ନୂଆଦିଲ୍ଲୀ : ଖୋଲିବ ଭାରତର ହିମ ଯୁଗର ରହସ୍ୟ। ସତ ଉନ୍ମୋଚନ କରିବ ୩,୭୦୦ ବର୍ଷ ତଳର ବାଉଁଶ। ମଣିପୁର ସ୍ଥିତ ଇମ୍ଫାଲ ଉପତ୍ୟକାରେ ୩,୭୦୦ ବର୍ଷ ପୁରୁଣା ଏକ ବାଉଁଶ ଜୀବାଶ୍ମ ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ଏହା ଏସିଆର ଉଦ୍ଭିଦବିଜ୍ଞାନ ଇତିହାସକୁ ନୂଆ ମାର୍ଗ ଦେବ। ଏହି ଜୀବାଶ୍ମୀକୃତ ବାଉଁଶର ଶାଖା ଚିରାଙ୍ଗ ନଦୀ ମଧ୍ୟରେ ଠାବ କରାଯାଇଛି । ଏଥିରୁ ବହୁ କାଳରୁ ଅଦୃଶ୍ୟ ବିରଳ, ପୂର୍ଣ୍ଣସଂରକ୍ଷିତ କଣ୍ଟାଗୁଡ଼ିକର ଚିହ୍ନ ଦେଖିବାକୁ ମିଳିଛି । ତୃଣଭୋଜି ପ୍ରାଣୀଙ୍କଠୁ ରକ୍ଷା ପାଇବା ନିମନ୍ତେ ଏହା ଗଛର ସୁରକ୍ଷା ତନ୍ତ୍ର ଥିଲା । 

ଏହି ଆବିଷ୍କାର ଏସିଆର ସର୍ବପ୍ରାଚୀନ ପରିଚିତ କଣ୍ଟକିତ ବାଉଁଶ ଗଛର ଜୀବାଶ୍ମକୁ ଉପସ୍ଥାପନ କରିଛି । ଉକ୍ତ ଅଞ୍ଚଳରେ ହିମ ଯୁଗ ସମୟରେ ବାଉଁଶ ଗଛ ତିଷ୍ଠିବାର ପ୍ରଥମ ପ୍ରମାଣ ମଧ୍ୟ ପ୍ରଦାନ କରିଛି । ସୂକ୍ଷ୍ମ ଫମ୍ପା ଶାଖା ଓ ତନ୍ତୁଯୁକ୍ତ ଟିସ୍ୟୁ ଯୋଗୁ ବାଉଁଶ ଜୀବାଶ୍ମକୁ ଅତ୍ୟନ୍ତ ବିରଳ ବୋଲି କୁହାଯାଏ, ଯାହା ଖୁବ୍‌ଶୀଘ୍ର ନଷ୍ଟ ହୋଇଯାଏ । ଭୂବୈଜ୍ଞାନିକ ରେକର୍ଡରେ ଏହାର ପ୍ରମାଣ ସଂଗ୍ରହ ସହଜ ନୁହେଁ । ଅଦ୍ୟାବଧି, ବୈଜ୍ଞାନିକମାନେ ଜୀବିତ ପ୍ରଜାତିଙ୍କ ଅଧ୍ୟୟନ ଜରିଆରେ ବାଉଁଶର ପ୍ରତିରକ୍ଷା ବିଷୟରେ ବୁଝିଥିଲେ । ବୀରବଲ ସାହନି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପାଲେଓସାଇନ୍ସେସ୍‌ର ଗବେଷକମାନେ ପ୍ରୟୋଗଶାଳାରେ ଜୀବାଶ୍ମର କଣ୍ଠି, ଖୋଲିନଥିବା ପତ୍ର ଓ କଣ୍ଟାର ଚିହ୍ନଗୁଡ଼ିକର ସବିଶେଷ ବିଶ୍ଳେଷଣ କଲେ । ସେମାନେ ଏହାକୁ ଚିମୋନୋବାମ୍ବୁସା ପ୍ରଜାତି ରୂପେ ଚିହ୍ନଟ କଲେ, ଯାହା ବାମ୍ବୁସା ବୋମ୍ବୋସ୍‌ ଓ ଚିମୋନୋବାମ୍ବୁସା କାଲୋସା ଭଳି ଆଧୁନିକ କଣ୍ଟାଯୁକ୍ତ ବାଉଁଶର ତୁଳନା ଆଧାରରେ ଗଛର ପ୍ରାଚୀନ ରକ୍ଷାତ୍ମକ ଲକ୍ଷଣ ଓ ପାରିସ୍ଥିତିକ ଭୂମିକାର ପୁନଃନିର୍ମାଣରେ ସାହାଯ୍ୟ କଲା । 

ଜୀବାଶ୍ମଟି ଅପେକ୍ଷାକୃତ ଥଣ୍ଡା, ଶୁଷ୍କ ଜଳବାୟୁ ସମୟର। ଯେଉଁଥିପାଇଁ ୟୁରୋପ ସମେତ ବିଶ୍ୱର ଅନେକ ସ୍ଥାନରେ ଏହି ବାଉଁଶ ବଂଶ ଧ୍ୱଂସ ପାଇଥିଲା। ଏହି ପରିପ୍ରେକ୍ଷୀରେ ଆବିଷ୍କାରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏହା ସ୍ପଷ୍ଟ କରୁଛି ଯେ କଠୋର ହିମ ଯୁଗୀୟ ସ୍ଥିତି ବିଶ୍ୱସ୍ତରରେ ବାଉଁଶର ବିତରଣରେ ବାଧକ ହୋଇଥିଲା । ଉତ୍ତରପୂର୍ବ ଭାରତ, ଖାସ୍‌କରି ଇଣ୍ଡୋ-ବର୍ମା ବୈଜବିବିଧତା ପେଣ୍ଠସ୍ଥଳୀ ବାଉଁଶ ବଂଶର ବିସ୍ତାର ହେଉଥିବା ସ୍ଥାନରେ ଶରଣାର୍ଥୀ ଭଳି କାମ କଲେ । ଅନ୍ୟ ସ୍ଥାନରେ ବାଉଁଶ ଅଦୃଶ୍ୟ ହୋଇଥିବାବେଳେ ଉକ୍ତ ଅଞ୍ଚଳର ଉଷ୍ଣ, ଆର୍ଦ୍ର ଜଳବାୟୁ ବାଉଁଶକୁ ତିଷ୍ଠିବାକୁ ଦେଲା । ରିଭ୍ୟୁ ଅଫ୍‌ ପାଲେଓବଟାନି ଆଣ୍ଡ୍‌ ପାଲିନୋଲୋଜି ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି, ଯାହା ବାଉଁଶର ବିକାଶ, କ୍ଷେତ୍ରୀୟ ଜଳବାୟୁ ଇତିହାସ ଏବଂ ବୈଶ୍ୱିକ ପରିବେଶଗତ ଚାପ ସମୟରେ ଜୈବବିବିଧତାରେ ସ୍ଥିରତା ଉପରେ ନୂଆ ମାର୍ଗଦର୍ଶକ ହୋଇଛି ।