ଜବଲପୁର( ମଧ୍ୟ ପ୍ରଦେଶ) : ମଧ୍ୟପ୍ରଦେଶର ଜବଲପୁରରେ ବରଗି ଡ୍ୟାମ୍ରେ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଖୁବ୍ ଜୋରରେ ଝଡ଼ ତୋଫାନ ହେବାରୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା କ୍ରୁଜ୍ ଡ଼ଙ୍ଗା ବୁଡ଼ି ଯାଇଛି। ପ୍ରାରମ୍ଭିକ ତଦନ୍ତ ମୁତାବିକ , କ୍ରୁଜରେ ୩୦ରୁ ଅଧିକ ଲୋକ ବସିଥିଲେ। ଏଥିରୁ ୧୫ ଜଣ ପହଁରି ପହଁରି ବାହାରକୁ ଆସିଥିଲେ, ଏବେସୁଦ୍ଧା ୬ଟି ମୃତଦେହ ମିଳିଛି, ୧୫ ଜଣଙ୍କୁ ଅଧିକ ଲୋକ ନିଖୋଜ ଥିବାର କୁହାଯାଉଛି।
ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ , ଖମରିଆ ଟାପୁ ନିକଟରେ ହଠାତ୍ ଆସିଥିବା ଜୋରରେ ଝଡ଼ ତୋଫାନ କାରଣର କ୍ରୁଜ୍ ଡ଼ଙ୍ଗା ସନ୍ତୁଳନ ହରାଇ ବସିଥିଲା ଏବଂ ବୁଡି଼ ଯାଇଥିଲା। ଘଟଣାର ସୂଚନା ମିଳିବା କ୍ଷଣି ବରଗୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଏସଡିଆରଏଫ୍ର ଟିମ୍ ମଧ୍ୟ ରେସ୍କ୍ୟୁ ଅପରେସନ ଆରମ୍ଭ କରି ଦେଇଛି ଏବଂ ନିଖୋଜ ଲୋକଙ୍କ ତଲାସୀ ଜାରି ରହିଛି।
ବରଗୀ ସହରର ପୁଲିସ ଅଧିକାରୀ (ସିଏସପି) ଅଞ୍ଜୁଳ ମିଶ୍ରା ଦୁର୍ଘଟଣାର ସୂଚନା ଦେଇ କହିଛନ୍ତି ଯେ, ୪ଟି ମୃତଦେହ ମିଳିଛି ଏବଂ ଆଉ ୧୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି, ୧୫ରୁ ୧୮ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ଅଧିକାରୀ କହିଛନ୍ତି ଯେ, ହଠାତ୍ ଝଡ଼ ତୋଫାନ କାରଣରୁ ଡ଼ଙ୍ଗାଟି ଓଲଟି ପଡ଼ି ଥିବା । ସେତେବେଳେ ଉକ୍ତ ଡଙ୍ଗାରେ ୩୫-୪୦ ଜଣ ଲୋକ ବସିଥିଲେ। ସେ କହିଛନ୍ତି ଅବଶିଷ୍ଟ ଲୋକଙ୍କ ରକ୍ଷା କରିବା ପାଇଁ ଉଦ୍ଧାର ଏବଂ ସୁରକ୍ଷା ଅଭିଯାନ ଜାରି ରହିଛି।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି -ଜବଲପୁରର ବରଗି ଡ୍ୟାମ୍ରେ କ୍ରୁଜ୍ ବୁଡ଼ିବାର ଘଟଣା ଖୁବ୍ ଯନ୍ତ୍ରଣାଦାୟକ। ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତାହତ ହେବାର ଖବର ରହିଛି। ଈଶ୍ୱର ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ। ପ୍ରଶାସନକୁ ଅପିଲ ଯେ, ରେସ୍କ୍ୟୁ ଅପରେସନକୁ ଜୋରଦାର କରନ୍ତି ଏବଂ ନିଖୋଜ ଲୋକଙ୍କୁ ଖୁବ୍ ଶୀଘ୍ର ସୁରକ୍ଷିତ ଉଦ୍ଧାର କରିବାକୁ ଯଥା ସମ୍ଭବ ପ୍ରୟାସ କରାଯାଉ।
ପାଣିପାଗ ବିଭାଗର କହିବାନୁସାରେ , ଦୁର୍ଘଟଣା ସମୟରେ ପବନର ବେଗ ପ୍ରାୟ ୪୦ କିଲୋମିଟର ପ୍ରତି ଘଣ୍ଟା ଥିଲା, ଯାହା ଫଳରେ କ୍ରୁଜ୍ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଆଗାମୀ କିଛି ଘଣ୍ଟା ମଧ୍ୟରେ ପବନର ବେଗ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ । ପ୍ରବଳ ପବନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଅନ୍ଧାର ଏବଂ ଖରାପ ପାଗ ସତ୍ତ , SDRF ଏବଂ ପ୍ରଶାସନ ଦଳ ସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି।