ପୁରୀ ୧୬/୦୭: ଦାରୁବ୍ରହ୍ମଙ୍କ ରଥରେ ବିଜେ ୩୩ କୋଟି ଦେବତା । ସମସ୍ତେ ଭଗବାନଙ୍କ ରୂପ । ବିଭିନ୍ନ  ଯୁଗରେ ଅବତୀର୍ଣ୍ଣ ହୋଇ ଲୀଳାଖେଳା କରିଛନ୍ତି । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା  ଓ ଶ୍ରୀଜଗନ୍ନାଥ ଅସଲରେ ତିନି ଜଣ ନୁହନ୍ତି । ସେ ସ୍ୱୟଂ ଭଗବାନ । ଭିନ୍ନ ରୂପରେ ଭକ୍ତ ସମ୍ମୁଖରେ ପ୍ରତୀୟମାନ ହୁଅନ୍ତି । ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ୱ ଦେବତା ଅବସ୍ଥାନ  କରନ୍ତି । ତିନି ରଥରେ ମୋଟ ୨୭ ଜଣ ପାର୍ଶ୍ୱ ଦେବଦେବୀ ଅଧିଷ୍ଠିତ । ପୁଣି ତିନି ରଥରେ  ବିରାଜମାନ କରନ୍ତି ଦୁଇ ଜଣ ଲେଖାଏଁ ୬ ଜଣ ଦ୍ୱାରପାଳ । ଏହିି ୩୩ ଜଣ ହିଁ  ସ୍ୱର୍ଗଲୋକର ୩୩ କୋଟି ଦେବତାଙ୍କ ସ୍ୱରୂପ । ରଥରେ ୩୩ କୋଟି ଦେବତା ଅବସ୍ଥାନ  କଲେ ହିଁ ଦାରୁବ୍ରହ୍ମଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ କୁହନ୍ତି ବରିଷ୍ଠ ଚିତ୍ରକର ସେବକ ଚନ୍ଦ୍ରଶେଖର ମହାରଣା ।

ଅଧିକ ପଢ଼ନ୍ତୁ :- Rath yatra 2026: ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା, ମୟୂରପୁଚ୍ଛ ଟାହିଆରେ ଝୁଲି ଝୁଲି ଆସନ୍ତି ହଳଧର ଓ ନୀଳାଦ୍ରିନାଥ

ତିନି ଭାଇ ଭଉଣୀ ହେଉଛନ୍ତି ତ୍ରି-ତତ୍ତ୍ୱ । ସତ୍ତ୍ୱ, ରଜ ଓ ତମ । ସତ୍ତ୍ୱ ହେଉଛନ୍ତି  ବଳରାମ ସ୍ୱୟଂ ବଡ଼ଠାକୁର । ରଜ ଦେବୀ ସୁଭଦ୍ରା । ତମ ହେଉଛନ୍ତି ରାଜାଧିରାଜ ପ୍ରଭୁ  ଶ୍ରୀଜଗନ୍ନାଥ । ଏଣୁ ଭଗବାନଙ୍କ ତିନି ପ୍ରକାର ରୂପ। ଯେପରି ପୁରୁଷୋତ୍ତମ ଶ୍ରୀରାମଙ୍କ  ଭିନ୍ନ ଭିନ୍ନ ସ୍ୱରୂପ । କେତେବେଳେ ମହାରାଜା, ବନଚାରୀ ତ ପୁଣି କେତେବେଳେ  ଯୋଗୀ । ଠାକୁରଙ୍କ ଦଶାବତାର ମଧ୍ୟ ସେଇୟା । ଦଶାବତାର ହେଉଛନ୍ତି ୧୦ ପ୍ରକାର ଗୁଣ ।  ଦଶ ତତ୍ତ୍ୱ । କିନ୍ତୁ ବ୍ରହ୍ମ ଗୋଟିଏ । ତିନି ପ୍ରକାର କିମ୍ବା ତିନି ଭାଗରେ ବିଭକ୍ତ ନୁହେଁ ବ୍ରହ୍ମ  ।  ଏସବୁ ତାତ୍ତ୍ୱିକ ବିଶ୍ଲେଷଣ କରେ ଭଗବାନଙ୍କ ଏହି ଅନନ୍ୟ ଲୀଳା । ମନୁଷ୍ୟ ସମାଜରେ ଏଭଳି ଧାରଣା ସୃଷ୍ଟି ପାଇଁ ଜଗନ୍ନାଥ ତତ୍ତ୍ୱରେ ରଥ ଯାତ୍ରାର ପ୍ରଚଳନ । ଏଥିରେ କୌଣସି ଭେଦଭାବ  ନାହିଁ । ହିନ୍ଦୁ, ମୁସଲିମ୍‌, ଖ୍ରୀଷ୍ଟିଆନ୍‌ ସମସ୍ତେ ଏକତ୍ର ଈଶ୍ୱରଙ୍କୁ ଆରାଧନା କରନ୍ତି । ସମସ୍ତେ  ମିଳିମିଶି ରଥ ଟାଣନ୍ତି । ସ୍ୱୟଂ ଶ୍ରୀଜଗନ୍ନାଥ ନୀଳକନ୍ଦରରୁ ଆସି ସମସ୍ତଙ୍କ ସଙ୍ଗେ ଏକାକାର  ହୋଇଯାନ୍ତି । ‘ବସୁଧୈବ କୁଟୁମ୍ବକମ୍‌’ର ଅମୃତ ବାର୍ତ୍ତା ସାରା ବିଶ୍ୱରେ ବାଣ୍ଟନ୍ତି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଲୀଳା, ବଡ଼ଦାଣ୍ଡରେ ଔଦାର୍ଯ୍ୟ ଲୀଳା ଓ ଗୁଣ୍ଡିଚା  ଘରେ ମାଧୁର୍ଯ୍ୟ ଲୀଳା ସମ୍ପନ୍ନ ହୁଏ । ରଥକୁ ଠାକୁରେ ଆସିବାର ଯଥେଷ୍ଟ ପୂର୍ବରୁ ପାଶ୍ୱର୍  ଦେବଦେବୀ ରଥରେ ଅଧିଷ୍ଠିତ ହୁଅନ୍ତି । ଛୋଟ ମନ୍ଦିର ଭଳି କାଠ ନିର୍ମିତ ଶିଖରଡମ୍ବରୁ  ଭିତରେ ଦେବଦେବୀ ଅବସ୍ଥାନ କରନ୍ତି । ମହାପ୍ରଭୁଙ୍କ ନବକଳେବର ବର୍ଷ ପାଶ୍ୱର୍ଦେବତା  ନୂତନ ଭାବେ ନିର୍ମିତ ହୁଅନ୍ତି । ରୂପକାର ସେବକମାନେ ଏମାନଙ୍କୁ ତିଆରିଲେ ଚିତ୍ରକର  ସେବକ ରଙ୍ଗ ଦେଇ ସୁନ୍ଦର କରନ୍ତି । ପ୍ରତି ବର୍ଷ ରଙ୍ଗ ଦିଆଯାଇ ପ୍ରସ୍ତୁତ ହେଲେ ପାଶ୍ୱର୍  ଦେବଦେବୀ ରଥରେ ଅବସ୍ଥାନ କରୁଥିବା କୁହନ୍ତି ଚିତ୍ରକର ସେବକ ଚିତ୍ତରଞ୍ଜନ । ଭିନ୍ନ  ଭିନ୍ନ ଯୁଗରେ ଠାକୁରେ କରିଥିବା ଲୀଳା ଆଧାରିତ ପ୍ରସଙ୍ଗକୁ ନେଇ ତାଳଧ୍ୱଜ, ନନ୍ଦିଘୋଷ  ଏବଂ ଦେବଦଳନ ରଥରେ ୨୭ ଦେବଦେବୀ ଅଧିଷ୍ଠିତ ହେଉଥିବା କୁହନ୍ତି ରୂପକାର ସେବକ  ରାଜେନ୍ଦ୍ର ମହାପାତ୍ର, ପଞ୍ଚାନନ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ନବକଳେବର ଅବସରରେ  ଠାକୁରମାନଙ୍କ ଭଳି ପାଶ୍ୱର୍ ଦେବଦେବୀଙ୍କୁ ମଧ୍ୟ କୋଇଲି ବୈକୁଣ୍ଠରେ ସମାଧି ଦେଇ ଦିଆଯାଏ ।  ପୁରାଣ ଶାସ୍ତ୍ରରେ ଏସବୁର ମହତ୍ତ୍ୱ ବର୍ଣ୍ଣନା ରହିଥିବା କୁହନ୍ତି ରଥ ନିର୍ମାଣକାରୀ।

