମର୍ଜେନ୍ସି କଲ୍ରେ ନିଜର ସ୍ଥିତିର ସୂଚନା ଦେଇଥିଲେ, ପରେ ତଟରକ୍ଷୀ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସୁରକ୍ଷିତ ବାହାର କରିଥିଲେ।
ଅଧିକାରୀଙ୍କ କହିବା ଅନୁସାରେ, ଆମ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ୬୦୦ ଫୁଟ ଉଚ୍ଚ ଜାହାଜରୁ ଚାଳକ ଦଳଙ୍କ ସବୁ ୨୨ ସଦସ୍ୟଙ୍କୁ ବାହାର କରିଛୁ। ଆମେ ବର୍ତ୍ତମାନ ନିଆଁକୁ ଆୟତ୍ତ କରିପାରୁନୁ। ଏକ ସୁରକ୍ଷିତ ସ୍ଥାନରେ କେବଳ ନଜର ରଖିଛୁ, କାରଣ ଜାହାଜରେ ଇଲେକ୍ଟ୍ରିକ୍ ଗାଡି ରହିଛି। ଯେଉଁଥିରେ ଲାଗିଥିବା ଲିଥିୟମ ବ୍ୟାଟେରୀ ଯେ କୌଣସି ମୂହୁର୍ତ୍ତରେ ଫାଟିବାର ଆଶଙ୍କା ରହିଛି। ଯଦି ଏଭଳି ହୁଏ ତେବେ ଆଖପାଖରେ ବିଷାକ୍ତ ଗ୍ୟାସ୍ ବ୍ୟାପିପାରେ। ଏହି କାରଣୁ ଏହାକୁ ଲିଭାଇବା ଖୁବ୍ କଷ୍ଟକର ଓ ବିପଦଜନକ।