ଭୁବନେଶ୍ୱର, ୧୯/୧୦: ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଅର୍ଥ। ତୃତୀୟ ପର୍ଯ୍ୟାୟରେ ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦ୍ବିତୀୟ କିସ୍ତିରେ ୬୫ ହଜାର ଓ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ୪ ମାସ ଭିତରେ ଘର କାମ ସରିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ସରକାର। ୬ ମାସ ଭିତରେ ସାରିଲେ ମିଳିବ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି। ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନାରେ ୫ ଲକ୍ଷ ହିତାଧିକାରୀଙ୍କୁ ଘର ଦେବାକୁ ଲକ୍ଷ ରଖିଛନ୍ତି ସରକାର।
ସୂଚନାଯୋଗ୍ୟ ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବିବାର ଲୋକସେବା ଭବନରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି । ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ ବାସଗୃହ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ବିଜେପି ସରକାର ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ୭,୫୫୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ଏଥିରେ ୫ ଲକ୍ଷ ଘର ନିର୍ମାଣ କରାଯିବ । ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ୨୮ଟି ଜିଲ୍ଲାର ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସମୁଦାୟ ୧୯୪ କୋଟି ୭୭ ଲକ୍ଷ ୨୦ ହଜାର ଟଙ୍କା ବଣ୍ଟନ କରାଯାଇଛି । ହିତାଧିକାରୀମାନଙ୍କୁ ଦ୍ବିତୀୟ କିସ୍ତିରେ ୬୫ ହଜାର ଏବଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଏହିପରି ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେଉଁ ହିତାଧିକାରୀମାନେ ୪ ମାସ ମଧ୍ୟରେ ଘର ଶେଷ କରିବେ, ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ଯେଉଁମାନେ ୬ ମାସରେ ଘର ଶେଷ କରିବେ, ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସମସ୍ତ ହିତାଧିକାରୀଙ୍କୁ IAP ବା ସମନ୍ବିତ କାର୍ଯ୍ୟ ଯୋଜନା ଜିଲ୍ଲାରେ ମନରେଗା କାର୍ଯ୍ୟକ୍ରମରେ ୯୫ ଦିନର ମଜୁରୀ ଏବଂ ଅଣ-IAP ଜିଲ୍ଲାରେ ୯୦ ଦିନର ମଜୁରୀ ମଧ୍ୟ ଦିଆଯାଉଛି । ଏହାସହିତ ହିତାଧିକାରୀଙ୍କୁ ଶୌଚାଳୟ, ପାଇପ ପାଣି ଆଦି ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଦିଆଯାଉଛି । ଏହି ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବ, ଅନଗ୍ରସର ତଥା ଅସହାୟ ପରିବାର ମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିବାରେ ସହାୟକ ହେବ । ଏହାଦ୍ବାରା ଗରିବ ଓ ଅସହାୟ ହେଲେ ମଧ୍ୟ, ପ୍ରତ୍ୟେକ ନାଗରିକ ଏକ ସର୍ବନିମ୍ନ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ ।
ଶାସନ ନୁହେଁ, ସେବା ହିଁ ଆମ ସରକାରଙ୍କର ମୂଳମନ୍ତ୍ର। ଏହି ଉକ୍ତିକୁ ଯଥାର୍ଥ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦିଗ୍ଦର୍ଶନରେ ଆମେ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଜନକଲ୍ୟାଣର ଓ ଲୋକସେବାର କେନ୍ଦ୍ର ଭାବେ ବିକଶିତ କରୁଛୁ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ସରପଞ୍ଚ, ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର, ଜୁନିଅର ଇଞ୍ଜିନିଅର, ଗ୍ରାମ ରୋଜଗାର ସେବକ ଓ ଏକାଉଣ୍ଟେଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ରହିବ । ଅର୍ଥାତ୍, ପଞ୍ଚାୟତର ସମସ୍ତ ସେବା ଗୋଟିଏ ଜାଗାରେ ହିଁ ମିଳିବ । ଏହି କାର୍ଯ୍ୟାଳୟ ଗୁଡିକ One Stop Service Centreହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ହିତାଧିକାରୀ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରିଥିଲେ । ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମୁଣ୍ଡ ଉପରକୁ ଛାତ ଖଣ୍ଡିଏ ମିଳି ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ହିତାଧିକାରୀ ମାନେ କହିଥିଲେ ଯେ ଏକ ସମ୍ମାନଜନକ ଜୀବନ ଯାପନ କରିବା ପାଇଁ ଏକ ସୁନ୍ଦର ଘର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବାରୁ ସେମାନେ ନିଜର ଖୁସି ବ୍ୟକ୍ତ କରିଥିଲେ ।
ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରୟଣ ନାୟକ କହିଥିଲେ ଯେ ଗ୍ରାମପଞ୍ଚାୟତ ଭବନ ହେଉଛି ଗ୍ରାମୀଣ ଶାସନର ମୂଳ କେନ୍ଦ୍ର। ଏଠାରୁ ଲୋକଙ୍କ ସମସ୍ୟାର ସମାଧାନ ହୁଏ, ତୃଣମୂଳ ସ୍ତରରେ ବିକାଶର ନକ୍ସା ତିଆରି ହୁଏ ଓ ଗାଁର ପ୍ରତ୍ୟେକ ଲୋକଙ୍କ ଜୀବନ ସୁଧାରିବାର ପ୍ରୟାସ ଆରମ୍ଭ ହୁଏ। ତେଣୁ, ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ ଲୋକଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିପାରୁଥିବା ତଥା ସମସ୍ତ ସେବା ଯୋଗାଇ ପାରୁଥିବା ଭଳି ଆଧୁନିକ ଭବନ ଦରକାର।
ଏହି ଭବନଗୁଡ଼ିକ ଲୋକସେବା, ଗାଁର ଉନ୍ନତି ଓ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏକ ନୂଆ ମାଇଲ ଷ୍ଟୋନ ହେବ l ଏହି ଅଭିଯାନ କେବଳ ଭବନ ନିର୍ମାଣର ଏକ ପ୍ରକଳ୍ପ ନୁହେଁ, ବରଂ ଏହା ରାଜ୍ୟର ଗ୍ରାମାଞ୍ଚଳରେ ସୁଶାସନ, ସେବା ଓ ଉନ୍ନତିର ଏକ ନୂଆ ସୋପାନ ଆଣିବାର ପ୍ରଚେଷ୍ଟା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଭିନିତ ଭରଦ୍ୱାଜ ଏବଂ ଆଭାସି ମାଧ୍ୟମରେ ୨୮ଟି ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଯୋଗଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ୍.ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।