ବାଇଶ ଭୁଜା ନୃସିଂହେ

ତାଳଧ୍ୱଜ ରଥରେ ଅବସ୍ଥାନ  କରୁଛନ୍ତି ବାଇଶ ଭୁଜା  ନୃସିଂହେ । ଠାକୁରଙ୍କ ବାଇଶ  ଗୋଟି ହସ୍ତ ରହିଛି । ରଥରେ  ଏଭଳି ଦେବତାଙ୍କ ପ୍ରକାଶ  ସ୍ୱତନ୍ତ୍ର ଓ ଅନନ୍ୟ । ଯାହାକି  ଠାକୁରଙ୍କ ବିଭିନ୍ନ ଯୁଗୀୟ  ଲୀଳାକୁ ଦର୍ଶାଏ । ନୃସିଂହ  ମହାପ୍ରଭୁ ଶ୍ରୀହସ୍ତରେ ଶଙ୍ଖ,  ଚକ୍ର, ଗଦା, ପଦ୍ମ, ଖଣ୍ଡା, ଢାଲ,  ଫାର୍ସା ଓ ଅଙ୍କୁଶ ଆଦି ୨୧ ପ୍ରକାର  ଆୟୁଧ ଧାରଣ କରିଛନ୍ତି । ଅନ୍ୟ  ହସ୍ତରେ ଅସୁରର ଚୁଟି ଧରି  ତାକୁ ମାରୁଛନ୍ତି ଠାକୁର । 

ଅନନ୍ତ ବାସୁଦେବ

ଶ୍ରୀବଳଭଦ୍ରଙ୍କ ରଥରେ ପୂଜା  ପାଉଛନ୍ତି ଅନନ୍ତ ବାସୁଦେବ ।  ଶ୍ରୀମନ୍ଦିରରେ ପଟିଦିଅଁ ରୂପେ  ଶ୍ରୀବଳଭଦ୍ରଙ୍କ ବାଡ଼ରେ  ଅନନ୍ତ ବାସୁଦେବ ବିଦ୍ୟମାନ ।  ସେ ହେଉଛନ୍ତି ସ୍ୱୟଂ ଶିବ  ତଥା ବଳରାମଙ୍କ ଅଂଶ ।  ଅନନ୍ତ ବାସୁଦେବ ହାତରେ  ଶଙ୍ଖ, ଚକ୍ର ଓ ହଳ ମୂଷଳ  ଧାରଣ କରିଛନ୍ତି । ସପ୍ତଫେଣୀ  ସର୍ପ ଉପରେ ବିଦ୍ୟମାନ  ହୋଇଛନ୍ତି ।

ଶ୍ରୀବଳରାମଙ୍କୁ ଦ୍ବାର ପ୍ରଳମ୍ବାସୁରକୁ ବଧ

ପ୍ରଳମ୍ବାସୁରକୁ ବଧ କରିବା ସ୍ଥିତିରେ  ଶ୍ରୀବଳରାମ ତାଳଧ୍ୱଜ ରଥରେ  ଶୋଭା ପାଉଛନ୍ତିି । ଚାରି ହସ୍ତ  ଯୁକ୍ତ ଶ୍ରୀବଳରାମ ।  ଠାକୁରେ  ମୂଷଳ, ଢାଲ, ଖଙ୍ଖ ଓ ଚକ୍ର  ଆୟୁଧ ରୂପେ ଧାରଣ କରିଛନ୍ତି ।  କଂସ ପଠାଇଥିଲା ପ୍ରଳମ୍ବାସୁରକୁ  ଶ୍ରୀକୃଷ୍ଣଙ୍କୁ ମାରିବାକୁ । ପ୍ରଳମ୍ବାସୁର  ଚିହ୍ନି ନ ପାରି ବଳରାମଙ୍କୁ ମାରିବାକୁ  ବସିିଲା । ଖେଳ କୌତୁକର ଆଳ  କରି ବଳରାମଙ୍କୁ ଟେକି ଉଡ଼ିିଯିବା  ସମୟରେ ବଳରାମ ଅସୁରକୁ  ହତ୍ୟା କରିଥିଲେ।

