ଭୁବନେଶ୍ୱର,୨୪/୦୩: ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ । ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ବନ କର୍ନଚାରୀ ଏବଂ ଏସଟିପିଏଫ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ଫାଙ୍କା ଗୁଳି ଚାଳନାରେ ୪ ଶିକାରୀ ଗିରଫ ହୋଇଥିବା ବେଳେ ୨ ଜଣ ଫୋରାର ହୋଇଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା, କାର୍ତ୍ତିକ ସିଂ ବାଂକ୍ଷୀରା ବୋଲି ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ପୋଡ଼ାଡିହା ବନ ବିଭାଗ ଏବଂ ଏସ୍‌ଟିପିଏଫ୍‌ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢାଉ କରିଥିଲେ । ଏହି ସମୟରେ ୬ ଜଣ ଶିକାରୀ ଜଙ୍ଗଲରେ ମଧ୍ୟରେ ରୋଷେଇ କରୁଥିବାର ଦେଖିଥିଲେ । ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ତେବେ ଘଟଣାସ୍ଥଳରେ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୫ ଜଣ ଖସିଯାଇଥିଲେ । ଗିରଫ ଶିକାରୀଙ୍କୁ ପଚରାଉଚରା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢାଉ ହୋଇଥିଲା । ଯେଉଁଠାରେ ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକ ଜବତ ହୋଇଥିଲା । ଏବେବି ୨ ଜଣ ଶିକାରୀ ଫେରାର ରହିଛନ୍ତି ।