ଶ୍ରୀନଗର,୨୭/୦୮: ଜମ୍ମୁ-କାଶ୍ମୀରର ରିୟାସି ଜିଲ୍ଲା ଅନ୍ତର୍ଗତ କଟରାରେ ମଙ୍ଗଳବାର ଭୀଷଣ ବର୍ଷାରୁ ବିପର୍ଯ୍ୟୟ ଘଟିଛି । ମାତା ବୈଷ୍ଣୋଦେବୀ ଯାତ୍ରା ମାର୍ଗରେ ଅର୍ଦ୍ଧକୁୱାରୀସ୍ଥିତ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଭୂସ୍ଖଳନ ଘଟି ୩୧ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ଦିନରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିଲା । ମାତ୍ର ଏହା ବଢି ୩୧ରେ ପହଞ୍ଚିଛି । ଏ ନେଇ ରିୟାସି ଏସଏସପି ପରମବୀର ସିଂହ ସୂଚନା ଦେଇଛନ୍ତି । ୧୨ରୁ ଅଧିକ ଆହତ ହୋଇଛନ୍ତି । ଆଉ କିଛି ଲୋକ ମାଟି ଅତଡ଼ା ତଳେ ଫସିଥିବା ଆଶଙ୍କା କରାଯାଉଛି । ଆଜି ବି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି ।
Jammu and Kashmir | 30 people have lost their lives after heavy rains triggered a landslide near the Vaishno Devi shrine in Jammu and Kashmir’s Katra: Officials to ANI
— ANI (@ANI) August 27, 2025
ଡୋଡା ଜିଲ୍ଲାର କେତେକ ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ଅଚାନକ ବନ୍ୟା ଆସିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଭୂସ୍ଖଳନ ଯୋଗୁ ଯାତ୍ରା ମାର୍ଗରେ ସଡ଼କ ବନ୍ଦ ହୋଇଯାଇଥିଲା । ଫଳରେ ଯାତାୟାତ ଠପ୍ ହୋଇଯାଇଛି । ସ୍ଥାନୀୟ ପ୍ରଶାସନର ତତ୍ତ୍ୱାବଧାନରେ ରିଲିଫ-ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରିୟାସି ପୁଲିସ-ପ୍ରଶାସନ ଏବଂ ଏନ୍ଡିଆର୍ଏଫ୍ ବର୍ତ୍ତମାନ ଆଲର୍ଟ ମୋଡରେ ଅଛନ୍ତି । ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ଏଭଳି ବିପର୍ଯ୍ୟୟ ଆସିଛି । ଅଘଟଣ ପରେ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି ।
ଅଧିକାରୀଙ୍କ ମୁତାବକ, ଅର୍ଦ୍ଧକୁୱାରୀ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଭୂସ୍ଖଳନ ହୋଇଥିଲା । ତ୍ରିକୂଟ ପାହାଡ଼ ଉପରେ ଥିବା ବୈଷ୍ଣୋଦେବୀ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ୧୨ କିଲୋମିଟର ବ୍ୟାପୀ ଗୋଲେଇ ରାସ୍ତାର ପ୍ରାୟ ଅଧା ଭାଗ ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଥିଲା । ମୂଷଳ ଧାରାରେ ବର୍ଷା ଲାଗିରହିବାରୁ ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ପୁରୁଣା ମାର୍ଗରେ ବି ଯାତ୍ରାକୁ ବନ୍ଦ କରିଦେଇଛି । ଭାରୀ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ରେଳ ବିଭାଗ ପ୍ରାୟ ୧୮ଟି ଟ୍ରେନ୍ ଚଳାଚଳକୁ ବାତିଲ କରି ଦେଇଛି । କଟରାରୁ ଚଳାଚଳ କରୁଥିବା ଅଧିକାଂଶ ଟ୍ରେନ୍ ବାତିଲ ହୋଇଥିବା ଜଣାପଡ଼ିଛି । ଚକ୍କି ନଦୀରେ ଅଚାନକ ବନ୍ୟା ଆସିବା ଯୋଗୁ ପଠାନକୋଟ କ୍ୟାଣ୍ଟ (ପିଟିକେସି) ଓ କନ୍ଦରୋରି (କେଏନ୍ଡିଆଇ) ମଧ୍ୟବର୍ତ୍ତୀ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି । ଏହାବ୍ୟତୀତ ଜମ୍ମୁ ଅଞ୍ଚଳରେ ମଧ୍ୟ ଭୀଷଣ ବର୍ଷା ଲାଗି ରହିଛି । ଏହାଯୋଗୁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି । ଭୂସ୍ଖଳନ ଘଟଣା ମଧ୍ୟ ଅଧିକ ସମସ୍ୟା ଛିଡ଼ା କରିଛି । ବିଶେଷକରି ତଳିଆ ଓ ପାହାଡ଼ିଆ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ କିସ୍ତୱାଡ଼ର ପଦ୍ଦେର୍ ସଡ଼କ, ରାମନଗର-ଉଧମପୁର ଏବଂ ଜଙ୍ଗଲୱାର-ଥାଟ୍ରି ରୁଟ୍ରେ ବିଭିନ୍ନ ରାସ୍ତା ଅବରୋଧ ହୋଇଯାଇଛି । ଆଜି ସକାଳେ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ବଡ଼ଧରଣର ବାଦଲଫଟା ବର୍ଷା ଯୋଗୁ ଅଚାନକ ବନ୍ୟା ଆସିଥିଲା । ଏହାଯୋଗୁ ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ ହେବା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଚାନକ ବନ୍ୟାରେ ୧୦ରୁ ୧୫ଟି ଘର ଭାସିଯାଇଛି । ଡୋଡାରେ ଗତ ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଆସନ୍ତାକାଲି (ବୁଧବାର) ପର୍ଯ୍ୟନ୍ତ ଦକ୍ଷିଣ କାଶ୍ମୀରରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବାଦଲଫଟା ବର୍ଷା, ଅଚାନକ ବନ୍ୟା, ଭୂସ୍ଖଳନ, କାଦୁଅ ଓ ପଥର ଖସିବା ନେଇ ଆଡଭାଇଜରି ଜାରି କରାଯାଇଛି । ଲୋକଙ୍କୁ ଭୂସ୍ଖଳନ ଅଧ୍ୟୁଷିତ ଅଞ୍ଚଳ ଓ ନଦୀଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଜମ୍ମୁ ଡିଭିଜନାଲ କମିଶନର ଜିଲ୍ଲାୱାରୀ ହେଲ୍ପଲାଇନ୍ ଜାରି କରିଛନ୍ତି ।