ଶ୍ରୀଲକ୍ଷ୍ମଣ ଓ ଅଙ୍ଗଦ

ରାମ-ରାବଣ ଯୁଦ୍ଧ ସମୟରେ  ଲକ୍ଷ୍ମଣଙ୍କୁ ସାହାଯ୍ୟ କରିବାକୁ  ହନୁମାନ ଓ ଅଙ୍ଗଦକୁ  ପଠାଇଥିଲେ ରାମଚନ୍ଦ୍ର ।  ରାବଣର ଜଣେ ପୁତୁରା  ଥା’ନ୍ତି ଯିଏ ଅତ୍ୟନ୍ତ ବଳଶାଳୀ  ଓ ଘୋର ମାୟାବୀ । ସେହି  ମାୟାବୀ ରାକ୍ଷସ ଉପରକୁ ଉଠି  ଲକ୍ଷ୍ମଣଙ୍କ ସହ ଯୁଦ୍ଧ କରିବାରେ  ଲାଗିଲା । ଏଣୁ ଅଙ୍ଗଦଙ୍କ  କାନ୍ଧରେ ବସି ଲକ୍ଷ୍ମଣ ଆକାଶ  ମାର୍ଗରେ ଥାଇ ସେହି ରାକ୍ଷସକୁ  ବଧ କରିଥିଲେ ।

ଷଡ଼ାନନ କାର୍ତ୍ତିକେଶ୍ୱର

ତାଳଧ୍ୱଜ ରଥରେ ବିଜେ  ଷଡ଼ାନନ କାର୍ତ୍ତିକେଶ୍ୱର ।  ଠାକୁରେ ଛଅ ମସ୍ତକ ଧାରଣ  କରିଛନ୍ତି । ୧୨ ବର୍ଷ ବୟସରେ  ଠାକୁରେ ତାରକାସୁରକୁ ବଧ  କରିଥିଲେ । ଶିବଙ୍କ ଅଂଶରୁ  ଜନ୍ମ କାର୍ତ୍ତିକେୟ । ମହାଦେବଙ୍କ ତେଜରୁ ୬ ଜଣ ଋଷିକନ୍ୟାଙ୍କ  ପୁତ୍ର ଭାବେ କାର୍ତ୍ତିକେୟ  ଜନ୍ମଲାଭ କରିଥିଲେ । 

ହସ୍ତୀନା ବଳରାମ

ବଡ଼ଠାକୁର ତଥା ସ୍ୱୟଂ ବଳରାମ ଏକ ପାଗଳ ହାତୀକୁ ଦ୍ୱାପର ଯୁଗର ଲୀଳାକ୍ରମରେ ମାରିଥିଲେ ।  ଯାହାକି ରାକ୍ଷସ ରାଜା କଂସ  ଦ୍ୱାରା ପଠାଯାଇଥିଲା । ଠାକୁରଙ୍କ  ଶ୍ରୀଅଙ୍ଗରେ ହାତୀ ଠାରୁ ମଧ୍ୟ ଆହୁରି  ଅଧିକ ଗୁଣ ବଳ । କୌଣସି ଦେବତା  ହାତୀଙ୍କୁ ଟେକି ଧରିବା କେହି କେବେ  ଦେଖି ନ ଥିବେ । ଦୁଇ ହାତରେ  ହାତୀକୁ ଟେକିଧରି ବଳରାମ (କେହି  କୁହନ୍ତି ହସ୍ତୀନା ବଳରାମ) ବିଜେ  ହୋଇଛନ୍ତି ତାଳଧ୍ୱଜ ରଥରେ । ବଳରାମ ଅଷ୍ଟ ଭୁଜରେ ଅଙ୍କୁଶ,  ମୂଷଳ, ହଳ, ଫାର୍ସା, ଅଭୟ ଓ  ବରଦାୟକ ମୁଦ୍ରାରେ ରହିଛନ୍ତି ।

ନାଟାମ୍ବର ତଥା ବାନାମ୍ବର

ତାଳଧ୍ୱଜ ରଥରେ ବିଜେ ପ୍ରଭୁ  ନାଟାମ୍ବର ତଥା ବାନାମ୍ବର । ସେ  ବଡ଼ଠାକୁର ତଥା ସ୍ୱୟଂ ଶିବଙ୍କ  ରୂପ । ଶ୍ରୀକ୍ଷେତ୍ରରେ ବାନାମ୍ବର  ଉପାସନାର ସ୍ୱତନ୍ତ୍ରତା ରହିଛି ।  ଠାକୁରେ ଉପର ହସ୍ତରେ ସର୍ପ  ଧାରଣ କରିଛନ୍ତି । ପ୍ରଭୁ ବୃଷଭ  ପିଠିରେ ନାଚିବା ଅବସ୍ଥାରେ  ବିଜେ କରିଛନ୍ତି ।

ନୃତ୍ୟଗଣେଶ

ଅତି ଆନନ୍ଦରେ ନୃତ୍ୟ କରୁଛନ୍ତି  ଗଜାନନ । ବଡ଼ଠାକୁରଙ୍କ  ରଥରେ ବିରାଜମାନ କରି  ଠାକୁରେ ବେଶ୍‌ ଖୁସି । ଠାକୁରେ  ଅଷ୍ଟଭୁଜା ନୃତ୍ୟ ଗଣେଶ ।  ଉପର ଦୁଇ ହସ୍ତରେ ସର୍ପ ।  ଅନ୍ୟ ହସ୍ତରେ ପାଶ, ଅଙ୍କୁଶ, ମାଳି ଓ ଘଣ୍ଟି ଧାରଣ କରିଥାନ୍ତି ।  ଘଣ୍ଟି ହେଉଛି ଶୁଭଙ୍କର ଅର୍ଥାତ୍‌  ଶୁଭର ପ୍ରତୀକ । ଘଣ୍ଟି ଧ୍ୱନିରେ  ନକାରାତ୍ମକ ଶକ୍ତିର ବିଲୋପ  ହୋଇଥାଏ ।

ଶ୍ରୀବଳରାମ

ତାଳଧ୍ୱଜ ରଥରେ  ପାଶ୍ୱ ର୍ଦେବତା ଭାବେ ଅବସ୍ଥାନ  କରୁଛନ୍ତି ଶ୍ରୀବଳରାମ ।  ଶ୍ରୀବଳଭଦ୍ର ହେଉଛନ୍ତି  ବଳରାମ । ଦୁଇ ହସ୍ତରେ ହଳ  ମୂଷଳ ଧାରଣ କରିଥିବେ ।  ଶ୍ରୀବଳଭଦ୍ର ହେଉଛନ୍ତି ସ୍ୱୟଂ  ଶିବ । ଠାକୁରେ ଶ୍ରୀବଳରାମଙ୍କ  ରୂପରେ ଅବତାର ନେଇଛନ୍ତି ।  କଳିଯୁଗର ପ୍ରତ୍ୟକ୍ଷ ଠାକୁରେ  ହେଲେ ଶ୍ରୀବଳଭଦ୍ର । 

