ରାଉରକେଲା,୧୫।୪: ସରଣ୍ଡାରେ ଜୋରଦାର ଏନକାଉଣ୍ଟର । ମାଓବାଦୀଙ୍କୁ ମୁହଁତୋଡ଼ ଜବାବ ଦେଲେ ଯବାନ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନଗରା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର ବଲିବା ନିକଟରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଯବାନଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ବେଳେ ମାଓବାଦୀଙ୍କ ଗୁଳି ବାଜି କୋବ୍ରା ବାହିନୀର ଯବାନ ଜିତେନ୍ଦ୍ର କୁମାର ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଛି ।

ସୂଚନାନୁଯାୟୀ, ସରଣ୍ଡାର ବଲିବା ଓ ତିରିଲିପୋଷି ଅଞ୍ଚଳରେ ସିଆରପିଏଫ୍ ଓ କୋବ୍ରା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ ଚଳାଇଥିଲେ । ବଲିବାର ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ । ପ୍ରାୟ ୨୦ରୁ ୨୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳି ମାଡ଼ରେ କୋବ୍ରା ବାହିନୀର ଯବାନ ଗୁରୁତର ହୋଇଛନ୍ତି । ଅନ୍ୟ ପକ୍ଷରେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସେଠାରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଜରାଇକେଲାରୁ ଅଧିକ ସଂଖ୍ୟାରେ ଯବାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି ।