ତେଲେଙ୍ଗାନା, ୭।୨: ହାଇଦ୍ରାବାଦରୁ ବିଜୟୱାଡ଼ା ଅଭିମୁଖେ ଯାଉଥିବା ଏକ ବସ୍ରେ ନିଆଁ ଲାଗିଛି । ଏନଟିଆର ଜିଲ୍ଲାର ନନ୍ଦିଗାମା ନିକଟରେ ଏକ ଘରୋଇ ଟ୍ରାଭେଲ୍ସ ବସ୍ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବସ୍ଟି ୩୯ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡ଼ାରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା । ବସ୍ରେ ନିଆଁ ଲାଗିବା ପୂର୍ବରୁ ଯାତ୍ରୀମାନେ ସତର୍କ ହୋଇଯାଇଥିଲେ । ତେଣୁ ଏତେ ବଡ଼ ଦୁର୍ଘଟଣାରୁ ବସ୍ରେ ଥିବା ୩୯ ଯାତ୍ରୀ ବର୍ତ୍ତିଯାଇଛନ୍ତି ।
ରିପୋର୍ଟ ଅନୁସାରେ, କାଞ୍ଚିକାଚେରଲା ମଣ୍ଡଳର କିସରା ଟୋଲ୍ ଗେଟ୍ ନିକଟରେ ବସ୍ର ପଛ ଇଞ୍ଜିନ୍ରୁ ଧୂଆଁ ବାହାରିବାକୁ ଲାଗିଲା । ବିପଦ ଅନୁଭବ କରି ଡ୍ରାଇଭର ତୁରନ୍ତ ଗାଡ଼ିକୁ ଅଟକାଇ ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଥିଲେ । ନିଆଁ ଦ୍ରୁତ ଗତିରେ ବ୍ୟାପିବା ପୂର୍ବରୁ ଏବଂ ଗାଡ଼ିଟିରେ ସମ୍ପୂର୍ଣ୍ଣ ଭାବରେ ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ବସ୍ରୁ ସୁରକ୍ଷିତ ଭାବରେ ବାହାର କରିବାରେ ସଫଳ ହୋଇଥିଲେ । ପରେ ଡ୍ରାଇଭର ଜଣକ ନିଜେ ବାହାରକୁ ଆସିଥିଲେ । ଏହି ଘଟଣାରେ କେହି ଆହତ ହୋଇନଥିବାର ଜଣାପଡ଼ିଛି । ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତଥାପି ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ବସ୍ରେ ଅଗ୍ନିକାଣ୍ଡ ଘଟିବାରୁ ଏହି ଅଞ୍ଚଳରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଘଟଣାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି ।
ଆହୁରି ପଢ଼ନ୍ତୁ... ଯମୁନା ଏକ୍ସପ୍ରେସୱେରେ ବଡ଼ ଦୁର୍ଘଟଣା; ୧୫ ଜଣଙ୍କୁ ଚାପି ଦେଲା କଣ୍ଟେନର, ୬ ମୃତ, ଅନେକ ଆହତ