ନନ୍ଦ

ତାଳଧ୍ୱଜ ରଥର ଦ୍ୱାରପାଳ  ହେଉଛନ୍ତି ନନ୍ଦ ଓ ସୁନନ୍ଦ ।  କୁହାଯାଏ ଏମାନେ ଦ୍ୱାପର ଯୁଗର  ଲୀଳାରେ ଶ୍ରୀକୃଷ୍ଣ ବଳରାମଙ୍କ  ଅତି ପ୍ରିୟ ସଖା ଥିଲେ ।  ଗୋପାଳମାନଙ୍କ ସହ ଲୀଳା  କରିବା ସମୟରେ ଏହି ଦୁଇଜଣ ଉପସ୍ଥିତ ରହୁଥିଲେ । ସେମାନେ  ଏଠାରେ ଦ୍ୱାରପାଳ ଭାବେ ପୂଜା  ପାଉଛନ୍ତି । କେହି କେହି କୁହନ୍ତି  ଠାକୁରଙ୍କ ହାତରେ ସେମାନଙ୍କ  ଅଭିଶପ୍ତ ଜୀବନରୁ ମୁକ୍ତ ହୋଇ  ଏଠାରେ ଦ୍ୱାରପାଳ ଅଛନ୍ତି । 

ସୁନନ୍ଦ  

ବଡ଼ଠାକୁରଙ୍କ ସିଂହାସନ  ସମ୍ମୁଖରେ ଅବସ୍ଥାନ କରି ଦ୍ୱାର  ଜଗିଛନ୍ତି । ଭଗବାନଙ୍କ ଦ୍ୱାପର  ଯୁଗୀୟ ଲୀଳାରେ ସୁନନ୍ଦ  ବଳରାମଙ୍କ ଭାରି ଭଲ ବନ୍ଧୁ  ଥିଲେ । ତାଙ୍କର ବାଲ୍ୟକାଳର  ଅଧିକାଂଶ ଲୀଳାରେ ସୁନନ୍ଦଙ୍କ ସାଥିରେ ରହିଥିଲେ । ଏଣୁ  ଦ୍ୱାରପାଳ ଭାବେ ତାଙ୍କର  ପ୍ରିୟ ସାଥୀ ଭାବେ ରହିଛନ୍ତି ।  ପୁଣି କୁହାଯାଏ ଅଭିଶପ୍ତ  ଜୀବନରୁ ମୁକ୍ତି ପରେ  ଠାକୁରଙ୍କ ଦ୍ୱାରପାଳ ଦାୟିତ୍ୱରେ  ରହିଛନ୍ତି ।

ମଧୁକଳ୍ପ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ରଥରେ ବିଜେ ହୋଇଛନ୍ତି  ମଧୁକଳ୍ପ ଅଥବା ମଧୁକୈଟଭ ।  ଠାକୁରେ ହେଉଛନ୍ତି ସ୍ୱୟଂ  ନାରାୟଣଙ୍କ ଏକ ରୂପ ।  ଅସୁରକୁ ନିଧନ କରିବା  ପାଇଁ ଠାକୁରେ ଏହି ରୂପ  ନେଇଥିଲେ । ଠାକୁରେ  ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା  ଓ ରାକ୍ଷସର ଚୁଟି ଧରିଥିବା  ସ୍ଥିତିରେ ବିଜେ କରିଛନ୍ତି ।  ବଡ଼ଦେଉଳକୁ ନେଇ ଏସବୁ  ଦେବ ପ୍ରତିମା ନିର୍ମିତ ।

ଶ୍ରୀରାମଚନ୍ଦ୍ର ଓ ହନୁମାନ

ରାମ ରାବଣ ଯୁଦ୍ଧ ସମୟରେ  ପୁରୁଷୋତ୍ତମଙ୍କ ନିକଟରେ  ରଥ ନ ଥିଲା । ମାୟାବୀ ରାକ୍ଷସ  ରାବଣ ଯେବେ ଶୂନ୍ୟରେ  ଉଡ଼ି ଶ୍ରୀରାମଙ୍କ ସହ ଯୁଦ୍ଧ  କଲା ସେତେବେଳେ ପବନ  ପୁତ୍ର ତଥା ଠାକୁରଙ୍କ ଅତି ପ୍ରିୟ  ଭକ୍ତ ହନୁମାନ ଶ୍ରୀରାମଙ୍କୁ ନିଜ  କାନ୍ଧରେ ବସାଇ ଉଡ଼ିଥିଲା ।  ଭକ୍ତ ହନୁମାନ କାନ୍ଧରେ  ଶ୍ରୀରାମ ବସି ରାବଣ ସହ ଯୁଦ୍ଧ  କରିଥିଲେ । ଧନୁ ତୀର ଧାରଣ  କରି ଶ୍ରୀରାମଚନ୍ଦ୍ର ନନ୍ଦିଘୋଷରେ  ବିଜେ ହୋଇଥାନ୍ତି ।

ପ୍ରଭୁ ହରିହର

ପ୍ରଭୁ ହରିହର ଅର୍ଦ୍ଧାଙ୍ଗ ହରି  ଓ ଅର୍ଦ୍ଧାଂଶ ହରଙ୍କ ସ୍ୱରୂପ ।  ଶ୍ରୀକ୍ଷେତ୍ର ଶ୍ରୀବିଷ୍ଣୁଙ୍କ କ୍ଷେତ୍ର  ହେଲେ ମଧ୍ୟ ମହାଦେବଙ୍କ  ମହତ୍ତ୍ୱ ଆଦୌ ଊଣା ନୁହେଁ ।  ଜାଗର ଯାତ୍ରା ଠାରୁ ଶମ୍ଭୁ  ଏକାଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ  ହରିହର ଉପାସନା ପ୍ରଚଳିତ ।  ଶୈବ ଓ ବୈଷ୍ଣବଙ୍କ ମଧ୍ୟରେ  ରହିଥିବା ବିବାଦରେ ଅନ୍ତ ଆଣିବା  ପାଇଁ ହରିହର ଉପାସନାର  ବିଶେଷ ମହତ୍ତ୍ୱ ରହିଛି । ହରିଙ୍କ  ନିକଟରେ ଗରୁଡ଼ ଓ ହରଙ୍କ  ପାଖେ ବୃଷଭ ରହିଥାନ୍ତି ।

ଗିରିଗୋବର୍ଦ୍ଧନଧାରୀ

ଅବିଶ୍ରାନ୍ତ ବର୍ଷାରୁ ଗୋପବାସୀଙ୍କୁ  ସୁରକ୍ଷା ଦେବାକୁ ଯାଇ ପ୍ରଭୁ ଶ୍ରୀକୃଷ୍ଣ  ନିଜ କାଣି ଅଙ୍ଗୁଳିରେ ଗିରିଗୋବର୍ଦ୍ଧନ  ପାହାଡ଼କୁ ଟେକି ଧରିଥିଲେ ।  ପାହାଡ଼ ତଳେ ଗୋପବାସୀଙ୍କ  ସମେତ ଗୋବତ୍ସା ଆଦି ଆଶ୍ରୟ  ନେଇଥିଲେ । ଠାକୁରେ ବଂଶୀ  ଧାରଣ କରିବା ସହ ପାହାଡ଼କୁ ଟେକି  ଧରିବାର ଦୃଶ୍ୟ ରହିଛି । ଅନ୍ୟମାନେ  ଦଣ୍ଡ ସାହାଯ୍ୟରେ ପାହାଡ଼ ତଳୁ  ଢେରା ଦେଇଥିବେ । ଅସଲରେ  ଠାକୁରେ ସିନା ଟେକିଥିଲେ ଶ୍ରୀରାଧା ଠାକୁରଙ୍କ କହୁଣିକୁ ଟେକି ଧରି ବଳ  ଯୋଗାଇଥିବା କୁହାଯାଏ ।

ପ୍ରଭୁ ଶ୍ରୀନୃସିଂହ

ନନ୍ଦିଘୋଷ ରଥରେ ବିଜେ  ହୋଇଛନ୍ତି ପ୍ରଭୁ ଶ୍ରୀନୃସିଂହ ।  ଠାକୁରଙ୍କ ନିକଟରେ ପ୍ରହଲ୍ଲାଦ  ଯୋଡ଼ ହସ୍ତ ହୋଇ ଦଣ୍ଡାୟମାନ ।  ପ୍ରହଲ୍ଲାଦ ହେଉଛନ୍ତି ମହାପ୍ରଭୁଙ୍କ  ବଡ଼ ଭକ୍ତ । ଠାକୁରଙ୍କ ପ୍ରତି  ଭାବଭକ୍ତିର ମାନ ରକ୍ଷା  କରିବାକୁ ପ୍ରଭୁ ନୃସିଂହ ରାକ୍ଷସ  ହିରଣ୍ୟକଶିପୁକୁ  ମାରିଥିଲେ ।  ଶ୍ରୀନୃସିଂହ ମହାପ୍ରଭୁ ଖମ୍ବରୁ  ଆବିର୍ଭାବ ହେବା ସମୟରେ  ସିଂହ ମୁଖ ଓ ଚାରି ହାତ  ରହିଥିଲା । ଠାକୁରଙ୍କ ତୃତୀୟ  ନେତ୍ର ମଧ୍ୟ ରହିଛି । 

ରାବଣର ଛତ୍ରଭଙ୍ଗ

ସୀତାଦେବୀଙ୍କ ହରଣ ପରେ  ବିଭୀଷଣ ରାଜା ରାବଣଙ୍କୁ  ବୁଝାଇଥିଲା ଦେବୀଙ୍କୁ  ଛାଡ଼ିଦେବାକୁ । ଏଥିରେ  ଉତ୍‌କ୍ଷିପ୍ତ ହୋଇ ରାବଣ କୋପ  କରିବାରେ ବିଭୀଷଣ ଆସି  ଶ୍ରୀରାମଙ୍କ ଶରଣ ପଶିଥିଲେ ।  ଏହି ଦୃଶ୍ୟକୁ ରାବଣ ବାଦଲ  ଭିତରୁ ଲୁଚି ଦେଖୁଥିବା ସ୍ଥଳେ  ଶ୍ରୀଲକ୍ଷ୍ମଣଙ୍କ ନଜର ରାବଣ  ଉପରେ ପଡ଼ିଥିଲା । ଏଥିରେ  ରାଗି ଯାଇ ଶ୍ରୀଲକ୍ଷ୍ମଣ ଗୋଟିଏ  ତୀର ମାରି ରାବଣର ଛତ୍ରଭଙ୍ଗ  କରିଥିଲେ ।

ସ୍ବୟଂ ନାରାୟଣ 

ଶ୍ରୀଜଗନ୍ନାଥଙ୍କ ରଥରେ  ପାଶ୍ୱ ର୍ ଦେବତାଭାବେ ବିଜେ  ହୋଇଛନ୍ତି ପ୍ରଭୁ ଶ୍ରୀନାରାୟଣ ।  ଠାକୁରେ ଚତୁ ର୍ଭୁଜ ହୋଇ  ଶଙ୍ଖ, ଚକ୍ର, ଗଦା ଓ ପଦ୍ମ  ଧାରଣ କରିଛନ୍ତି । ମହାପ୍ରଭୁଙ୍କ  ଅନବସର ଗୁପ୍ତ ପୂଜା  ଅବସରରେ ପଟିଦିଅଁ ରୂପେ  ମହାପ୍ରଭୁଙ୍କ ବାଡ଼ରେ ପ୍ରଭୁ  ନାରାୟଣ ଜଗମୋହନରେ  ଅଧିଷ୍ଠିତ ହୋଇ ପୂଜା  ପାଇଥାନ୍ତି ।

ଚିନ୍ତାମଣି  ଶ୍ରୀକୃଷ୍ଣ

ନନ୍ଦିଘୋଷରେ ବିଜେ ଚିନ୍ତାମଣି  ଶ୍ରୀକୃଷ୍ଣ । ଠାକୁରଙ୍କ ଅନ୍ୟନାମ  ମକୁନ୍ଦ ବା ମୁକୁନ୍ଦ ଶ୍ରୀକୃଷ୍ଣ ।  ଠାକୁରେ ଅଷ୍ଟଭୁଜା । ଉପର  ହସ୍ତରେ ଶଙ୍ଖ ଓ ଚକ୍ର । ନିମ୍ନ  ହସ୍ତରେ ରହିଛି ଗଦା, ପଦ୍ମ ଓ  ଧନୁ, ଶର । ଅନ୍ୟ ଦୁଇ ହାତରେ  ମହାପ୍ରଭୁ ବଂଶୀ ଧରିଛନ୍ତି ।  ଠାକୁରଙ୍କ ଏହା ନିଆରା ରୂପ ।  ଦୁଇ ପାଶ୍ୱର୍ରେ ରହିଛନ୍ତି ଦୁଇ  ଜଣ ଦେବଦାସୀ । ଚିନ୍ତାମଣିଙ୍କୁ  ପୂଜାର୍ଚ୍ଚନା କଲେ ମନୁଷ୍ୟ  ଜୀବନରୁ ମୁକ୍ତି ମିଳେ ବୋଲି  ବିଶ୍ୱାସ ରହିଛି । 

 ପଞ୍ଚମୂଖୀ ମହାବୀର

ମହାପ୍ରଭୁଙ୍କ ରଥରେ ବିଜେ  ପଞ୍ଚମୂଖୀ ମହାବୀର ।  ଠାକୁରଙ୍କ ଶ୍ରୀଅଙ୍ଗରେ ପଞ୍ଚ  ଦେବତା ବିଦ୍ୟମାନ । ସଭିଏଁ  ଉଗ୍ର ମୂତ୍ତି ର୍ । ତଥା ରୁଦ୍ର ମିଶା ।  ହଇଗ୍ରୀବ ହେଉଛନ୍ତି ଧବଳ  ବର୍ଣ୍ଣ, ଶ୍ରୀବିଷ୍ଣୁ ଓ ମହେଶ୍ୱରଙ୍କ  ଅଂଶ । ନୃସିଂହ ହେଉଛନ୍ତି  ମହାଦେବଙ୍କ ଅଂଶ । ପରକୁ  ରହିଲେ ମହାବୀର ରୁଦ୍ର  ଅବତାର । ଶ୍ରୀଅଙ୍ଗରେ ବରାହ  ତଥା ମୂଷଳଧାରୀ ଓ ଗରୁଡ଼  ବିଦ୍ୟମାନ ।

ଜୟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ନନ୍ଦିଘୋଷ ରଥର ଦ୍ୱାରପାଳ  ହେଉଛନ୍ତି ଜୟ ଓ ବିଜୟ ।  ବୈକୁଣ୍ଠାଧିପତି ସ୍ୱୟଂ  ଭଗବାନ ଶ୍ରୀଜଗନ୍ନାଥ  ଏଠାରେ ବିଜେ କରିଛନ୍ତି ।  ତେଣୁ ଜଗତାଧିପତି ପ୍ରଭୁ  ଶ୍ରୀଜଗନ୍ନାଥଙ୍କ ଦ୍ୱାରପାଳ ଭାବେ ଜୟ ନନ୍ଦିଘୋଷ  ରଥରେ ବିଜେ କରିଛନ୍ତି ।  ଶ୍ରୀମନ୍ଦିରରେ ମଧ୍ୟ ଜୟ  ବିଜୟଙ୍କ ନାମରେ ଏକ  ମୁଖ୍ୟ ଦ୍ୱାର ରହିଛି ।

ବିଜୟ

ନନ୍ଦିଘୋଷର ଅନ୍ୟତମ  ଦ୍ୱାରପାଳ ହେଉଛନ୍ତି ବିଜୟ ।  ଶ୍ରୀମନ୍ଦିରରେ ଥିବା ଜୟ ବିଜୟ  ଦ୍ୱାରର ଦୁଇ ପାଶ୍ୱର୍ରେ ଶଙ୍ଖ,  ଚକ୍ର, ଗଦା, ପଦ୍ମ ଧାରଣ କରି  ଜୟ ବିଜୟ ଦ୍ୱାରପାଳ ଭାବେ  ବିରାଜମାନ କରିଛନ୍ତି । ଚର୍ତୁଭୁଜ ଧାରଣ କରିଛନ୍ତି । ଭଗବାନ  ନାରାୟଣ ରଥରେ ବିଜେ  କରିଥିବାରୁ ଜୟ ବିଜୟ ଉଭୟ  ପାଶ୍ୱର୍ରେ ଦ୍ୱାରପାଳ ଭାବେ  ରହିଛନ୍ତି ।

ମା’ମଙ୍ଗଳା

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ  ରଥରେ ବିଜେ ମା’ମଙ୍ଗଳା ।  ଜଗତର ମାଆ ରୂପେ  ମା’ମଙ୍ଗଳାଙ୍କୁ ଗ୍ରହଣ କରାଯାଏ ।  ମହାପ୍ରଭୁଙ୍କ ନବକଳେବର  ଅବସରରେ ଦାରୁ ଅନ୍ୱେଷଣ  ସମୟରେ ମା’ଙ୍କ ସ୍ୱପ୍ନାଦେଶ  ତଥା ମାର୍ଗଦର୍ଶନରେ ଠାକୁରଙ୍କ  ଦାରୁ ମିଳିଥାଏ । ତନ୍ତ୍ର ସାଧନାର  ମୁଖ୍ୟ ଠାକୁରାଣୀ । ଚାରି ହସ୍ତରେ  ଠାକୁରାଣୀ ଅଭୟ, ବର, ପାଶ  ଓ ଅଙ୍କୁଶ ଧାରଣ କରିଛନ୍ତି ।

ମା’ବିମଳା

ମା’ବିମଳାଙ୍କ ହସ୍ତରେ ରହିଛି  ସନ୍ତାନ । ସନ୍ତାନ ହେଉଛି  ମା’ଙ୍କ ଆୟୁଧ । ଯେଉଁଠି  ଧର୍ମ ହାରିଯାଏ ସେଠାକୁ ମା’  ଏହି ବିଜୟ ପୁତ୍ରଙ୍କୁ ପଠାଇ  ବିଜୟ ପ୍ରାପ୍ତି କରାନ୍ତି । ଅନ୍ୟ  ହସ୍ତରେ ଅଙ୍କୁଶ ଓ ଅମୃତ  କଳସ ଧାରଣ କରିଛନ୍ତି ।  ଦୁଇ ପାଶ୍ୱର୍ରେ ସିଂହ ଓ କନ୍ୟା  ଶୋଭା ପାଉଛନ୍ତି । ସିଂହ  ବାହନ ରୂପେ ବିଦ୍ୟମାନ । 

ଦେବୀ ବନଦୁର୍ଗା

ଶ୍ରୀକ୍ଷେତ୍ରରେ ଦେବୀ ବନଦୁର୍ଗାଙ୍କ  ଉପାସନା ଅତି ପ୍ରାଚୀନ ।  ମା’ଜଙ୍ଗଲରେ ଭ୍ରମଣ କରିବା  ସମୟରେ ତାଙ୍କ ପାଦରେ କଣ୍ଟା  ଫୁଟିଯାଏ । ଏହା ଦେଖି ଶ୍ରୀବିଷ୍ଣୁ ତାଙ୍କ  ପାଦରୁ କଣ୍ଟା କାଢ଼ି ଦିଅନ୍ତି । ଏଡ଼େ  ବଡ଼ ଠାକୁର ହୋଇ ଜଣେ ମହିଳାଙ୍କ  ପାଦ ଧରିଲେ କହି ମହାଦେବ  ଶ୍ରୀବିଷ୍ଣୁଙ୍କୁ ଉପହାସ କରନ୍ତି । ବ୍ରହ୍ମା  ମଧ୍ୟ ଭିନ୍ନ ରୂପରେ ସେଠାରେ ପ୍ରକଟ  ହୋଇ ଏସବୁ ଦୃଶ୍ୟ ଦେଖୁଥିବାର  କଥା ଜନମାନସରେ ରହିଛି ।  ଶାରଦୀୟ ପୂଜା ଅବସରରେ  ବନଦୁର୍ଗାଙ୍କ ମନ୍ତ୍ରରେ ଗୋସାଣୀ ଓ  ନାଗା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯାଏ ।

ମା’ ଜୟଦୁର୍ଗା

ମା’ ସୁଭଦ୍ରାଙ୍କ ଦେବଦଳନ  ରଥରେ ବିରାଜମାନ କରିଛନ୍ତି  ମା’ ଜୟଦୁର୍ଗା । ଆଶ୍ୱିନ  ମାସରେ ଗୁପ୍ତ ଗୁଣ୍ଡିଚା  ଅବସରରେ ମା’ଜୟଦୁର୍ଗା  ମାଧବଙ୍କ ସହ ଯାତ୍ରା  କରିଥାନ୍ତି । ଏହା ଶ୍ରୀମନ୍ଦିରରେ  ଅନନ୍ୟ ଦେବୀ ପୂଜାର ବିଧିବିଧାନ । ଜୟଦୁର୍ଗା  ନାରାୟଣୀଙ୍କ ରୂପରେ ଉଦ୍ଧ୍ୱର୍  ହସ୍ତରେ ଶଙ୍ଖ, ଚକ୍ର ଓ ନିମ୍ନ  ହସ୍ତ ତ୍ରିଶୁଳ ଧାରଣ କରି  ରାକ୍ଷସକୁ ବଧ କରୁଛନ୍ତି । 

ମା’ହରଚଣ୍ଡୀ

ଭଗବତୀ ଅଷ୍ଟଭୁଜା  ମା’ହରଚଣ୍ଡୀ ।  ମହିଂଷାମର୍ଦ୍ଦିନୀ ମା ଦୁର୍ଗା ।  ବାମ ହସ୍ତରେ ମଇଁଷି  ପାଟିକୁ ମାଡ଼ି ବସିଥିବେ ।  ଡ଼ାହାଣ ହସ୍ତରେ ତ୍ରିଶୁଳ  ଧରି ରାକ୍ଷସକୁ ବଧ  କରୁଥିବେ । ଅନ୍ୟ  ହସ୍ତରେ ଖଣ୍ଡା, ଚକ୍ର,  ଧନୁ, ଶର, ଢ଼ାଲ ଓ ଶଙ୍ଖ  ଧାରଣ କରିଥାନ୍ତି । ଦେବୀ  ରଥରେ ଠାକୁରାଣୀ ବିଜେ  କରିଥାନ୍ତି ।

ମା’ଭୁବନେଶ୍ୱରୀ

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ  ରଥରେ ବିଜେ ହୋଇଛନ୍ତି  ମା’ଭୁବନେଶ୍ୱରୀ । ଭାରି  ଶାନ୍ତ ଶିଷ୍ଟ ଠାକୁରାଣୀ ।  ହେଲେ ଅନୀତି ଦେଖିଲେ  ଭୟଙ୍କର ରୂପ ମଧ୍ୟ ଧାରଣ  କରିଥାନ୍ତି । ଅଣସର  ସମୟରେ ମା’ଭୁବନେଶ୍ୱରୀ  ପଟିଦିଅଁ ରୂପେ ଶ୍ରୀମନ୍ଦିର  ଜଗମୋହନରେ ପୂଜା  ପାଇଥାନ୍ତି ।

ମା’ ବାହାରୀ

ତନ୍ତ୍ର ସାଧନାର ମୁଖ୍ୟ  ଠାକୁରାଣୀ ମା’ ବାହାରୀ ।  ଦେବୀ ଭୂମି ଓ ଜଳର  ଅଧିଶ୍ୱରୀ । ଭୂମି ପୂଜାରେ  ବାରାହୀଙ୍କୁ ଆବାହନର  ସ୍ୱତନ୍ତ୍ରତା ରହିଛି । ହିନ୍ଦୁ ସଂସ୍କୃତି  ଅନୁସାରେ ଶୁଭର ସଙ୍କେତ  ମାଛ ଧରିଛନ୍ତି ଡ଼ାହାଣ ହସ୍ତରେ । ନିମ୍ନ ହସ୍ତରେ ଝାଡ଼ୁ  ଅର୍ଥାତ୍‌ ଶୁଦ୍ଧତାର ପ୍ରତୀକ ।  ଅନ୍ୟ ୨ ହାତରେ ଶିଶୁ ପୁତ୍ର ଓ  ପାନ ବଟା । 

ଦେବୀ ଚାମୁଣ୍ଡା

ଲୋକ ତୁଣ୍ଡରେ କେହି କେହି  ଚାମୁଣ୍ଡା ଠାକୁରାଣୀଙ୍କୁ ଚାମଡ଼ା  ମଧ୍ୟ କୁହନ୍ତି । କ୍ଷୀଣ ଶ୍ରୀଅଙ୍ଗ  କିନ୍ତୁ ପ୍ରଚଣ୍ଡ କ୍ରୋଧି । କଙ୍କାଳ  ସଦୃଶ ଶରୀର ଧାରଣ କରିଥାନ୍ତି  ଦେବୀ । ସେ ହେଉଛନ୍ତି  ତନ୍ତ୍ରର ସାଧନାର ମୂଳ  ଦେବୀ । ଠାକୁରାଣୀ ହେଉଛନ୍ତି  ଦଶଭୁଜା । ହସ୍ତରେ ଧାରଣ  କରିଛନ୍ତି ଖଡ୍ଗ, ଖପୁରୀ, ପାଶ  ଅଙ୍କୁଶ, ମାଳି, ଘଣ୍ଟି, ଭଗବତୀ  ଧରିଛି ଡ଼ଙ୍କି(ଅଗ୍ନିରେ ଆହୁତି  ଦେବା ଜିନିଷ) ଅନ୍ୟ ହସ୍ତରେ  ଆଶୀର୍ବାଦ ।  

ମା’ ଭଦ୍ରକାଳୀ

ପନିକି ସିଂହାସନରେ ବସିଛନ୍ତି  ମା’ । ଏକ ଶିଶୁକୁ କାଟିଦେଇଥିବା  ଜାଣିବା ପରେ ଠାକୁରାଣୀ ନିଜ  ଆଙ୍ଗୁଳିକୁ ଦାନ୍ତରେ କାମୁଡ଼ି ଦେଇ  ଛାନିଆଁ ହୋଇଥିବା ରୂପକାର  କୁହନ୍ତି । ପୁଣି କୁହାଯାଏ ଦୁଷ୍ଟ  ସଂହାର ଅବସରରେ ଭଗବତୀ  ରକ୍ତ ମାଂସ ଭକ୍ଷଣ କରିବା  ସମୟରେ ତାଙ୍କ ଦାନ୍ତରେ ମାଂସ  ଲାଗିଥିବାରେ କଳନା କରି ଏଭଳି  ମୂର୍ତ୍ତି କରାଯାଇଥାଏ ।  ମହାଦେବଙ୍କ  ନିକଟରେ ପହଞ୍ଚିବା ପୂର୍ବରୁ  ଠାକୁରାଣୀ ପନିକି ଆସନରେ ବସି  ଦାନ୍ତ ସଫା କରୁଥିବେ ।

ଗଙ୍ଗା

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ  ରଥର ଦ୍ୱାରପାଳ ହେଲେ  ଗଙ୍ଗା ଓ ଯମୁନା । ଦୁଇ ପବିତ୍ର  ନଦୀ ଦୁଇ ରୂପ ଧାରଣ କରି  ରଥରେ ମା’ଙ୍କ ଦ୍ୱାରପାଳ  ଭାବେ ଅବସ୍ଥାନ କରୁଛନ୍ତି ।  ଦେବୀ ସୁଭଦ୍ରା ହେଉଛନ୍ତି  ସ୍ୱୟଂ ଭୁବନେଶ୍ୱରୀ । ଦେବୀ  ଭୁବନେଶ୍ୱରୀଙ୍କ ସମ୍ମୁଖ  ଭାଗରେ ପବିତ୍ରତମା ନଦୀ  ଗଙ୍ଗା ଯମୁନା ଦ୍ୱାରପାଳ ଭାବେ  ସେବା ପ୍ରଦାନ କରୁଛନ୍ତି । 

ଯମୁନା

ଶ୍ରୀମନ୍ଦିରରେ ମଧ୍ୟ ଗଙ୍ଗା  ଯମୁନା କୂଅ ରହିଛି । ଏହି  କୂପରୁ ପାଣି ଗଲେ ଠାକୁରଙ୍କ  ମହାପ୍ରସାଦ ରନ୍ଧନ ହୋଇଥାଏ ।  ଶହ ଶହ ବର୍ଷ ହେଲା ପ୍ରଭୁଙ୍କ  ପାଖେ ଜଳଦାନ କରି ମଧ୍ୟ  ଦୁଇ କୂଅ କେବେ ସୁସ୍କ ହୋଇଯାଇନାହାନ୍ତି । ଦ୍ୱାର  ରକ୍ଷିକା ଭାବେ ନିଜେ ରହି  ଠାକୁରାଣୀଙ୍କ ରଥର ଶୋଭା  ବର୍ଦ୍ଧନ କରୁଛନ୍ତି ମାତା ଯମୁନା ।

କୋଣଗୁଜ

ରଥର କୋଣ ମାନଙ୍କରେ  କୋଣଗୁଜ ସ୍ଥାପନ  କରାଯାଇଛି । ଏଥିରେ  ନୃସିଂହ ମହାପ୍ରଭୁଙ୍କ ମୁଖ  ଭଳି ସିଂହବିରାଳ ମୂର୍ତ୍ତି  ଖୋଦନ କରାଯାଇଛି ।  ଏସବୁକୁ ରଥର ସୁରକ୍ଷା  କବଚ ଭାବେ ଧରାଯାଏ ।  ନୃସିଂହ ଚତୁର୍ଦ୍ଦଶୀରେ  ରୂପକାରସେବକମାନେ  ଅନୁକୂଳ କରିବା ପରେ  କୋଣଗୁଜରେ ସିଂହବିରାଳ  ରୂପ ଖୋଦ କରିଥାନ୍ତି ।

କନ୍ୟାପଟା

ରଥର ବିଭିନ୍ନ ଅଂଶରେ  କନ୍ୟାପଟା ଲାଗିଥାଏ । ତିନି  ରଥରେ ମୋଟ ୩୨ଟି କନ୍ୟା  ପଟା ଲଗାଯାଏ । ନନ୍ଦିଘୋଷ  ରଥ, ତାଳଧ୍ୱଜ ରଥରେ ୧୨ଟି  ଲେଖାଁଏ ଓ ଦେବୀ ରଥରେ  ୮ଟି କନ୍ୟା ପଟା ଲଗାଯାଏ । ଏହାକୁ ବିଶ୍ୱକର୍ମା କାଠ ପ୍ରସ୍ତୁତ   କଲାପରେ ରୂପକାର ମୂର୍ତ୍ତି  ଖୋଦେଇ କଲେ ଓ ଚିତ୍ରକର  ରଙ୍ଗ କରିଥାନ୍ତି । 

ପଟାଗୁଜ

ରଥର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶର  ନାମ ପଟାଗୁଜ । ଏଥିରେ ଯେଉଁ  ମୂର୍ତ୍ତି ଦୃଶ୍ୟମାନ ହୁଅନ୍ତି ତାହା  ଅନ୍ୟ କେଉଁ ସ୍ଥାନରେ ପ୍ରାୟତଃ  ଦୃଷ୍ଟିକୁ ଆସେ ନାହିଁ । ସିଂହର  ଶରୀର ଦଣ୍ଡାୟମାନ ଭଳି  ରହିଥାଏ । କିନ୍ତୁ ମସ୍ତକ ମନୁଷ୍ୟ  ଭଳି । ଏଭଳି ମୂର୍ତ୍ତି ସବୁ କାହିଁ  କେଉଁ କାଳରୁ ରଥରେ ଶୋଭା  ବର୍ଦ୍ଧନ କରୁଥିବା କୁହନ୍ତି  ନିର୍ମାଣକାରୀ ।

​​​​​​​